୪୦ ବର୍ଷ ପରେ କୁଏତ ଯିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ୪୦ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁଏତ ଯିବେ । ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହେବ । କୁଏତ ଗସ୍ତ ପ୍ରଧାନମନ୍ତ୍ରୀଙ୍କ ଏହି ଯୋଜନା ପଶ୍ଚିମ ଏସିଆର ଦେଶ ସହ ସମ୍ପର୍କକୁ ମଜବୁତ କରିବା । ଅନ୍ୟପକ୍ଷରେ ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ କୁଏତ ନିବେଶକଙ୍କୁ ଭାରତ ଆସିବାକୁ ଆମନ୍ତ୍ରଣ କରିବା ସହ ପ୍ରତିରକ୍ଷା ସହଯୋଗ ବୃଦ୍ଧି ପାଇଁ ମଧ୍ୟ ଉଦ୍ୟମ କରାଯିବ ।

ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଆସନ୍ତା ଜାନୁଆରୀରେ ପ୍ରଧାନମନ୍ତ୍ରୀ ମୋଦି କୁଏତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ ଦେଶର ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବାକୁ ଉଦ୍ୟମ କରାଯିବ । କୁଏତ ସହ ଭାରତର ସମ୍ପର୍କ ଘନିଷ୍ଠ ରହିଛି । କୋଭିଡ ବେଳେ ଅମ୍ଳଜାନ ସିଲିଣ୍ଡର ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଉପକରଣ ପଠାଇ ଭାରତକୁ ସାହାଯ୍ୟ କରିଥିଲା । କୁଏତର ସମର୍ଥନ ପାଇଁ ଧନ୍ୟବାଦ ଜଣାଇବା ପାଇଁ କୁଏତର ଅମିର ଶେଖ ନୱାଫ ଅଲ-ଅହମ୍ମଦଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଲେଖିଥିବା ଚିଠି ନିଜେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ନେଇ ସେଠାରେ ପହଞ୍ଚିଥିଲେ ।