୧୪ ଦିନ ପାଇଁ ହାଜତକୁ ଗଲେ ଆପ୍‌ ବିଧାୟକ

ନୂଆଦିଲ୍ଲୀ: ଦିଲ୍ଲୀ ୱାକଫ୍‌ ବୋର୍ଡ ଅର୍ଥ ତୋଷରପାତ ସମେତ ଆହୁରି କିଛି ମାମଲାର ବିଚାର କରି ନିମ୍ନ ଅଦାଲତ ଆପ୍‌ ବିଧାୟକ ଅମାନତୁଲ୍ଲା ଖାନ୍‌ଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗ ହାଜତକୁ ପଠାଇ ଦେଇଛନ୍ତି । ଦିଲ୍ଲୀ ପୁଲିସ ତାଙ୍କୁ ସେପ୍ଟେମ୍ବର ୧୬ ତାରିଖ ଦିନ ଗିରଫ କରିଥିଲା । ଏହା ପୂର୍ବରୁ ଦୁର୍ନୀତି ନିବାରଣ ସଂସ୍ଥା ଅଭିଯୁକ୍ତ ଅମାନତୁଲ୍ଲାଙ୍କୁ ୫ ଦିନ ପାଇଁ ହେପାଜତକୁ ନେଇ ବିଭିନ୍ନ ପ୍ରସଙ୍ଗରେ ଜେରା କରିଥିଲା । କୋର୍ଟଙ୍କଠାରୁ ଅନୁମତି ପାଇ ଦୁର୍ନୀତି ନିବାରଣ ସଂସ୍ଥା ଅମାନତୁଲ୍ଲାଙ୍କୁ ସେପ୍ଟେମ୍ବର ୨୧ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ନିଜ ହେପାଜତରେ ରଖିଥିଲା । ବିଧାୟକ ଅମାନତୁଲ୍ଲାଙ୍କ କେତୋଟି ଠିକଣା ଉପରେ ପୁଲିସ ଚଢ଼ାଉ କରି ବହୁ ସମ୍ବେଦନଶୀଳ କାଗଜପତ୍ର ଜବତ କରିଛି ।

 

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରତିକ୍ରିୟାରେ କହିଛନ୍ତି ଯେ ଆପ୍‌ର ପଞ୍ଜାବ ବିଜୟକୁ ସହିପାରୁନି ବିଜେପି । ଆପ୍‌ ନେତାଙ୍କର ଦୃଢ଼ ମନୋବଳକୁ ଦୁର୍ବଳ କରିବା ପାଇଁ ବିଜେପି ପକ୍ଷରୁ ନାନା ଉପାୟ ଜାରି ରହିଛି । ଲୋକସଭା ନିର୍ବାଚନ ପୂର୍ବରୁ ଆପ୍‌କୁ ଖଣ୍ଡଖଣ୍ଡ କରିଦେବାର ଲକ୍ଷ୍ୟ ରଖିଛି ବିଜେପି ଯାହା କେବେବି ଫଳବତୀ ହେବନି ।