ନୂଆଦିଲ୍ଲୀ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅନ୍ତିମ ସଂସ୍କାରରେ ଯୋଗଦାନ କରିବା ପାଇଁ ଆଜି ସନ୍ଧ୍ୟାରେ ଟୋକିଓ ଯାତ୍ରା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆବେଙ୍କ ସମୟରେ ଭାରତ-ଜାପାନ ଦ୍ୱିପାକ୍ଷିକ ସମ୍ପର୍କ ବେଶ ଦୃଢ଼ ହୋଇଥିଲା । ଆବେଙ୍କ କୁଟନୈତିକ ପଦକ୍ଷେପକୁ ତାରିଫ କରିଛନ୍ତି ମୋଦୀଜୀ । ଆବେଙ୍କ ଅନ୍ତିମ ସଂସ୍କାରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ୧୦୦ଟି ଦେଶର ବିଶିଷ୍ଟ ପଦାଧିକାରୀ ଯୋଗଦେବାର ଅଛି ।
ପ୍ରଧାନମନ୍ତ୍ରୀ ମୋଦୀ ଟୋକିଓରେ କିଛି ବିଦେଶୀ ନେତାଙ୍କୁ ଭେଟିବାର ସୁରାକ୍ ମିଳିଛି । ଏଠାରେ ଜଣାଇ ଦେଉଛୁ ଯେ ଜୁଲାଇ ୮ ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମୟରେ ସିଞ୍ଜୋ ଆବେ ଗୁଳିମାଡ଼ର ଶିକାର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ଡାକ୍ତରମାନେ ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ସିଞ୍ଜୋ ଆବେଙ୍କ ପତ୍ନୀ ଓ ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦାଙ୍କୁ ଭେଟିବେ ।