ସାରାବିଶ୍ୱରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ନମ୍ବର

ବିଶ୍ୱ ଲୋକପ୍ରିୟ ନେତା ତାଲିକାର ୧୧ ନମ୍ବରରେ ଆମେରିକା ରାଷ୍ଟ୍ରପତି ବାଇଡେନ୍‌ ଅଛନ୍ତି….

ନୂଆଦିଲ୍ଲୀ: ସାରାବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ନମ୍ବର ଲୋକପ୍ରିୟ ନେତା ଭାବେ ମନୋନୀତ ହୋଇଛନ୍ତି । ଆମେରିକା ଡେଟା ଇଂଟେଲିଜେନ୍ସ ଫାର୍ମ ‘ଦି ମର୍ଣ୍ଣିଂ କନ୍‌ସଲ୍ଟ’ ସର୍ବେକ୍ଷଣ ମୁତାବକ ୭୫ ଭାଗ ରେଟିଂ ପାଇ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ରାଷ୍ଟ୍ରପତି ଜୋଏ ବାଇଡେନ୍‌ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥୋନୀ ଆଲବେନେସ୍‌ଙ୍କ ସମେତ ୨୨ଟି ଦେଶର ନେତାଙ୍କୁ ପଛରେ ପକାଇଛନ୍ତି । ବିଶ୍ୱ ଲୋକପ୍ରିୟ ନେତା ତାଲିକାର ୧୧ ନମ୍ବରରେ ଆମେରିକା ରାଷ୍ଟ୍ରପତି ବାଇଡେନ୍‌ ଅଛନ୍ତି । ମେକ୍‌ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ ମ୍ୟାନୁଏଲ୍‌ ଲୋପେଜ ଓବ୍ରାଡାର ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତୃତୀୟ ସ୍ଥାନରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥୋନୀ ଅଛନ୍ତି । ଚଳିତ ଅଗଷ୍ଟ ୧୭ରୁ ୨୩ ତାରିଖ ଭିତରେ ସର୍ଭେ କରାଯାଇଥିଲା ।

୨୦୨୧ ମେ’ ମାସରେ କରୋନାର ଦ୍ୱିତୀୟ ଲହର ହୁହୁ ବଢ଼ିଚାଲିଥିଲା । ଡାକ୍ତରଖାନାରେ ଅକ୍ସିଜେନ୍‌ ଘୋର ଅଭାବ କାରଣରୁ ଲୋକମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ । ସେତେବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ବହୁମାତ୍ରାରେ କମିଯାଇଥିଲା । ତେବେ ଚତୁରତାର ସହ ମୋଦୀଙ୍କ ସରକାର ପୁଣି ଲୋକପ୍ରିୟତା ଫେରି ପାଇଥିଲା । ୨୦୨୦ ମେ’ ମାସରେ ମୋଦୀଙ୍କ ଲୋକପ୍ରିୟତା ଶିଖରକୁ ଛୁଇଁଥିଲା । ସେତେବେଳେ ଭାରତ କରୋନା କବଳରୁ ମୁକୁଳିବା ଆରମ୍ଭ କରିଥିଲା ।