ସଂସଦ ଟିଭିରୁ ଆଙ୍କରିଂ ଛାଡିଲେ ପ୍ରିୟଙ୍କା ଚତୁର୍ବେଦୀ

ନୂଆଦିଲ୍ଲୀ: ସଂସଦ ଟିଭିର ଏକ କାର୍ଯ୍ୟକ୍ରମର ଆଙ୍କର ପଦରୁ ଇସ୍ତଫା ଦେଲେ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ । ରାଜ୍ୟସଭାରୁ ନିଲମ୍ବିତ ହେବା ପରେ ସେ ସଂସଦ ଟିଭି ଉପସ୍ଥାପିକା ପଦରୁ ଇସ୍ତଫା ଦେଇଛନ୍ତି । ମୌସୁମି ଅଧିବେସନ ଚାଲିଥିବା ସମୟରେ ସଦନ ମର୍ଯ୍ୟାଦା ଭଙ୍ଗ କରିଥିବା ନେଇ ୧୨ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା । ଯେଉଁଥିରେ ପ୍ରିୟଙ୍କା ମଧ୍ୟ ରହିଥିଲେ । ପ୍ରିୟଙ୍କା ଉପସ୍ଥାପିକା ପଦରୁ ଇସ୍ତଫା ଦେଇ ଦେଇଥିବା ବେଳେ ତାଙ୍କ ଇସ୍ତଫାପତ୍ର ରାଜ୍ୟସଭା ସଭାପତି ଭେଙ୍କେୟା ନାଇଡୁଙ୍କ ପାଖକୁ ପଠାଇ ଦେଇଛନ୍ତି ।

ସେ ତାଙ୍କ ଚିଠିରେ ଲେଖିଛନ୍ତି ମୁଁ ଦୁଃଖର ସହିତ ସଂସଦ ଟିଭିର କାର୍ଯ୍ୟକ୍ରମ ‘ମୋ କାହାଣୀ’ର ଉପସ୍ଥାପିକା ପଦରୁ ଇସ୍ତଫା ଦେଉଛି । ମୁଁ ଏହି ଶୋ ପାଇଁ ଉପସ୍ଥାପିକା ପଦରେ ରହିବାକୁ ଅନିଚ୍ଛା ପ୍ରକାଶ କରୁଛି । ତା ସହିତ ତାଙ୍କୁ ଓ ତାଙ୍କର ୧୧ ଜଣ ସାଂସଦଙ୍କୁ ମନମାନି କରି ନିଲମ୍ବିତ କରାଯାଇଛି ବୋଲି ସେ କହିଛନ୍ତି । ଅଗଷ୍ଟ ମାସରେ ସଂସଦର ମୌସୁମୀ ଅଧିବେଶନରେ ହୋଇଥିବା ହଟ୍ଟଗୋଳ ଅଭିଯୋଗରେ ୧୨ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା । ସଂସଦର ମର୍ଯ୍ୟାଦା ଭଙ୍ଗ କରିବା ଅଭିଯୋଗରେ ଏହି ସାଂସଦଙ୍କୁ ନଭେମ୍ବର ୨୯ ତାରିଖରେ ନିଲମ୍ବିତ କରିଥିଲେ ରାଜ୍ୟସଭା ସଭାପତି । ନିଲମ୍ବିତ ସାଂସଦଙ୍କ ମଧ୍ୟରେ ୬ କଂଗ୍ରେସ, ଶିବସେନା ଓ ଟିଏମସିରୁ ଦୁଇ ଜଣ ଲେଖାଏ ସାଂସଦ ସସପେଣ୍ଡ ହୋଇଥିଲେ । ଏହାକୁ ବିରୋଧୀ ଅଗଣତାନ୍ତ୍ରିକ ଦର୍ଶାଇ ଏହା ଗୃହର ନିୟମର ଉଲ୍ଲଂଘନ ବୋଲି ଅଭିଯୋଗ କରିଥିଲା ।