ବିଶ୍ୱକପ୍‍ ହକି ପାଇଁ ଚଳଚଞ୍ଚଳ କଟକ ସହର : ଦିନ ୨ଟା ପରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ

ଐତିହାସିକ ବାରବାଟୀ ଷ୍ଟାଡିୟମ୍ ଇତିହାସରେ ଯୋଡ଼ି …

କଟକ: ଐତିହାସିକ ବାରବାଟୀ ଷ୍ଟାଡିୟମ୍ ଇତିହାସରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ନୂଆ ଅଧ୍ୟାୟ। ଆସନ୍ତାକାଲି (୧୧ ତାରିଖ) ବାରବାଟୀ ମଇଦାନରେ ବାଜିବ ହକି ବିଶ୍ୱକପର ବିଗୁଲ୍। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ସାରା ହକି ବିଶ୍ୱକପର ଶୁଭାରମ୍ଭ ଉତ୍ସବକୁ ସାରା ବିଶ୍ୱ ଦେଖିବ।

ଏଥିପାଇଁ ବୁଧବାର କଟକ ସହରର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି। ଅପରାହ୍ଣ ୨ଟା ପରେ ସହରର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ବୋଲି କଟକ ଜିଲ୍ଲାପାଳ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ବାରବାଟୀ ‌ଷ୍ଟାଡିୟମରେ ହେବାକୁ ଥିବା ହକି ଉଦ୍‌ଘାଟନୀ ଉତ୍ସବର ପ୍ରସ୍ତୁତି କାର୍ଯ୍ୟକୁ ଗତକାଲି ସଂଧ୍ୟ‌ାରେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ସମୀକ୍ଷା କରିଥିଲେ। ଉଦ୍‌ଘାଟନୀ ଉତ୍ସବର ପ୍ରସ୍ତୁତି ମଞ୍ଚ, ନିମନ୍ତ୍ରିତ ଅତିଥି, ଖେଳାଳିଙ୍କ ବସିବା, ଟ୍ରାଫିକ ବ୍ୟବସ୍ଥା ପରି ବିଭିନ୍ନ ବିଷୟକୁ ନେଇ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହିତ ସେ ଆଲୋଚନା କରିଥିଲେ। ଶ୍ରୀ ପାଣ୍ଡିଆନ୍‌ଙ୍କ ସହିତ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା, ମେୟର ସୁବାସ ସିଂହ, ଓସିଏ ସଭାପତି ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଧାୟକ ସୌଭିକ ବିଶ୍ବାଳ, ବିଧାୟକ ଦେବୀ ରଂଜନ ତ୍ରିପାଠୀ, ବିଧାୟକ ଚନ୍ଦ୍ରସାରଥି ବେହେରା, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, କମିସନର ନିଖିଲ ପୱନ କଲ୍ୟାଣ, ସିଡିଏ ଅଧ୍ୟକ୍ଷ ଅନୀଲ କୁମାର ସାମଲ, ଡିସିପି ପିନାକ ମିଶ୍ର, ନିରାମୟର ଉପଦେଷ୍ଟା ଡକ୍ଟର ରଂଜନ ବିଶ୍ବାଳ, ବିଜେଡି ନେତା ଅରିନ୍ଦମ ରୟଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଯନ୍ତ୍ରୀ ଉପସ୍ଥିତ ଥିଲେ।