ପ୍ରଧାନମନ୍ତ୍ରୀ ଗୁଜରାଟ ସ୍ଥିତ ଆମୋଦ

ଭରୁଚ ଠାରେ ୮,୦୦୦ କୋଟି ଟଙ୍କାରୁ ଅଧିକ ଟଙ୍କା ମୂଲ୍ୟର ଅନେକ ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି….

ପ୍ରଧାନମନ୍ତ୍ରୀ ଗୁଜରାଟ ସ୍ଥିତ ଆମୋଦ, ଭରୁଚ ଠାରେ ୮,୦୦୦ କୋଟି ଟଙ୍କାରୁ ଅଧିକ ଟଙ୍କା ମୂଲ୍ୟର ଅନେକ ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟ ସ୍ଥିତ ଆମୋଦ, ଭରୁଚ ଠାରେ ୮,୦୦୦ କୋଟି ଟଙ୍କାରୁ ଅଧିକ ଟଙ୍କା ମୂଲ୍ୟର ଅନେକ ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ଏବଂ ସେହି ପ୍ରକଳ୍ପ ଗୁଡିକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଜମ୍ବୁସର ଠାରେ ବଲ୍‌କ ଡ୍ରଗ୍ ପାର୍କ, ଦହେଜ ଠାରେ ଗଭୀର ସମୁଦ୍ରରେ ପାଇପ୍‌ଲାଇନ୍ ପ୍ରକଳ୍ପ, ଅଙ୍କଲେଶ୍ୱର ବିମାନ ବନ୍ଦରର ପ୍ରଥମ ପର୍ଯ୍ୟାୟ ଏବଂ ଅଙ୍କଲେଶ୍ୱର ଏବଂ ପନୋଲିରେ ବହୁ ସ୍ତରୀୟ ଔଦ୍ୟୋଗିକ ସେଡ୍‌ର ବିକାଶର ଭିତି ପ୍ରସ୍ତର ସ୍ଥାପନ କରିଥିଲେ । ପ୍ରଧାନମନ୍ତ୍ରୀ ଅନେକ ପ୍ରକଳ୍ପ ଗୁଡିକୁ ମଧ୍ୟ ଉତ୍ସର୍ଗ କରିଥିଲେ, ଯାହା ଗୁଜରାଟରେ ରସାୟନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବ, ସେହି ପ୍ରକଳ୍ପ ଗୁଡିକ ମଧ୍ୟରେ ଜିଏସିଏଲ୍ ପ୍ଲାଂଟ, ଭରୁଚ ଅଣ୍ଡରଗ୍ରାଉଣ୍ଡ ଡ୍ରେନେଜ୍ ଏବଂ ଆଇଓସିଏଲ୍ ଦହେଜ କୋୟାଲି ପାଇପ୍‌ଲାଇନ୍ ଇତ୍ୟାଦି ଅନ୍ତର୍ଭୁକ୍ତ ଅଟେ ।

ସର୍ବ ପ୍ରଥମେ ପ୍ରଧାନମନ୍ତ୍ରୀ ଶ୍ରୀ ମୁଲାୟମ୍ ସିଂହ ଯାଦବଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । “ମୁଲାୟମ୍ ସିଂହ ଜୀ’ଙ୍କ ସହିତ ମୋର ସମ୍ପର୍କ ବହୁତ ସ୍ୱତନ୍ତ୍ର ଥିଲା । ମୁଖ୍ୟମନ୍ତ୍ରୀ ରୂପରେ ଯେତେବେଳେ ଆମର ସାକ୍ଷାତ ହେଉଥିଲା, ସେତେବେଳେ ଆମ ଭିତରେ ପାରସ୍ପରିକ ସମ୍ମାନ ଏବଂ ନିକଟତର ଭାବନା ରହୁଥିଲା” ବୋଲି ସେ କହିଥିଲେ । ଶ୍ରୀ ମୋଦୀ ପୂର୍ବ କଥାକୁ ମନେ ପକାଇ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ପଦ ନିମନ୍ତେ ପ୍ରାର୍ଥୀ ହେବା ପରେ ଯେତେବେଳେ ସେ ବିଭିନ୍ନ ଦଳ ନିକଟରେ ପହଂଚିଥିଲେ, ସେତେବେଳେ ଶ୍ରୀ ମୁଲାୟମ୍ ସିଂହ ଜୀ ଙ୍କର ଆଶୀର୍ବାଦ ଏବଂ ପରାମର୍ଶର ଶବ୍ଦ ଆଜି ବି ତାଙ୍କ ପାଇଁ ମହତ୍ୱପୂର୍ଣ୍ଣ ଅଟେ ।

