ମୋଦିଙ୍କ ଅହଙ୍କାର ଯବାନଙ୍କୁ କୃଷକଙ୍କ ବିପକ୍ଷରେ ଛିଡା କରିଛି: ରାହୁଲ ଗାନ୍ଧୀ -shaksi news


ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ କୃଷକ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ରାହୁଲ ଓ ପ୍ରିୟଙ୍କା କିଛି ଫଟୋ ଟ୍ୱିଟ୍ କରି କୃଷକଙ୍କ ଉପରେ ପୋଲିସର ଦମନ ଓ କାର୍ଯ୍ୟାନୁଷ୍ଠାନକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ଗାନ୍ଧୀ ଏକ ଫଟୋ ସେୟାର କରି ଟ୍ୱିଟ କରିଛନ୍ତି ଯେ, ‘ଅତ୍ୟନ୍ତ ଦୁଃଖଦ ଫଟୋ, ଆମ ନାରା ‘ଜୟ ଯବାନ୍ ଜୟ କିଷାନ୍’ ଥିଲା କିନ୍ତୁ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅହଙ୍କାର ଯବାନଙ୍କୁ କୃଷକଙ୍କ ବିପକ୍ଷରେ ଛିଡା କରିଛି। ଏହା ଅତ୍ୟନ୍ତ ଦୁଃଖଦ ଓ ଭୟଙ୍କର।’

ଅପରପକ୍ଷରେ ପ୍ରିୟଙ୍କା ଟ୍ୱିଟ କରିଛନ୍ତି ଯେ, ବିଜେପି ସରକାରରେ ଦେଶର ବ୍ୟବସ୍ଥା ଦେଖନ୍ତୁ, ଯେତେବେଳେ କୋଟିପତି ମିତ୍ର ଦିଲ୍ଲୀ ଆସନ୍ତି ସେତେବେଳେ ତାଙ୍କ ପାଇଁ ରେଡ କାର୍ପେଟ୍ ବିଛା ଯାଇଥାଏ। କିନ୍ତୁ କୃଷକଙ୍କ ପାଇଁ ଦିଲ୍ଲୀ ଆସିବା ରାସ୍ତା ଖୋଳାଯାଉଛି ଯେପରି ସେମାନେ ଦିଲ୍ଲୀ ନ ଆସିପାରିବେ। ଦିଲ୍ଲୀ କୃଷକଙ୍କ ବିରୋଧରେ ଆଇନ ଗଠନ କରିବା ଠିକ କିନ୍ତୁ ସରକାରଙ୍କୁ ନିଜ କଥା କହିବାକୁ କୃଷକ ଦିଲ୍ଲୀ ଆସିବା ଭୁଲ।

ଏଠାରେ ପ୍ରକାଶ ଥାଉକି , କେନ୍ଦ୍ର ସରକାର ଲାଗୁ କରିଥିବ କୃଷକ ଆଇନ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଥିବା ଚାଷୀ ଶନିବାର ଦିନ ସକାଳୁ ସିନ୍ଧୁ ସୀମାରେ ଏକାଠି ହୋଇ ବୈଠକ କରିଛନ୍ତି। ଏଥିପାଇଁ କୃଷକମାନେ ପ୍ରଦର୍ଶନ ପାଇଁ ଉତ୍ତର ଦିଲ୍ଲୀରେ ସ୍ଥାନ ନିର୍ଧାରଣ କରିଥିବା ସତ୍ତ୍ୱେ ସୀମାରେ ହିଁ ବିରୋଧ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଥିଲେ। ଟିକରି ସୀମାରେ ଉପସ୍ଥିତ କୃଷକଙ୍କ ପ୍ରଦର୍ଶନ ମଧ୍ୟ ଜାରି ରହିଛି। ଏପରିକି ସେଠାରେ ହିଁ ପ୍ରଦର୍ଶନ କରିବେ ଏବଂ ସେଠାରୁ କୁଆଡେ ଘୁଞ୍ଚିବେନି କି ଘରକୁ ଫେରିବେନି ବଳି କୃଷକଙ୍କ ମାନେ କହଛନ୍ତି ।

ପ୍ରଦର୍ଶନରେ ପଞ୍ଜାବ ଓ ହରିୟାଣାରୁ ହଜାର ହଜାର କୃଷକ ସାମିଲ ହୋଇଛନ୍ତି। ଶୁକ୍ରବାର ଦିନ ସୀମାରେ ପୋଲିସ ଟିଅର ଗ୍ୟାସ ଓ ପାଣି ଛିଞ୍ଚିଥିଲା। ଏହାପରେ ଶହ ଶହ କୃଷକ ଦିଲ୍ଲୀରେ ପ୍ରବେଶ କରିଥିଲେ। ଏବେ ମଧ୍ୟ ହଜାର ହଜାର କୃଷକ ସୀମାରେ ଜମା ହୋଇଛନ୍ତି। ତେବେ ପ୍ରଶାସନ ନିର୍ଣ୍ଣୟ କରିଥିବା ଧାରଣା ସ୍ଥଳରେ ପ୍ରଦର୍ଶନକୁ ନେଇ ସେମାନେ ଏବେ ଯାଏଁ କିଛି ନିଷ୍ପତ୍ତି ନେଇନାହାନ୍ତି।