ଦୁଷ୍କର୍ମ ଆସାମୀଙ୍କ ରାଜକ୍ଷମା ଆବେଦନ ଅଗ୍ରାହ୍ୟ କଲେ ରାଷ୍ଟ୍ରପତି

ଜଣେ ଦୁଷ୍କର୍ମକାରୀଙ୍କ ରାଜକ୍ଷମା ଆବେଦନକୁ ….

ନୂଆଦିଲ୍ଲୀ: ଜଣେ ଦୁଷ୍କର୍ମକାରୀଙ୍କ ରାଜକ୍ଷମା ଆବେଦନକୁ ଅଗ୍ରାହ୍ୟ କରିଛନ୍ତି ମହାମହିମ ରାଷ୍ଟ୍ରପତି। ସଂପୃକ୍ତ ଦୋଷୀଙ୍କ ଫାଶୀଦଣ୍ଡ ସୁନିଶ୍ଚିତ ହୋଇଛି। ୨୦୧୨ ମସିହାରେ ମହାରାଷ୍ଟ୍ରରେ ଜଣେ ଦୁଇବର୍ଷର ଶିଶୁକନ୍ୟାକୁ ଚକୋଲେଟ୍‌ ଦେଇ ଅପହରଣ କରି ଦୁଷ୍କର୍ମ ପରେ ହତ୍ୟା କରିଥିଲା ଅଭିଯୁକ୍ତ ରବି ଅଶୋକ ଘୁମାରେ। ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ୨୦୧୯ ରେ ଅକ୍ଟୋବର ୩ ତାରିଖରେ ଉଚ୍ଚ ଅଦାଲତଙ୍କ ଆଦେଶକୁ କାଏମ୍‌ ରଖିଛନ୍ତି। ଆସାମୀ ରବି ରାଷ୍ଟ୍ରପତି ନିକଟରେ କ୍ଷମା ପ୍ରାର୍ଥନା ନିବେଦନ କରିଥିଲେ। ଆସାମୀଙ୍କ ରାଜକ୍ଷମାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୨୦୨୨ ମସିହାରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦ ଗ୍ରହଣ କରିବା ପରେ ତୃତୀୟ ରାଜକ୍ଷମା ଆବେଦନକୁ ଖାରଜ କରିଛନ୍ତି। ସୂଚନା ମୁତାବକ ଏହି ଘଟଣା ମହାରାଷ୍ଟ୍ରର ଜାଲନାସ୍ଥିତ ଇନ୍ଦିରା ନଗର ଅଂଚଳରେ ଘଟିଥିଲା। ଅଭିଯୁକ୍ତ ରବିଙ୍କ ଘୃଣ୍ୟ କାର୍ଯ୍ୟ ପାଇଁ ସେପ୍‌ଟେମ୍ବର ୧୬, ୨୦୧୫ରେ ଏକ ସ୍ଥାନୀୟ କୋର୍ଟ ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ କରିଥିଲେ। ଆସାମୀ ତଳକୋର୍ଟଙ୍କ ମୃତ୍ୟୁ ଦଣ୍ଡାଦେଶକୁ ବମ୍ବେ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ। ଜାନୁଆରୀ ୨୦୧୬ରେ ବମ୍ବେ ହାଇକୋର୍ଟ ଦ୍ୱାରା ରାୟ ବଜାୟ ରଖାଯାଇଥିଲା। କାଳବିଳମ୍ବ ନକରି ଆସାମୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
୨୦୧୯ ମସିହାରେ ସୁପ୍ରିମକୋର୍ଟ ତକ୍ରାଳୀନ ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ମୃତ୍ୟୁଦଣ୍ଡକୁ କାଏମ୍‌ ରଖି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍‌ ନରିମାନ ରାୟରେ ସ୍ପଷ୍ଟ କରିଥିଲେ ଯେ ଘୁମାରେଙ୍କ କାର୍ଯ୍ୟ ପାଇଁ କୌଣସି ବାହାନା ନାହିଁ ଏବଂ ସ୍ପଷ୍ଟ କରିଥିଲେ ଯେ ଘୁମାରେ ତାଙ୍କର ଯୌନ କ୍ଷୁଧା ମେଂଟାଇବା ପାଇଁ ସମସ୍ତ ପ୍ରାକୃତିକ, ସାମାଜିକ ଏବଂ ଆଇନଗତ ସୀମା ଅତିକ୍ରମ କରିଥିଲେ। ଝିଅଟି ସମ୍ପୂର୍ଣ୍ଣ ପ୍ରସ୍ଫୁଟିତ ହେବା ପୂର୍ବରୁ ତା’ର ଜୀବନକୁ ନିର୍ମମ ଭାବରେ ଶେଷ କରିଥିଲେ ଘୁମାରେ। ତାକୁ ତା’ର ପିତାମାତାଙ୍କ ପ୍ରେମ, ସ୍ନେହ ଏବଂ ସୁରକ୍ଷା ଦେବା ବଦଳରେ ତାକୁ କାମନାର ଶିକାର କରିଥିଲା। ଏହି ମାମଲା ବିଶ୍ୱାସ ଘାତକତା, ସାମାଜିକ ମୂଲ୍ୟବୋଧର ଅବନତି ଏବଂ ମଇଳା ଏବଂ ବିକୃତ ମନୋଭାବ ପ୍ରଦର୍ଶନର ଏକ ନିଷ୍ଠୁର ମାମଲା ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ।

ନୂତନ ଆଇନ ଅନୁଯାୟୀ ଏକ ନୂତନ ନିୟମ କରାଯାଇଛି, ଯାହା ହେଉଛି ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩। ୧ ଜୁଲାଇ, ୨୦୨୪ ରୁ କାର୍ଯ୍ୟକାରୀ ହୋଇଥିବା ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୪୭୨ ଅନୁଯାୟୀ, ମୃତ୍ୟୁଦଣ୍ଡ ମାମଲାରେ କେବଳ ଥରେ ରାଜକ୍ଷମା ଆବେଦନ ଦାଖଲ କରା ଯାଇପାରିବ। ପୂର୍ବରୁ, ଏପରି କୌଣସି ସ୍ପଷ୍ଟ ସୀମା ନଥିଲା।