ସମୟର ପରିବର୍ତ୍ତନ ହେବା ସତ୍ତ୍ୱେ ମଧ୍ୟ ମୁଲାୟମ୍ ସିଂହ ଜୀ ୨୦୧୩ର ଆଶୀର୍ବାଦକୁ ବଜାୟ ରଖିଥିଲେ । ଶ୍ରୀ ମୋଦୀ ଗତ ଲୋକସଭାର ଶେଷ ଅଧିବେଶନରେ ମୁଲାୟମ୍ ସିଂହ ଜୀଙ୍କର ଆଶୀର୍ବାଦକୁ ମଧ୍ୟ ମନେ ପକାଇ ଥିଲେ, ଯେଉଁଠାରେ ଏହି ଦିଂବଗତ ନେତା କୌଣସି ରାଜନୈତିକ ଭେଦଭାବ ନରଖି ୨୦୧୯ରେ ପ୍ରଧାନମନ୍ତ୍ରୀ ମୋଦୀ ଜୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବା ନେଇ ଭବିଷ୍ୟବାଣୀ କରିଥିଲେ । ମୁଲାୟମ୍ ସିଂହ ଜୀ’ ଙ୍କ ଅନୁସାରେ ମୋଦୀ ଜଣେ ଏମିତି ନେତା ଯିଏ ସମସ୍ତଙ୍କୁ ସାଥିରେ ଧରି ଚାଲିଥାନ୍ତି । “ଆଜି ଗୁଜରାଟର ଏହି ମାଟିରୁ ଏବଂ ମାଆ ନର୍ମଦାଙ୍କର ତଟ ଦେଶରୁ ଆଦରଣୀୟ ମୁଲାୟମ ସିଂହ ଜୀ’ଙ୍କୁ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ମୁଁ ଈଶ୍ୱରଙ୍କୁ ତାଙ୍କ ପରିବାର ଏବଂ ପ୍ରଶଂସକ ମାନଙ୍କୁ ଏହି ଅପୂରଣୀୟ କ୍ଷତିକୁ ସହ୍ୟ କରିବା ପାଇଁ ଶକ୍ତି ପ୍ରଦାନ କରିବା ପାଇଁ ପ୍ରାର୍ଥନା କରୁଛି ।”

ଆଜାଦୀର ଅମୃତ ମହୋତ୍ସବ ସମୟରେ ସେ ଭରୁଚ  ଆସିଥିବା କଥା ଉପରେ ଟିପ୍ପଣୀ ଦେଇ ଶ୍ରୀ ମୋଦୀ ଆହୁରି ମଧ୍ୟ କହିଥିଲେ ଯେ, ଏହି ସ୍ଥାନର ମାଟି ଦେଶର ଅନେକ ସନ୍ତାନଙ୍କୁ ଜନ୍ମ ଦେଇଛି, ଯେଉଁମାନେ ଦେଶର ନାମକୁ ନୂତନ ଶିଖରରେ ପହଂଚାଇଛନ୍ତି । ସେ ସମ୍ବିଧାନ ସଭା (କନ୍‌ଷ୍ଟିଚ୍ୟୁଏଂଟ ଆସେମ୍ବ୍ଲି)ର ଜଣେ ସଦସ୍ୟ ଏବଂ ସୋମନାଥ ଆନ୍ଦୋଳନରେ ସର୍ଦ୍ଦାର ପଟେଲ୍‌ଙ୍କର ପ୍ରମୁଖ ସାଥୀ କହ୍ନେୟାଲାଲ୍ ମାନିକଲାଲ୍ ମୁନ୍‌ସୀ ଏବଂ ଭାରତୀୟ ସଙ୍ଗୀତର ମହାନ ବ୍ୟକ୍ତିତ୍ୱ ପ. ଓଁକାରନାଥ ଠାକୁରଙ୍କୁ ମଧ୍ୟ ମନେ ପକାଇଥିଲେ । “ଗୁଜରାଟ ଏବଂ ଭାରତର ବିକାଶରେ ଭରୁଚର ମହତ୍ୱପୂର୍ଣ୍ଣ ଭୂମିକା ରହିଛି”ବୋଲି ଶ୍ରୀ ମୋଦୀ କହିଥିଲେ । ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ, “ଯେତେବେଳେ ଆମେ ଭାରତର ଇତିହାସକୁ ପଢ଼ିଥାଉ, ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଥାଉ, ଭରୁଚ ଉପରେ ସର୍ବଦା ଗର୍ବର ସହିତ ଚର୍ଚ୍ଚା କରା ଯାଇଥାଏ ।” ସେ ଭରୁଚ ଜିଲ୍ଲାର ମୁଣ୍ଡ ଟେକୁଥିବା ମହନଗରୀୟ ପ୍ରକୃତି ସମ୍ପର୍କରେ ମଧ୍ୟ କହିଥିଲେ ।

ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ, ଭରୁଚକୁ ରସାୟନ କ୍ଷେତ୍ର ସହିତ ସମ୍ବନ୍ଧିତ ଅନେକ ପ୍ରକଳ୍ପ ଗୁଡିକ ସହିତ ପ୍ରଥମ ବଲ୍କ ଡ୍ରଗ୍ ପାର୍କ ପ୍ରଦାନ କରା ଯାଇଛି । ସେ କହିଥିଲେ ଯେ, “ସଂଯୋଗ ସହିତ ଯୋଡି ହୋଇଥିବା ଦୁଇ ବୃହତ୍ ପ୍ରକଳ୍ପ ଗୁଡିକୁ ଆଜି ଆରମ୍ଭ କରା ଯାଇଛି ।” ଶ୍ରୀ ମୋଦୀ ଏହା ମଧ୍ୟ ସୂଚନା ଦେଇଥିଲେ ଯେ, ଅଙ୍କଲେଶ୍ୱରରେ ଭରୁଚ ବିମାନ ବନ୍ଦରର ମଧ୍ୟ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି, ଯାହା ଫଳରେ ଭରୁଚର ଲୋକ ମାନଙ୍କୁ ବରୋଦା ଏବଂ ସୁରଟ ଉପରେ ନିର୍ଭର କରିବାକୁ ପଡିବ ନାହିଁ । ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ, ଭରୁଚ ଏକ ଏମିତି ଜିଲ୍ଲା ଅଟେ, ଯେଉଁଥିରେ, ଦେଶର ଅନ୍ୟ ଛୋଟ ଛୋଟ ରାଜ୍ୟ ଗୁଡିକ ତୁଳନାରେ ଅଧିକ ଉଦ୍ୟୋଗ ରହିଛି, ଏବଂ ନୂତନ ବିମାନ ବନ୍ଦର ପ୍ରକଳ୍ପ ସହିତ, ଏହି କ୍ଷେତ୍ର ବିକାଶ ପ୍ରସଙ୍ଗରେ ବହୁତ ଆଗରେ ରହିବାକୁ ବାଧ୍ୟ । ଶ୍ରୀ ମୋଦୀ କହିଥିଲେ ଯେ, “ଏହା ନରେନ୍ଦ୍ର – ଭୂପେନ୍ଦଙ୍କର ଦୁଇ ଇଞ୍ଜିନ୍ ବିଶିଷ୍ଟ ସରକାରଙ୍କର ପରିଣାମ ଅଟେ, ଯାହା କାର୍ଯ୍ୟ ଗୁଡିକୁ ଉଲ୍‌କା ପିଣ୍ଡର ଗତି ଭଳି ପୂରଣ କରିବା ପାଇଁ ଚେଷ୍ଟା କରିଥାଏ” । ଶ୍ରୀ ମୋଦୀ କହିଥିଲେ ଯେ, “ଏହା ଗୁଜରାଟର ଏକ ନୂତନ ଚେହେରା ଅଟେ ।” ଗୁଜରାଟ, ଗତ ଦୁଇ ଦଶକ ଗୁଡିକ ମଧ୍ୟରେ, ସମସ୍ତ କ୍ଷେତ୍ରରେ ପଛୁଆ ରାଜ୍ୟରୁ ଏକ ସମ୍ପନ୍ନ ଔଦ୍ୟୋଗିକ ଏବଂ କୃଷି ଉନ୍ନତ ରାଜ୍ୟରେ ପରିବର୍ତ୍ତିତ ହୋଇଛି । ବ୍ୟସ୍ତ ବନ୍ଦର ଏବଂ ଏକ ବିକାଶଶୀଳ ସମୁଦ୍ର ଉପକୂଳ ସହିତ, ଆଦିବାସୀ ଏବଂ ମାଛ ଧରାଳୀ ସମ୍ପ୍ରଦାୟର ଜୀବନରେ ମଧ୍ୟ  ଅନେକ ପରିବର୍ତ୍ତନ ଦେଖା ଦେଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗୁଜରାଟର ଲୋକ ମାନଙ୍କର କଠିନ ପରିଶ୍ରମ କାରଣରୁ ଆଜାଦୀର ଅମୃତ ମହୋତ୍ସବରେ ରାଜ୍ୟର ଯୁବଗୋଷ୍ଠୀ ମାନଙ୍କ ନିମନ୍ତେ ଏକ ନୂତନ ସ୍ୱର୍ଣ୍ଣିମ ଯୁଗ ଆରମ୍ଭ ହୋଇ ଯାଇଛି । ସେ ତାଙ୍କ ବକ୍ତବ୍ୟରେ ଆହୁରି ମଧ୍ୟ ଯୋଡିଥିଲେ ଯେ, ଆମେ ପ୍ରତିବନ୍ଧକ ମୁକ୍ତ ଏକ ସକ୍ଷମ ପରିବେଶ ସୃଷ୍ଟି କରିବା ଏବଂ ଏହି ସୁଯୋଗକୁ ହାତଛଡା କରିବା ଉଚିତ୍ ନୁହେଁ । ସେ କହିଥିଲେ ଯେ, ଏହି ସ୍ୱପ୍ନ ଗୁଡିକୁ ସାକାର କରିବା ନିମନ୍ତେ ନୀତି ଏବଂ ଉଦ୍ଦେଶ୍ୟ  (ନୀତି ଏବଂ ନିୟତ) ଦୁଇଟିର ଆବଶ୍ୟକତା ରହିଛି ।  ସେ ଭରୁଚରେ ଉନ୍ନତ ଆଇନ୍ ଏବଂ ଶୃଙ୍ଖଳା ସମ୍ପର୍କରେ ମଧ୍ୟ କହିଥିଲେ । ସେ ଏହା ମଧ୍ୟ ମନେ ପକାଇଥିଲେ ଯେ, କିଭଳି ଗତ କିଛି ବର୍ଷ ମଧ୍ୟରେ କୃଷି, ସ୍ୱାସ୍ଥ୍ୟ ଏବଂ ପାନୀୟ ଜଳର ସ୍ଥିତିରେ ପରିବର୍ତ୍ତନ ଦେଖ।  ଦେଇଛି । ସେ ମନେ ପକାଇ ଥିଲେ ଯେ, କିଭଳି , ମୁଖ୍ୟମନ୍ତ୍ରୀ ରୂପରେ, ସେ ଗୋଟିଏ ସମୟରେ ଗୋଟିଏ ପ୍ରସଙ୍ଗକୁ ସାମନା କରିଛନ୍ତି ଏବଂ ସେ ତାର ସମାଧାନ କରିଛନ୍ତି । “ଆଜି, ପିଲାମାନେ କର୍ଫ୍ୟୁ ଶବ୍ଦ କ’ଣ ଜାଣି ନାହାନ୍ତି, ଯାହା ପୂର୍ବରୁ ବହୁତ ସାଧାରଣ ଥିଲା । ଆଜି, ଆମ ଝିଅ ମାନେ ସମ୍ମାନର ସହିତ ବଂଚୁଛନ୍ତି, ବିଳମ୍ବ ପର୍ଯ୍ୟନ୍ତ କାର୍ଯ୍ୟ କରୁଛନ୍ତି ଏବଂ ସମୁଦାୟର ନେତୃତ୍ୱ ନେଉଛନ୍ତି ବୋଲି ସେ କହିଥିଲେ । ଏହି ଭଳି ଭାବେ ଭରୁଚରେ ଶିକ୍ଷାର ସୁବିଧା ଆସିଛି, ଯେଉଁଥିରେ ଯୁବଗୋଷ୍ଠୀ ମାନଙ୍କୁ ନୂତନ ସୁଯୋଗ ମିଳି ପାରୁଛି । ଦୀର୍ଘ ଅବଧିର ଯୋଜନା ଏବଂ କମ୍ ବ୍ୟବହାର କରା ଯାଇଥିବା ସମ୍ବଳ ଗୁଡିକର ଲାଭ ଉଠାଇବା କାରଣରୁ, ଗୁଜରାଟ ଏକ ଉତ୍ପାଦନସ୍ଥଳୀ, ଔଦ୍ୟୋଗିକ ଏବଂ ବ୍ୟବସାୟିକ କେନ୍ଦ୍ର ରୂପରେ ମୁଣ୍ଡ ଟେକିଛି ଏବଂ ଅନେକ ବିଶ୍ୱ ସ୍ତରୀୟ ସୁବିଧା ମଧ୍ୟ ଏଠାରେ ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦୁଇ ଇଞ୍ଜିନ୍ ବିଶିଷ୍ଟ ସରକାର ଦୁଇ ପ୍ରକାର ଲାଭର ଏକ ବଡ ଉଦାହରଣ ହୋଇ ଯାଇଛି ।

