ତୁ ଯେତେ ମାଠିବୁ ମାଠ: କଂଗ୍ରେସର ଦୟନୀୟ ସ୍ଥିତି ସୁଧୁରିବନି

କଂଗ୍ରେସରେ ବିଜୟବାବୁଙ୍କ ଯୋଗଦାନକୁ ଦଳର ବହୁ ବରିଷ୍ଠ ନେତା ସ୍ୱାଗତ କରିଛନ୍ତି….

ଭୁବନେଶ୍ୱର: ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦାନ କରିଛନ୍ତି । ତାଙ୍କ ଦିଗଦର୍ଶନ ବଳରେ କଂଗ୍ରେସ ନୂଆ ଜୀବନ ପାଇବ ବୋଲି ବହୁ ଦଳୀୟ ନେତା ଆଶା ପ୍ରକାଶ କରିଛନ୍ତି । କିନ୍ତୁ ରାଜ୍ୟ ରାଜନୀତିକୁ ଅନୁଶୀଳନ କରୁଥିବା ବିଶିଷ୍ଟ ବୁଦ୍ଧିଜୀବୀଙ୍କ ମତାମତ ଭିନ୍ନ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି । ଦୀର୍ଘଦିନ ଧରି ପ୍ରଶାସନିକ ଅଳିନ୍ଦରେ ଥିବାରୁ ବିଜୟବାବୁ କ୍ଷମତାସୀନ ସରକାରଙ୍କର ଦୋଷ ଦୁର୍ବଳତା ବାଛିବାରେ ଧୁରନ୍ଧର; କିନ୍ତୁ ନିଜର ପତିଆରା ଦେଖାଇବାକୁ ହେଲେ ଯେ ଅନ୍ୟର ଦୋଷ ଦୁର୍ଗୁଣକୁ ଅସ୍ତ୍ର କରିବା କେତେ ଦୂର ଯଥାର୍ଥ; ତାହା ବିଜୟବାବୁ ଭଲ ଭାବରେ ଜାଣିଛନ୍ତି ।

ଖୋଲାକଥା ହେଉଛି, ବିଜୟବାବୁ ବୁଦ୍ଧି ଖଟାଇ କଂଗ୍ରେସକୁ ଆଶାଜନକ ସ୍ଥିତିରେ ପହଂଚାଇଲେ ମଧ୍ୟ ସର୍ବୋଚ୍ଚ ସ୍ଥାନରେ ସୋନିଆ-ରାହୁଲଙ୍କ ରାୟ ସର୍ବମାନ୍ୟ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ୍‌ଗେ ହେଉଛନ୍ତି ସୋନିଆ-ରାହୁଲଙ୍କ ସଖି କଣ୍ଢେଇ । ଏ କଥାଟି ବିଜୟ ପଟ୍ଟନାୟକ ଭଲ ଭାବରେ ଜାଣିଛନ୍ତି । ତଥାପି ଗୋଟିଏ ରିସ୍କ ଷ୍ଟେପ୍‌ ନେଇଛନ୍ତି ।

ବିଜୟ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେବା ପରେପରେ ବେଦାନ୍ତ ଗ୍ରୁପରେ ଯୋଗଦାନ କରିଥିଲେ । ଗରିବ ପିଲାମାନଙ୍କୁ ଉଚ୍ଚକୋଟୀର ଶିକ୍ଷାଦାନ କରିବାର ପ୍ରତିଶ୍ରୁତି ଦେଇ ବେଦାନ୍ତ ଗ୍ରୁପ ରାଜ୍ୟ ସରକାରଙ୍କଠାରୁ ଶତାଧିକ ମୂଲ୍ୟବାନ ଜମି ହାତେଇଲା । ବେଦାନ୍ତ ଗ୍ରୁପର ଶିକ୍ଷା କ୍ଷେତ୍ରଟିକୁ ଦକ୍ଷତାର ସହ ପରିଚାଳନା କରି ରାଜ୍ୟର ଗରିବ ପିଲାଙ୍କୁ କମ୍‌ ଖର୍ଚ୍ଚରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବେ ବୋଲି ବିଜୟବାବୁ ଭାବିଥିଲେ । କିନ୍ତୁ ବର୍ଷ କେଇଟା ଭିତରେ ଅନୀଲ ଅଗ୍ରୱାଲଙ୍କ ଅସଲ ଉଦ୍ଦେଶ୍ୟ ସାମ୍ନାକୁ ଆସିବା ପରେ ବିଜୟବାବୁ ସମ୍ମାନର ସହ ବେଦାନ୍ତ ଗ୍ରୁପକୁ ‘ଗୁଡ୍‌ ବାଏ’ କରିଥିଲେ ।

ବିଜୟବାବୁ ବିଚକ୍ଷଣ ହୋଇପାରନ୍ତି; କିନ୍ତୁ ସୋନିଆ-ରାହୁଲଙ୍କ ଇଜଲାସରେ ବିଜୟବାବୁଙ୍କ ବିଚକ୍ଷଣତା କାଟୁ କରିବନି । ବିଜୟବାବୁଙ୍କ ଭଳି ଭଦ୍ରଲୋକ କଂଗ୍ରେସରେ ବେଶିଦିନ ତିଷ୍ଠି ପାରିବେନି । କଂଗ୍ରେସରେ ବିଜୟବାବୁଙ୍କ ଯୋଗଦାନକୁ ଦଳର ବହୁ ବରିଷ୍ଠ ନେତା ସ୍ୱାଗତ କରିଛନ୍ତି; ତା’ ସହିତ କଂଗ୍ରେସର ସୁକୁଟ ଦେଖିବାକୁ ଅପେକ୍ଷା କରିଛନ୍ତି ।