ପରୀକ୍ଷା ପେ ଚର୍ଚ୍ଚା ୨ଠ୨୩ରେ ପରୀକ୍ଷାର୍ଥୀ, ଶିକ୍ଷକ ଓ ଅଭିଭାବକଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ପରୀକ୍ଷା ପେ ଚର୍ଚ୍ଚା’ର …
ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଥର ପ୍ରଥମ କରି ‘ପରୀକ୍ଷା ପେ ଚର୍ଚ୍ଚା’ ଗଣତନ୍ତ୍ର ଦିବସ ଉତ୍ସବ ପାଳନ ଅବସରରେ ଆୟୋଜିତ ହୋଇଛି । ତେଣୁ ଯେଉଁମାନେ ଦେଶର ଅନ୍ୟାନ୍ୟ ରାଜ୍ୟରୁ ନୂଆଦିଲ୍ଲୀକୁ ଆସିଛନ୍ତି ସେମାନେ ସାଧାରଣତନ୍ତ୍ର ଦିବସ ଉତ୍ସବ ଦେଖିବାର ସୁଯୋଗ ପାଇଛନ୍ତି । ପରୀକ୍ଷା ପେ ଚର୍ଚ୍ଚାର ଗୁରୁତ୍ୱ ସର୍ବୋପରି ପ୍ରଧାନମନ୍ତ୍ରୀ ତାଙ୍କ ଅନୁଭୂତି ସମ୍ପର୍କରେ କହିଛନ୍ତି ଯେ ଏଥିପାଇଁ ତାଙ୍କୁ ଲକ୍ଷ ଲକ୍ଷ ପ୍ରଶ୍ନ ଏହି କାର୍ଯ୍ୟକ୍ରମ ଅବସରରେ ପଚରା ଯାଇଥାଏ । ଏହିସବୁ ପ୍ରଶ୍ନରୁ ସେ ପ୍ରଶ୍ନକର୍ତ୍ତାମାନଙ୍କର ବିଶେଷକରି ଦେଶର ଯୁବ ଛାତ୍ରବର୍ଗର ମନୋଭାବ ଓ ବିଚାର ଜାଣିବାର ସୁଯୋଗ ପାଆନ୍ତି । “ଏସବୁ ପ୍ରଶ୍ନ ମୋ ପାଇଁ ଏକ ମୂଲ୍ୟବାନ ସମ୍ପତ୍ତି ଭଳି ।” ପଚରାଯାଉଥିବା ସବୁ ପ୍ରଶ୍ନକୁ ଏକାଠି କରି ସାମାଜିକ ବିଜ୍ଞାନୀମାନେ ତାହକୁ ଅନୁଶୀଳନ କଲେ ତାହା ଆନନ୍ଦଦାୟକ ହେବ; କାରଣ ଯୁବ ଛାତ୍ରଛାତ୍ରୀଙ୍କ ମନୋଭାବ ଓ ଚିନ୍ତନ ଏହି ପରିବର୍ତ୍ତନଶୀଳ ସମୟରେ କ’ଣ ତାହା ଉପରେ ଏକ ସୁନ୍ଦର ସନ୍ଦର୍ଭ ପ୍ରସ୍ତୁତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ନୈରାଶ୍ୟର ମୁକାବିଲା କିପରି କରାଯିବ
ଖରାପ ନମ୍ବର ମିଳିଲେ ପରିବାରରେ ଯେଉଁ ନୈରାଶ୍ୟ ପ୍ରକାଶ ପାଏ ତାହାକୁ କିପରି ମୁକାବିଲା କରାଯିବ ଏ ନେଇ ମଦୁରାଇ କେନ୍ଦ୍ରୀୟ ବିଦ୍ୟାଳୟର ସୁଶ୍ରୀ ଅଶ୍ୱିନୀ, ନୂଆଦିଲ୍ଲୀ ପ୍ରୀତମପୁରାର କେନ୍ଦ୍ରୀୟ ବିଦ୍ୟାଳୟର ନବତେଜ ଓ ପାଟନାର ନବୀନ ବାଳିକା ସ୍କୁଲର ପ୍ରିୟଙ୍କା କୁମାରୀ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପରୀକ୍ଷାରେ ପିଲାଏ ଭଲ କରିବା ପରିବାର ଆଶା ରଖିବାରେ କିଛି ଭୁଲ ନାହିଁ । ତେବେ ଏହି ଆଶା ଯଦି ସାମାଜିକ ସ୍ଥିତିଜନକ ଆଶା ତେବେ ତାହା ଉଦବେଗଜନକ । କିଏ କ’ଣ ଆଶା ରଖୁଛି ସେଥିପ୍ରତି ବିଶେଷ ଗୁରୁତ୍ୱ ନ ଦେଇ ପରୀକ୍ଷାର୍ଥୀ ନିଜର ସାମର୍ଥ୍ୟ, ଆବଶ୍ୟକ ଓ ଅଗ୍ରାଧିକାର ଅନୁସାରେ କାମ କରିବା ଉଚିତ ଏବଂ ତଦନୁସାରେ ଫଳାଫଳକୁ ନେଇ ସନ୍ତୁଷ୍ଟ ହେବା ଆବଶ୍ୟକ । ସବୁବେଳେ ପରୀକ୍ଷାରେ ବହୁତ ଭଲ କରିବା ଏବଂ ସମସ୍ତଙ୍କ ଉଚ୍ଚ ଆଶାକୁ ପୂରଣ କରିବା ପରୀକ୍ଷାର୍ଥୀ ପକ୍ଷେ ସମ୍ଭବ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କ୍ରିକେଟ ଖେଳର ଉଦାହରଣ ଦେଇ କହିଥିଲେ ଯେ ଜଣେ ଖେଳାଳି ଦର୍ଶକଙ୍କ ଇଚ୍ଛା ଅନୁସାରେ ଛକା, ଚୌକା ସର୍ବଦା ମାରି ନଥାନ୍ତି; ସେ ଦଳର ଆବଶ୍ୟକତା ପୂରଣ ପାଇଁ ନିଜର ସାମର୍ଥ୍ୟ ଓ କୌଶଳ ମୁତାବକ ଖେଳିଥାନ୍ତି । କ୍ରିକେଟର ହୁଅନ୍ତୁ କିମ୍ବା ପରୀକ୍ଷାର୍ଥୀ ନିଜର ଦାୟିତ୍ୱ ଓ ଶିକ୍ଷା ପ୍ରତି ଧ୍ୟାନ କେନ୍ଦ୍ରିତ କରି କାର୍ଯ୍ୟ କଲେ ତାହାକୁ ସହଜରେ ଦୂରେଇ ଦେଇହୁଏ । ଚାପରୁ ସର୍ବଦା ଦୂରେଇ ରହି ନିଜର ସାମର୍ଥ୍ୟ ଅନୁସାରେ କାମ କଲେ ଉତ୍ତମ ଫଳାଫଳ ମିଳିଥାଏ । ତେଣୁ ପରୀକ୍ଷାର୍ଥୀ ଚାପକୁ ଦୂରେଇ ରହିବା ଉଚିତ । ତେବେ ଯାଇ ସେମାନଙ୍କର ପ୍ରଦର୍ଶନ ଭଲ ହେବ ।
ଆରୁଷି ଠାକୁର, କେଭି ଡେଲହାଉସି, ଅଜିତ ଦିୱାନ, କୃଷ୍ଣା ପବ୍ଲିକ ସ୍କୁଲ ରାୟପୁର ପରୀକ୍ଷା ପାଇଁ ପ୍ରସ୍ତୁତି କେଉଁଠୁ ଆରମ୍ଭ କରାଯିବ ଏବଂ ଚାପ ଯୋଗୁ ପାଠ ଭୁଲିଯିବାର ପରିସ୍ଥିତିରୁ କିପରି ମୁକୁଳିହେବ ସେ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିଲେ । ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପରୀକ୍ଷା ହେଉ ବା ଅନ୍ୟ କିଛି ସମୟର ସୁପରିଚାଳନା ଜୀବନରେ ସର୍ବଦା ଗୁରୁତ୍ୱପୂର୍ଣ୍ଣ । କାମ କଲେ ମଣିଷ କ୍ଲାନ୍ତ ହୁଏ ନାହିଁ, ବାସ୍ତବରେ କାମ ନ କଲେ ମଣିଷ କର୍ମକ୍ଲାନ୍ତ ହୋଇଥାଏ । ଛାତ୍ରଛାତ୍ରୀମାନେ ସେମାନଙ୍କୁ କିପରି କାମ ପାଇଁ ଯେଉଁ ସମୟ ଦିଆଯାଉଛି ତାହାକୁ ଭଲ ଭାବେ ମନେରଖିବା ଉଚିତ । ଯାହାକୁ ଯାହା ଭଲଲାଗେ ସେଥିପାଇଁ ଲୋକ ଅଧିକ ସମୟ ଦେଇଥାନ୍ତି ଓ ଏହା ଏକ ସାଧାରଣ କଥା । ତେଣୁ ଯେତେବେଳେ ଏକାଧିକ କାମ ଏକ ନିର୍ଦ୍ଦିଷ୍ଟ ସମୟରେ କରିବାକୁ ପଡ଼େ ସେତେବେଳେ କଠିନ ଓ ଅନାବଶ୍ୟକୀୟ କାମକୁ ଆଗ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ତରତର ବା ଉତ୍ତେଜିତ ନ ହୋଇ ଦିଆଯାଇଥିବା ପ୍ରଶ୍ନର ଉତ୍ତର ଶାନ୍ତ, ଅବିଚଳିତ ମନରେ ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେବା ସହିତ କହିଥିଲେ, ପରୀକ୍ଷାର୍ଥୀମାନେ ସମୟ ପରିଚାଳନା ବିଦ୍ୟା ଓ କୌଶଳ ଓ ନିଜର ମା’ମାନଙ୍କ ଠାରୁ ଶିଖିବା ଉଚିତ । ମା’ମାନେ ପରିବାରର ଯାବତୀୟ କାମ ଅତି ସହଜରେ ଗୋଟିଏ ପରେ ଗୋଟିଏ କରିପାରିଥାନ୍ତି । କାମରେ ଅଧିକ ଲାଭ ପାଇବା ପାଇଁ ସମୟର ବଣ୍ଟନ କରାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପରୀକ୍ଷାରେ ଅସତ ଉପାୟ ଅବଲମ୍ବନ ସମ୍ପର୍କରେ
ବସ୍ତରର ସ୍ୱାମୀ ଆତ୍ମାନନ୍ଦ ସରକାରୀ ସ୍କୁଲ ଛାତ୍ର ରୂପେଶ କାଶ୍ୟପ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ ଅବସାଦ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଜାଣିବାକୁ ଚାହିଁଥିଲେ । ସେହିଭଳି ପୁରୀ ଜିଲ୍ଲାର କୋଣାର୍କର ତନ୍ମୟ ବିଶ୍ୱାଳ କପିର ଅବସାଦ ଉପରେ ଗୁରୁତ୍ୱ ଦେଇଥିଲେ । ପ୍ରଧାନମନ୍ତ୍ରୀ ଏହି ପ୍ରଶ୍ନରେ ଖୁସିବ୍ୟକ୍ତ କରି ଅସାଧୁ ଉପାୟ ପ୍ରତି ପିଲାଙ୍କ ସଚେତନତା ବୃଦ୍ଧି ଏକ ଭଲ କଥା ବୋଲି ମତ ଦେଇଥିଲେ । ସେ କହିଥିଲେ ପରୀକ୍ଷାରେ କପି କରିବା ଓ ଅସାଧୁ ଉପାୟ ଅବଲମ୍ବନ କରି ଅନ୍ୟକୁ ଠକିବା ଏକ ବିପଜ୍ଜନକ ବିଷୟ । ପରୀକ୍ଷାରେ କପି କରିବା ଏବଂ ଅସାଧୁ ଉପାୟ ଅବଲମ୍ବନ କରିବା ଦ୍ୱାରା ଜୀବନରେ କେବେ ସଫଳତା ମିଳେ ନାହିଁ । ଏହା ଦ୍ୱାରା ପରୀକ୍ଷାର୍ଥୀ କେବଳ ନିଜକୁ ନିଜେ ଠକେ ଓ ତା’ର ଅଧ୍ୟୟନ ଓ ଶିକ୍ଷା ମୂଲ୍ୟହୀନ ପ୍ରମାଣିତ ହୁଏ । ଏଭଳି କାର୍ଯ୍ୟ ଯେଉଁମାନେ କରନ୍ତି ସେମାନେ ଜୀବନରେ କେବେ ସଫଳ ହୋଇପାରନ୍ତି ନାହିଁ । ପରିବର୍ତ୍ତିତ ସମୟରେ ଯେତେବେଳେ ଆମ ଚାରିପଟର ଜୀବନ ବଦଳୁଛି, ସେତେବେଳେ ଆମକୁ ପ୍ରତି କ୍ଷଣରେ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡୁଛି । ତେଣୁ ଜୀବନରେ ‘ସର୍ଟକଟ’ ମାର୍ଗ ସଫଳତା ଦିଏ ନାହିଁ । ରେଳ ଷ୍ଟେସନ ଅତିକ୍ରମ କରିବାକୁ ହେଲେ ସିଧା ଟ୍ରାକ ଅତିକ୍ରମ କଲେ ବିପଦ ରହିଛି; ତେଣୁ ଓଭରବ୍ରିଜ ଦେଇ ଯିବାକୁ ପଡ଼ିବ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ପରୀକ୍ଷା ଆସିବ ଓ ଯିବ; କିନ୍ତୁ ଜୀବନକୁ ପୂର୍ଣ୍ଣାଙ୍ଗ ଭାବେ ବଞ୍ଚିବାକୁ ହେବ । ସର୍ଟକଟ ନୀତି ଜୀବନକୁ ଛୋଟ କରିଦେବାର ଆଶଙ୍କା ଅଧିକ ।
କଠୋର ପରିଶ୍ରମ ବନାମ ବୁଦ୍ଧିମାନ କାମ
କେରଳର କୋଝିକୋଡ଼ରୁ ଜଣେ ଛାତ୍ର ପ୍ରଧାନମନ୍ତ୍ରୀଙ୍କୁ କଠୋର ପରିଶ୍ରମ ଓ ବୁଦ୍ଧିମାନ କାମ ବିଷୟରେ ପଚାରିଥିଲେ । ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ ଅଧା ପାଣିଥିବା କଳସୀରୁ ଏକ ଚତୁର କାଉ ଗୋଡ଼ି ପକାଇ କିପରି ସହଜରେ ପାଣି ପିଇ ପାରିଲା ସେ କାହାଣୀର ଉଦାହରଣ ଦେଇଥିଲେ । କଠୋର ପରିଶ୍ରମ ସହିତ ବୁଦ୍ଧିମତାର ମିଶ୍ରଣ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । କେବଳ କଠୋର ପରିଶ୍ରମ ଦ୍ୱାରା ସଫଳତା ମିଳି ନ ଥାଏ, ଏଥିପାଇଁ ବୁଦ୍ଧି, ବିବେକ, ଶକ୍ତି, ସାମର୍ଥ୍ୟ, କଳ୍ପନା ଓ ତାଲିମ, ଶିକ୍ଷା ଓ ଦୀକ୍ଷାର ଆବଶ୍ୟକତା ରହିଛି । ଯେଉଁ ବିଷୟ ଗୁରୁତ୍ୱପୂର୍ଣ୍ଣ ତା’ ଉପରେ କଠୋର ପରିଶ୍ରମ କରିବାକୁ ପଡ଼ିବ ଏବଂ ଏଥିରେ ବୁଦ୍ଧି ପ୍ରୟୋଗ ଜରୁରୀ ବୋଲି ସେ କହିଥିଲେ ।
ନିଜର ସାମର୍ଥ୍ୟ ଚିହ୍ନଟ କରିବା
ଗୁରୁଗ୍ରାମ ନବୋଦୟ ବିଦ୍ୟାଳୟର ଜଣେ ଛାତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଜଣେ ସାଧାରଣ ମେଧାଶକ୍ତିର ପିଲା ପରୀକ୍ଷାରେ କେମିତି ଭଲ କରିପାରିବ ସେ ବିଷୟରେ ପଚାରିଥିଲେ । ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜର ସାମର୍ଥ୍ୟ ଓ ଶକ୍ତିର ଉପଯୁକ୍ତ ଆକଳନ କରି ତଦନୁସାରେ ପରୀକ୍ଷାରେ ଫଳାଫଳ ଆଶା କରିବା ଉଚିତ । ପିତାମାତାମାନେ ମଧ୍ୟ ପିଲାର ସାମର୍ଥ୍ୟ ଓ ଦକ୍ଷତା ଦେଖି ଫଳାଫଳ ଆଶା କରିବା ଉଚିତ । ସାମର୍ଥ୍ୟ ଓ ଯୋଗ୍ୟତା ଠାରୁ ଅଧିକ ଫଳାଫଳ ଆଶା କରିବା ଠିକ ନୁହେଁ, ଏହା ମଧ୍ୟ ମିଳି ନ ଥାଏ । ସେଥିପାଇଁ ଦୁଃଖିତ ହେବାର କିଛି ନାହିଁ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଅଧିକାଂଶ ସାଧାରଣ ଶ୍ରେଣୀର । ଏହି ସାଧାରଣ ଲୋକ ଯେତେବେଳେ ଅସାଧାରଣ କାର୍ଯ୍ୟ କରନ୍ତି, ସେମାନେ ସେତେବେଳେ ସଫଳତାର ନୂଆ ଶିଖର ହାସଲ କରନ୍ତି । ତେଣୁ ବୁଦ୍ଧି ପ୍ରୟୋଗ କରି କଠୋର ପରିଶ୍ରମ କଲେ ସଫଳତା ଅବଶ୍ୟ ମିଳିବ ।
ସମାଲୋଚନାର ମୁକାବିଲା
ଚଣ୍ଡିଗଡ଼, ଅହମଦାବାଦ ଓ ବାଙ୍ଗାଲୋରର ତିନିଜଣ ବିଦ୍ୟାର୍ଥୀ ସମାଲୋଚନାର ମୁକାବିଲା କିପରି କରାଯାଇ ପାରିବ ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଉତ୍ତର ଚାହିଁଥିଲେ । ପ୍ରଧାନମନ୍ତ୍ରୀ ବିଭିନ୍ନ ଉଦାହରଣ ଦେଇ କହିଥିଲେ ଯେ ସେ ସମାଲୋଚନାକୁ ଏକ ସଂସ୍କାର ବା ବିଶୋଧନ ଯଜ୍ଞ ଭାବେ ବିଚାର କରନ୍ତି । ଏକ ସମୃଦ୍ଧିଶୀଳ ଗଣତନ୍ତ୍ରରେ ସମାଲୋଚନା ଏକ ବିଶୋଧନକାରୀ ମୌଳିକ ଉପାଦାନ ସଦୃଶ । ପ୍ରତ୍ୟେକ ବ୍ୟକ୍ତି ନିଜର କାର୍ଯ୍ୟ ପ୍ରତି ସଚେତନତା ରହିବା ଉଚିତ ଏବଂ ସମାଲୋଚନା ରହିଲେ ମଣିଷ ନିଜର କାମ ପ୍ରତି ସତର୍କ ରହିବ । ପିତାମାତାମାନେ ନିଜ ପିଲାଙ୍କ କାମ ଓ ଦୋଷ ଦୁର୍ବଳତାକୁ ନ ଲୁଚାଇ ସେମାନଙ୍କ ଦୁର୍ବଳତା ବିଷୟରେ ସେମାନଙ୍କୁ ଅବଗତ କରାଇବା ଉଚିତ । ଏହା ଦ୍ୱାରା ପିଲାଏ ଭଲ ମଣିଷ ହୋଇଥାନ୍ତି । ସଂସଦରେ ବିତର୍କବେଳର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିକାଲି ଅଧିକାଂଶ ଲୋକ ବିଭିନ୍ନ କଥାରେ ନାନା ଅଭିଯୋଗ ଆଣୁଛନ୍ତି । ଅଭିଯୋଗ ଏବଂ ସମାଲୋଚନା ସମାନ ନୁହେଁ । ଦୁଇଟି ଭିତରେ ବିରାଟ ପାର୍ଥକ୍ୟ ରହିଛି ।
ଗେମିଂ ଓ ଅନଲାଇନ ଆଡିକସନ ସମ୍ପର୍କରେ
କେତେକ ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ଇଲେକଟ୍ରୋନିକ୍ସ ସାମଗ୍ରୀ ପ୍ରତି ଯୁବ ସମାଜର ମାତ୍ରାଧିକ ଦୁର୍ବଳତା, ଗେମିଂ ଓ ଅନଲାଇନ ଆଡିକ୍ସନ ବିଷୟରେ ପ୍ରଶ୍ନ କରି ଏହାର ଉତ୍ତର ଲୋଡ଼ିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆମକୁ ପ୍ରଥମେ ସ୍ପଷ୍ଟ କରିବାକୁ ପଡ଼ିବ ଆମେ ସ୍ମାର୍ଟ ଓ ବୁଦ୍ଧିମାନ ନା ଆମ ଗ୍ୟାଜେକ୍ଟ (ଯାନ୍ତ୍ରିକ ଉପକରଣ) । ଆମେ ଆମ ସ୍ମାର୍ଟନେସ ଦ୍ୱାରା ଆମ ସ୍ମାର୍ଟ ଗ୍ୟାଜେଟକୁ ଉପଯୋଗ କରିପାରିବା । ଆମେ ଯଦି ଯନ୍ତ୍ରର ଗୋଲାମ ହୋଇଯିବା, ତା’ହେଲେ କଥା ସରିଲା । ଭଗବାନ ଆମକୁ ମୁକ୍ତ ଇଚ୍ଛା ଓ ସ୍ୱାଧୀନ ବ୍ୟକ୍ତିତ୍ୱ ଦେଇଛନ୍ତି । ତେଣୁ ଆମେ କାହିଁକି ଯନ୍ତ୍ରର ଗୋଲାମ ହେବା? ଏଥିପାଇଁ ଆମେ ସଚେତନ ରହିବା ଆବଶ୍ୟକ । ହାରାହାରି ସ୍କ୍ରିନ ଟାଇମ ବୃଦ୍ଧି ଏକ ଚିନ୍ତାଜନକ ଧାରା ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ ନୂଆ ଆଞ୍ଚଳିକ ଭାଷା ଶିକ୍ଷା, ଛାତ୍ରଛାତ୍ରୀଙ୍କୁ ଉଦବୁଦ୍ଧ କରିବାର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଭୂମିକା ସମ୍ପର୍କରେ ପିଲାମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୋଟିଏ ପରୀକ୍ଷାରେ ଜୀବନର ଅବସାନ ଘଟେ ନାହିଁ, କିମ୍ବା ତାହା ଏକମାତ୍ର ପରୀକ୍ଷା ନୁହେଁ । ତେଣୁ ଫଳାଫଳ ଘେନି ଅତି ଅଧିକ ଚିନ୍ତା କରିବା ଦୈନନ୍ଦିନ ଜୀବନର ଘଟଣା ହେବା ଅନାବଶ୍ୟକ । ଏକ ଆଞ୍ଚଳିକ ଭାଷା ଶିଖିବା ଦ୍ୱାରା କେବଳ ସେହି ଭାଷା ଶିଖି ହୁଏନାହିଁ, ଏହା ଦ୍ୱାରା ଏକ ଅଞ୍ଚଳର ଇତିହାସ ଓ ଐତିହ୍ୟର ଦ୍ୱାର ଖୋଲିଯାଏ ବୋଲି ସେ କହିଥିଲେ ।
ପିଲାମାନଙ୍କୁ ସ୍କୁଲରେ ଶାରିରୀକ ଦଣ୍ଡ ଦେବା ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ମୋ ମତରେ ଶୃଙ୍ଖଳା ଓ ଅନୁଶାସନ ପାଇଁ ଶାରିରୀକ ଦଣ୍ଡ ପ୍ରଦାନ ଠିକ ନୁହେଁ । ଏହା ପରିବର୍ତ୍ତେ ଆମକୁ ନୂଆ ବାର୍ତ୍ତା ଓ ସମ୍ପର୍କ ରକ୍ଷା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ ।”
ପରୀକ୍ଷାକୁ ଏକ ଭୟ ଓ ଆତଙ୍କ ଭାବେ ଗ୍ରହଣ ନ କରି ଏହାକୁ ସ୍ୱାଭାବିକତା ସହିତ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ ଆମେ ପରୀକ୍ଷାର ଚାପକୁ ହ୍ରାସ କରି ତାହାକୁ ଏକ ଉତ୍ସବରେ ପରିଣତ କରିବା ଉଚିତ । ଏହା ଦ୍ୱାରା ଆମର ଭୟ ଓ ଚାପ ହ୍ରାସ ପାଇବ ଏବଂ ଆମେ ସ୍ୱାଭାବିକ ଭାବେ ପରୀକ୍ଷାର ସମ୍ମୁଖୀନ ହୋଇପାରିବା ।