ପ୍ରଧାନମନ୍ତ୍ରୀ ତାଙ୍କର ‘ଭୋକାଲ – ଫର – ଲୋକାଲ୍‌’ ଆହ୍ୱାନକୁ ପୁଣି ଥରେ ଦୋହରାଇଥିଲେ । ସେ କହିଥିଲେ ଯେ, ସ୍ଥାନୀୟ ଉତ୍ପାଦ ଗୁଡିକୁ ବ୍ୟବହାର କରି ଏବଂ ଆମଦାନୀ ହେଉଥିବା ଉତ୍ପାଦ ଗୁଡିକ ଠାରୁ ଦୂରରେ ରହି ନାଗରିକ ମାନେ ଆତ୍ମନିର୍ଭର ଭାରତରେ ନିଜର ଯୋଗଦାନ ଦେଇ ପାରିବେ । ସେ ଦିପାବଳୀ ସମୟରେ ସ୍ଥାନୀୟ ଅଂଚଳରେ ପ୍ରସ୍ତୁତ ଉତ୍ପାଦ ଗୁଡିକର ବ୍ୟବହାର କରିବା ନିମନ୍ତେ ଅନୁରୋଧ କରିଥିଲେ, କାରଣ ଏହା ଯୋଗୁଁ ସ୍ଥାନୀୟ ବ୍ୟବସାୟ ଗୁଡିକୁ ଏବଂ କାରିଗର ମାନଙ୍କୁ ସହାୟତା ମିଳି ପାରିବ ।  ସେ କହିଥିଲେ ଯେ ଭାରତୀୟ ଅର୍ଥ ବ୍ୟବସ୍ଥା ୨୦୧୪ରେ ୧୦ମ ସ୍ଥାନରେ ରହିଥିବା ବେଳେ ଏବେ ଏହା ପଂଚମ ସ୍ଥାନରେ ପହଂଚି ଯାଇଛି । ଏହି ଅନୁଭବ ଏହି ତଥ୍ୟ ଦ୍ୱାରା ଅଧିକ ମହତ୍ୱପୂର୍ଣ୍ଣ ଯେ, ଏହା ଫଳରେ ଭାରତ ନିଜର ପୂର୍ବ ଔପନିବେଶିକ ମାଷ୍ଟର ମାନଙ୍କୁ ପଛରେ ଛାଡି ଦେଇଛି । ସେ  କହିଥିଲେ ଯେ, ଏଥି ପାଇଁ ଯୁବ ଗୋଷ୍ଠୀ, କୃଷକ, ଶ୍ରମିକ ଛୋଟ ଏବଂ ବଡ ବ୍ୟବସାୟୀ ଏବଂ ଉଦ୍ୟୋଗପତି ମାନେ ଶ୍ରେୟର ପାତ୍ର ଅଟନ୍ତି । ସେ ଭରୁଚର ଲୋକ ମାନଙ୍କୁ ଔଷଧର ପ୍ରସ୍ତୁତି ଦ୍ୱାରା ଜୀବନ ବଂଚାଇବାର ମହତ କାର୍ଯ୍ୟରେ ସାମିଲ୍ ହୋଇଥିବା ଯୋଗୁଁ ସେମାନଙ୍କୁ ଶୁଭେଚ୍ଛା ଜଣେଇଥିଲେ । ସେ କହିଥିଲେ ଯେ, ମହାମାରୀ ଔଷଧ କ୍ଷେତ୍ରର ଗୁରୁତ୍ୱକୁ ଆହୁରି ଅଧିକ ସ୍ପଷ୍ଟ କରି ଦେଇଛି । “ଗୁଜରାଟ କରୋନା ବିରୋଧରେ ମୁକାବିଲା କ୍ଷେତ୍ରରେ ଦେଶକୁ ବହୁତ ସହାୟତା କରିଛି । ଦେଶର ଔଷଧ ରପ୍ତାନି କ୍ଷେତ୍ରରେ ଗୁଜରାଟର ଭାଗୀଦାରିତା ୨୫ ପ୍ରତିଶତ ରହିଛି ।”

ପ୍ରଧାନମନ୍ତ୍ରୀ ସେହି ସମୟକୁ ମଧ୍ୟ ମନେ ପକାଇ ଥିଲେ ଯେ, ଯେତେବେଳେ ଭରୁଚରେ କିଛି ଉପଦ୍ରବୀ ବିକାଶର ରାସ୍ତାରେ ପ୍ରତିବନ୍ଧକ ସୃଷ୍ଟି କରିଥିଲେ । ସେ କହିଥିଲେ ଯେ, “ଯେତେବେଳେ ଆମେ ୨୦୧୪ରେ କ୍ଷମତାକୁ ଆସିଥିଲୁ ଏବଂ ଗୁଜରାଟ ନରେନ୍ଦ୍ର ଏବଂ ଭୂପେନ୍ଦ୍ରଙ୍କର ଦୁଇ ଇଞ୍ଜିନ୍ ଶକ୍ତିକୁ ଅନୁଭବ କଲା, ତେଣୁ ସମସ୍ତ ପ୍ରତିବନ୍ଧକ ଗୁଡିକ ଦୂର ହୋଇ ଗଲା ।” ପ୍ରଧାନମନ୍ତ୍ରୀ ସର୍ଦ୍ଦାର ସରୋବର ଡ୍ୟାମ୍‌ର ବିକାଶ ସମୟରେ ସହରୀ ନକ୍ସଲ ମାନଙ୍କ ଦ୍ୱାରା କରା ସୃଷ୍ଟି କରା ଯାଇଥିବା ପ୍ରତିବନ୍ଧକ ଗୁଡିକ ଆଡକୁ ଇସାରା କରିଥିଲେ । ଝାଡଖଣ୍ଡ, ବିହାର, ଓଡିଶା, ଛତିଶଗଡ ଏବଂ ମଧ୍ୟ ପ୍ରଦେଶ ଏବଂ ମହାରାଷ୍ଟ୍ରର କିଛି ଅଂଶ ଗୁଡିକରେ ନକ୍ସଲ ମାନଙ୍କର ବ୍ୟାପକତା ଆଡକୁ ଇସାରା କରି, ପ୍ରଧାନମନ୍ତ୍ରୀ ଗୁଜରାଟର ଆଦିବାସୀ ସମୁଦାୟ ମାନଙ୍କର ପ୍ରଶଂସା କରିଥିଲେ, ଯେଉଁମାନେ ଗୁଜରାଟ ରାଜ୍ୟରେ ନକ୍ସଲ ମାନଙ୍କୁ ବ୍ୟାପିବାକୁ ଦେଇ ନଥିଲେ ଏବଂ  ରାଜ୍ୟର ଲୋକ ମାନଙ୍କ ଜୀବନକୁ ସେମାନଙ୍କ ଠାରୁ ବଂଚାଇଥିଲେ । ପ୍ରଧାନମନ୍ତ୍ରୀ ରାଜ୍ୟରେ ସହରୀ ନକ୍ସଲଙ୍କୁ ନିଜର ଆସ୍ଥାନ ଜମେଇବାକୁ ନଦେବା ନିମନ୍ତେ ସତର୍କ କରି ଦେଇଥିଲେ । ସେ କହିଥିଲେ ଯେ, ବିଜ୍ଞାନ ଏବଂ ଗଣିତରେ ଉତ୍ତମ ଶିକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ ନକରି, ସରକାରୀ ପ୍ରୟାସ ଗୁଡିକ ଦ୍ୱାରା କରାଯାଉଥିବା ସକାରାତ୍ମକ କାର୍ଯ୍ୟ ଏବଂ ଅନ୍ୟ ଯୋଜନା ଗୁଡିକୁ ଉଚିତ୍ ଲାଭ ମିଳିବା ସମ୍ଭବପର ନୁହେଁ । ଆଜି,  ଆଦିବାସୀ ଯୁବଗୋଷ୍ଠୀ ମାନେ ପାଇଲଟ୍ ତାଲିମ୍ ନେଉଛନ୍ତି, ପ୍ରଶିକ୍ଷଣ ଲାଭ କରି ଡାକ୍ତର, ବୈଜ୍ଞାନିକ ଏବଂ ଓକିଲ ହେଊଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଦିବାସୀ ସମୁଦାୟ ରାଜ୍ୟ ଏବଂ ଦେଶର ବିକାଶର ଯାତ୍ରାରେ ବହୁତ ଯୋଗଦାନ ଦେଇଛନ୍ତି, ଏବଂ ସେମାନଙ୍କର ଯୋଗଦାନକୁ ସମ୍ମାନ କରିବା ନିମନ୍ତେ ସରକାର  ଜନଜାତୀୟ ଗୌରବ ଦିବସ,  ଯାହା ବୀର ଆଦିବାସୀ ସ୍ୱାଧୀନତା ସେନା ନାୟକ ଭଗବାସ ବିର୍ସା ମୁଣ୍ଡା, ଯାହାକୁ ସାରା ଦେଶରେ ଆଦିବାସୀ ସମ୍ପ୍ରଦାୟ ମାନଙ୍କ ଦ୍ୱାରା ସମ୍ମାନିତ କରା ଯାଇଥାଏ , ତାଙ୍କ ଜୟନ୍ତୀରେ ଉତ୍ସର୍ଗୀକୃତ କରିବା ନିମନ୍ତେ ଘୋଷଣା କରିଥିଲେ ।

