ବିବିସି ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆୟକର ଚାବୁକ

କଂଗ୍ରେସ କହିଲା ‘ଅଘୋଷିତ ଜରୁରୀକାଳୀନ ଶାସନ’

ବିଜେପିର ପାଲଟା ଜବାବ, ‘ଇନ୍ଦିରାଜୀଙ୍କୁ ମନେପକାଅ’…

ନୂଆଦିଲ୍ଲୀ: ବିବିସି’ର ଦିଲ୍ଲୀ ଓ ମୁମ୍ବାଇ ଅଫିସ ଉପରେ ଆୟକର ବିଭାଗ ଚଢ଼ଉ କରିଛି । ମଙ୍ଗଳବାର ସକାଳ ପ୍ରାୟ ୧୧ଟାରେ ଆୟକର ଅଧିକାରୀମାନେ ବିବିସି ଅଫିସରେ ପହଂଚି ବିଭିନ୍ନ ହିସାବପତ୍ର ଖୋଳତାଡ଼ କରିଛନ୍ତି । ବିବିସି ଉପରେ ଆନ୍ତର୍ଜାତିକ ଟିକସ ହେରଫେର ଅଭିଯୋଗ ଅଣାଯାଇଛି । ଏହି ଖବରକୁ ବିବିସି ଟ୍ୱିଟ୍‌ କରି ସମସ୍ତଙ୍କୁ ଅବଗତ କରିଛି- ଆୟକର ବିଭାଗ ଆମର ଦିଲ୍ଲୀ ଓ ମୁମ୍ବାଇ ଅଫିସରେ ଅଛନ୍ତି । ଆମେ ତାଙ୍କୁ ପୂର୍ଣ୍ଣ ସହଯୋଗ କରୁଛୁ । ତଦନ୍ତ ପ୍ରକ୍ରିୟା ଚାଲିଛି ।

କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ସମାଲୋଚନା କରି କଂଗ୍ରେସ ଟ୍ୱିଟ୍‌ କରି ‘ଅଘୋଷିତ ଜରୁରୀକାଳୀନ ଶାସନ’ ଉଲ୍ଲେଖ କରିଛି । କଂଗ୍ରେସକୁ ପାଲଟା ଜବାବ ଦେଇ ବିଜେପି ନେତା ଗୌରବ ଭାଟିଆ ୫୨ ବର୍ଷ ତଳର ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ବିବିସି ବିରୋଧୀ ଅଭିଯାନକୁ ଆକ୍ଷେପ କରିଛନ୍ତି । ଭାଟିଆ ଟ୍ୱିଟ୍‌ କରିଛନ୍ତି-କଂଗ୍ରେସ ଭୁଲିଯାଇଛି ଯେ ୧୯୭୦ରେ ଗୋଟିଏ ପ୍ରାମାଣିକ ଚିତ୍ରକୁ କେନ୍ଦ୍ର କରି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ବିବିସି ଉପରେ କଟକଣା ଲାଗୁ କରିଥିଲେ ।

ଦିଲ୍ଲୀର କେଜି ମାର୍ଗ ଅଂଚଳରେ ଏଚ୍‌ଟି ଟାୱାରଟିର ପଂଚମ ଓ ଷଷ୍ଠ ମହଲାରେ ବିବିସି ଅଫିସ ରହିଛି । ଆୟକର ବିଭାଗରେ ୨୪ ଜଣିଆ ଟିମ୍‌ ଉକ୍ତ ଅଫିସରେ ଆଡ୍ଡା ଜମାଇଛନ୍ତି । ମୁମ୍ବାଇର ସାନ୍ତାକ୍ରୁଜ ଅଂଚଳରେ ବିବିସିର ଷ୍ଟୁଡିଓ ରହିଛି । ଆୟକର ଅଧିକାରୀମାନେ ସେଠାରେ ପହଂଚି ଆର୍ଥିକ ବିଭାଗର ମୋବାଇଲ, ଲାପଟପ୍‌-ଡେସ୍କ ଟପ୍‌ ଜବତ କରିଛନ୍ତି । ଚଢ଼ାଉ ପୂର୍ବରୁ ଆୟକର ଅଧିକାରୀମାନେ ବିବିସି କର୍ମଚାରୀଙ୍କୁ ସେମାନଙ୍କର ମୋବାଇଲ୍‌ ବନ୍ଦ କରିବାକୁ ଆଦେଶ ଦେଇଥିଲେ । ଆୟକର ଅଧିକାରୀମାନେ କମ୍ପାନୀର ବ୍ୟବସାୟ ପରିଚାଳନା ଅଫିସକୁ ଚଢ଼ାଉ କରିଛନ୍ତି । ପ୍ରମୋଟର ଓ ଡାଇରେକ୍ଟରଙ୍କ ଘର ଉପରେ ଆୟକର ଛାଟ ମରାଯାଇନି ।