ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ପ୍ରବାସୀଙ୍କୁ ମାଡ଼

ଇନ୍ଦୋରରେ ଅନୁଷ୍ଠିତ ପ୍ରବାସୀ ଭାରତୀୟଙ୍କ ….

ନୂଆଦିଲ୍ଲୀ: ଇନ୍ଦୋରରେ ଅନୁଷ୍ଠିତ ପ୍ରବାସୀ ଭାରତୀୟଙ୍କ ସମ୍ମିଳନୀରେ ହଙ୍ଗାମାର ସୂତ୍ରପାତ ଘଟିଛି । ସୋମବାର କିଛି ପ୍ରବାସୀ ଭାରତୀୟଙ୍କୁ ସଭାକକ୍ଷ ଭିତରକୁ ପ୍ରବେଶ ପାଇଁ ବାରଣ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ ପୂର୍ବରୁ ତାଙ୍କୁ ସଭାକକ୍ଷ ଭିତରକୁ ଯିବା ପାଇଁ ମନା କରାଯିବାରୁ ସେମାନେ କ୍ଷୋଭ ପ୍ରକାଶ କରିଥିଲେ । ଏପରିକି ଲଣ୍ଡନର ଡେପୁଟି ମେୟରଙ୍କୁ ମଧ୍ୟ ସଭାକକ୍ଷରୁ ମୁଖ୍ୟ ଫାଟକ ନିକଟରେ ଅଟକାଇ ଦିଆଯାଇଥିଲା । ଜଣେ ପ୍ରବାସୀ ଭାରତୀୟଙ୍କ ଶାରୀରିକ ଆଘାତ ପାଇଥିବାର ଅଭିଯୋଗ କରିଛନ୍ତି ।

ସ୍ଥାନୀୟ ପ୍ରଶାସନକୁ ସମାଲୋଚନା କରି କିଛି ପ୍ରବାସୀ ଭାରତୀୟ କହିଛନ୍ତି, ଟିଭି ପରଦାରେ ଏଭଳି କାର୍ଯ୍ୟକ୍ରମ ଦେଖାଇବାର ଥିଲା ତ ଆମନ୍ତ୍ରଣ କରୁଥିଲ କାହିଁକି? ଇନ୍ଦୋର ସାଂସଦ ଶଙ୍କର ଲାଲୱାନୀ କହିଛନ୍ତି, ଆରମ୍ଭରୁ ଟିକେ ଗୋଳମାଳିଆ ପରିସ୍ଥିତି ଉପୁଜିଥିଲା । ମାତ୍ର ପରେ ସବୁ ଠିକ୍‌ ହୋଇଯାଇଥିଲା । ପରିସ୍ଥିତି ଏତେ ସଂକଟ ଆଡ଼କୁ ଗତି କରିଥିଲା ଯେ ଶେଷକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କୁ ସଭାମଂଚରେ କ୍ଷମା ପ୍ରାର୍ଥନା କରିବାକୁ ପଡ଼ିଲା । ମୁଖ୍ୟମନ୍ତ୍ରୀ ଚୌହ୍ୱାନ କହିଛନ୍ତି, ସଭାକକ୍ଷଟି ଛୋଟ ହୋଇଥିବାରୁ ମୁଁ ଯୋଡ଼ହସ୍ତରେ କ୍ଷମା ପ୍ରାର୍ଥନା କରୁଛି । ଆମ ମନଟି ଜମାରୁ ଛୋଟ ନୁହେଁ।

ସମ୍ମିଳନୀକୁ ଆସିଥିବା ଦୁଇଜଣ ପ୍ରବାସୀ ଭାରତୀୟଙ୍କର ସ୍ୱାସ୍ଥ୍ୟାବସ୍ଥ ବିଗିଡ଼ି ଯାଇଥିଲା । ସ୍ଥାନୀୟ ଘରୋଇ ଡାକ୍ତରଖାନାରେ ସେମାନଙ୍କର ଚିକିତ୍ସା ଚାଲିଛି । ସୂଚନା ମୁତାବକ, ସକାଳ ୯ଟା ୪୫ ମିନିଟ ସୁଦ୍ଧା ସଭାକକ୍ଷଟିର ସବୁ ଆସନ ପୂରଣ ହୋଇସାରିଥିଲା । ତା’ ପରେ ସଭାକକ୍ଷ ଭିତରକୁ କାହାକୁ ଛଡ଼ାଗଲାନି । ସରକାର ୩୨୦୦ ଅତିଥିଙ୍କୁ ଡାକିଥିଲେ, ମାତ୍ର ସଭାକକ୍ଷଟିର ଆସନ ସଂଖ୍ୟା ୨୨୦୦ ଥିଲା । ଫଳରେ ପ୍ରବାସୀ ଭାରତୀୟମାନେ ସଭାକକ୍ଷଟିର ଦରଜା ଠେଲି ଭିତରକୁ ପ୍ରବେଶ କରିବାକୁ ଚାହିଁଲେ । ମାତ୍ର ସୁରକ୍ଷାକର୍ମୀ ସେମାନଙ୍କୁ ବାଧା ଦେବାରୁ ଛୋଟ ଧରଣର ସଂଘର୍ଷ ଘଟିଥିଲା ।