ସମ୍ବୋଧନର ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭରୁଚ ଏବଂ ଅଙ୍କଲେଶ୍ୱରର ବିକାଶ ଅହମ୍ମଦାବାଦ ଏବଂ ଗାନ୍ଧି ନଗର ଭଳି ବିକାଶର ଯମଜ ସହର ମଡେଲ୍ (ଟ୍ୱିନ୍ ସିଟି ମଡେଲ୍ ଅଫ୍ ଡେଭଲପମେଂଟ) ଅନୁସାରେ କରା ଯାଉଛି । “ଲୋକମାନେ ଭରୁଚ ଏବଂ ଅଙ୍କଲେଶ୍ୱର ସମ୍ପର୍କରେ ଆଲୋଚନା କରିବାକୁ ଯାଉଛନ୍ତି, ଯେମିତି ସେମାନେ ନ୍ୟୁୟର୍କ ଏବଂ ନ୍ୟୁ ଜର୍ସି ସମ୍ପର୍କରେ ଆଲୋଚନା କରିଥାନ୍ତି”, ବୋଲି କହି ସେ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ ।

ଏହି ଅବସରରେ ଗୁଜରାଟର ମୁଖ୍ୟମନ୍ତ୍ରୀ, ଶ୍ରୀ ଭୂପେନ୍ଦ୍ର ପଟେଲ, କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭୀୟ ଏବଂ ସଂସଦର ସଦସ୍ୟ ଶ୍ରୀ ସି. ଆର୍‌. ପାଟିଲ୍ ଏବଂ ଶ୍ରୀ ମନସୁଖ ବସାଭା ପ୍ରମୁଖ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଭାରତକୁ ଫାର୍ମାସ୍ୟୁଟିକାଲ୍ କ୍ଷେତ୍ରରେ ଆତ୍ମନିର୍ଭର କରିବା ପାଇଁ ଆଉ ଏକ ପଦକ୍ଷେପ ନେଇ, ପ୍ରଧାନମନ୍ତ୍ରୀ ଜମ୍ବୁସରରେ ବଲ୍କ ଡ୍ରଗ୍ ପାର୍କର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ୨୦୨୧ – ୨୨ରେ, ସମୁଦାୟ ଔଷଧୀୟ ସାମଗ୍ରୀର ଆମଦାନୀରେ ୬୦%ରୁ ଅଧିକ ଭାଗ ଔଷଧ ଗୁଡିକର ରହିଥିଲା । ଏହି ପ୍ରକଳ୍ପ ଆମଦାନୀ ପ୍ରତିସ୍ଥାପନକୁ ସୁନିଶ୍ଚିତ କରିବା ଏବଂ ଅଧିକ ଔଷଧ ନିମନ୍ତେ ଭାରତକୁ ଆତ୍ମନିର୍ଭର କରିବା ପାଇଁ ସହାୟତା କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ପ୍ରଧାନମନ୍ତ୍ରୀ ଦହେଜ ଠାରେ ଗଭୀର ସମୁଦ୍ର ପାଇପଲାଇନ୍ ପ୍ରକଳ୍ପର ମଧ୍ୟ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ, ଯାହା ଔଦ୍ୟୋଗିକ ଏକକ ଗୁଡିକ ଦ୍ୱାରା ଉପଚାରିତ ହୋଇଥିବା ଆବର୍ଜନା ଜଳ ସମସ୍ୟାର ସମାଧାନ କରିବାରେ ସହାୟତା କରିବ ।

ଯେଉଁ ଅନ୍ୟ ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ପ୍ରଧାନମନ୍ତ୍ରୀ ସ୍ଥାପନ କରିଥିଲେ, ସେଗୁଡିକ ମଧ୍ୟରେ ଅଙ୍କଲେଶ୍ୱର ବିମାନ ବନ୍ଦରର ପ୍ରଥମ ପର୍ଯ୍ୟାୟ ଏବଂ ଅଙ୍କଲେଶ୍ୱର ଏବଂ ପନୋଲିରେ ବହୁସ୍ତରୀୟ ଔଦ୍ୟୋଗିକ ଶିଳ୍ପ ଶେଡ୍‌ର ବିକାଶ, ଯାହା ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବ ସେସବୁ ସାମିଲ୍ ଅଟେ ।

ପ୍ରଧାନମନ୍ତ୍ରୀ ଅନେକ ଔଦ୍ୟୋଗିକ ପାର୍କ ଗୁଡିକର ବିକାଶ ନିମନ୍ତେ ଶିଳାନ୍ୟାସ କରିଥିଲେ । ଏଥିରେ ଚାରିଟି ଜନଜାତୀୟ ଔଦ୍ୟୋଗିକ ପାର୍କ ଗୁଡିକ ସାମିଲ୍ ଅଟେ, ଯାହା ବାଲିଆ, (ଭରୁଚ), ଅମିରଗଡ (ବନସକଣ୍ଠା), ଚକାଲିୟା (ଦାହୋଡ) ଏବଂ ବାନର (ଛୋଟା ଉଦୟପୁର)ରେ ରହିଛି । ଅନ୍ୟ ପାର୍କ ଗୁଡିକ ମଧ୍ୟରେ ମୁଦେଥା (ବନସକଣ୍ଠା) ଠାରେ କୃଷି ଭିତ୍ତିକ ପାର୍କ,  କକୱାଡି ଦାନ୍ତି (ବଲସାଦ) ଠାରେ ସାମୁଦ୍ରିକ ଖାଦ୍ୟ ପାର୍କ ; ଏବଂ ଖାଣ୍ଡିବାବ୍ (ମହିସାଗର)ରେ ଏମ୍‌ଏସ୍‌ଏମ୍‌ଇ ପାର୍କ ରହିଛି ।

କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଅନେକ ପ୍ରକଳ୍ପ ଗୁଡିକର ଉତ୍ସର୍ଗ କରିଥିଲେ, ଯାହା ରସାୟନ କ୍ଷେତତ୍ରକୁ ପ୍ରୋତ୍ସାହନ ଦେବ । ସେ ଦହେଜରେ ୧୩୦ ମେଗାୱାଟ୍‌ର କୋଜେନେରେସନ ପାୱାର ପ୍ଲାଂଟ ସହିତ ସମନ୍ୱିତ ୮୦୦ ଟିପିଡି କଷ୍ଟିକ୍ ସୋଡା ପ୍ଲାଂଟ୍‌କୁ ମଧ୍ୟ ଉତ୍ସର୍ଗୀକୃତ କରିଥିଲେ । ଏହା ସହିତ ସେ ଦହେଜ ଠାରେ ରହିଥିବା କଷ୍ଟିକ୍ ସୋଡା ୟୁନିଟ୍‌ର ବିସ୍ତାରକୁ ମଧ୍ୟ ଉତ୍ସର୍ଗ କରିଥିଲେ, ଯାହାର କ୍ଷମତା ଦୈନିକ ୭୮୫ ମେଟ୍ରିକ୍ ଟନ୍‌ରୁ ବୃଦ୍ଧି କରାଯାଇ  ଦୈନିକ ୧୩୧୦ ଟନ୍ କରି ଦିଆଯାଇଛି । ପ୍ରଧାନମନ୍ତ୍ରୀ ଦହେଜରେ ପ୍ରତି ବର୍ଷ ଏକ ଲକ୍ଷ ମେଟ୍ରିକ୍ ଟନ୍‌ରୁ ଅଧିକ କ୍ଲୋରୋମିଥେନ୍‌ର ଉତ୍ପାଦନ ନିମନ୍ତେ ଏକ ପ୍ରକଳ୍ପକୁ ମଧ୍ୟ ଉତ୍ସର୍ଗ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉତ୍ସର୍ଗୀକୃତ ଅନ୍ୟ ପ୍ରକଳ୍ପ ଗୁଡିକ ମଧ୍ୟରେ ଦହେଜରେ ହାଇଡ୍ରୋଜେନ୍ ହାଇଡ୍ରେଟ୍ ପ୍ଲାଂଟ ଅନ୍ତର୍ଭୁକ୍ତ ଅଟେ, ଯାହା ଉତ୍ପାଦର ଆମଦାନୀ ପ୍ରତିସ୍ଥାପନରେ ସହାୟତା କରିବ, ଆଇଓସିଏଲ୍ ଦହେଜ – କୋୟଲି ପାଇପ୍‌ଲାଇନ୍ ପ୍ରକଳ୍ପ, ଭରୁଚ ଅଣ୍ଡରଗ୍ରାଉଣ୍ଡ ଡ୍ରେନେଜ୍ ଏବଂ ଏସ୍‌ଟିପି କାର୍ଯ୍ୟ ଏବଂ ଉମଲା ଆଶା ପନେଥା ସଡକକୁ ଚଉଡା ଏବଂ ମଜଭୁତ କରିବା ଇତ୍ୟାଦି ପ୍ରକଳ୍ପ ରହିଛି ।