ବ୍ରହ୍ମପୁର – ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ସରକାର ଦ୍ୱାରା ଜମି ଅଧିକାର ପାଇଁ ସଂଘର୍ଷରତ ସେଠାକାର ଭୂମିହୀନ ଦଳିତମାନଙ୍କ ଉପରେ ବର୍ବର ଦମନଲୀଳା ଓ ଗିରଫଦାରୀ ପ୍ରତିବାଦରେ ଅଖିଳ ଭାରତ କିଶାନ୍ ମଜଦୂର ସଭା ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଠାରେ ଅଖିଳ ଭାରତ କିଶାନ୍ ମଜଦୂର ସଭା ଓ ଗଞ୍ଜାମ ଜିଲ୍ଲା ଦଳିତ ମହାସଭା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଦଳିତ ସଂଗଠନ “ଜମିନ ପ୍ରାପତି ସଂଘର୍ଷ କମିଟି (ZPSC) ପକ୍ଷରୁ ଗତ କିଛି ବର୍ଷ ଧରି ପଞ୍ଜାବର ବିଭିନ୍ନ ଜିଲ୍ଲାର ଦଳିତ ବିଶେଷ କରି ଭୂମିହୀନ ଗରିବଙ୍କ ଜମି ଅଧିକାର ପାଇଁ ଲଢେ଼ଇ ଚାଲିଛି । ସେଠାକାର ଜନସଂଖ୍ୟାର ୩୨% ଦଳିତ ହୋଇଥିବା ବେଳେ ଏବଂ ଏକ ତୃତୀୟାଂଶ ସରକାରୀ ଜମିରେ ଦଳିତମାନଙ୍କୁ ଅଧିକାର ଦେବାକୁ ଆଇନ ଥିଲେ ମଧ୍ୟ ସବୁ ସରକାର ସେମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରି ଆସିଛନ୍ତି ।
ଏହି ପରିପ୍ରେକ୍ଷୀରେ ସଂଘର୍ଷ କମିଟି ପକ୍ଷରୁ ଦଳିତଙ୍କୁ ଜମି ବଣ୍ଟନ ଦାବିରେ ଗତ ମେ ୨୦ ତାରିଖରେ ସଙ୍ଗରୁର୍ ସହର ଉପକଣ୍ଠରେ ଆୟୋଜିତ ହେବାକୁ ଥିବା ଦଳିତ ସମାବେଶ ପୂର୍ବରୁ ପଞ୍ଜାବ ସରକାର ବଳପ୍ରୟୋଗ କରି ତାକୁ ଭଣ୍ଡୁର କରିବାକୁ ଉଦ୍ୟମ କରିଛନ୍ତି । ସମାବେଶ ପୂର୍ବରୁ ସଂଗଠନର କର୍ମକର୍ତ୍ତାମାନଙ୍କ ଘର ଉପରେ ଚଢାଉ କରି ୩୦୦ ରୁ ଉର୍ଦ୍ଧ ଲୋକଙ୍କୁ ଗିରଫ କରାଯାଇଛି । ତେବେ ଭୟଙ୍କର ପୋଲିସ ଦମନ ଓ ଗିରଫଦାରୀ ସତ୍ତ୍ୱେ ସେଦିନ ସମାବେଶ ପାଇଁ ଆସିଥିବା ଦଳିତ ଲୋକଙ୍କ ଉପରେ ପୋଲିସ ପକ୍ଷରୁ ଲାଠି ଚାଳନା କରାଯାଇଛି ।
ସ୍ଥାନୀୟ ଆରଡିସି ଅଫିସ୍ ସମ୍ମୁଖରେ ଅଖିଳ ଭାରତ କିଶାନ୍ ମଜଦୂର ସଭା ଓ ଗଞ୍ଜାମ ଜିଲ୍ଲା ଦଳିତ ମହାସଭା ପକ୍ଷରୁ ଆୟୋଜିତ ବିକ୍ଷୋଭରେ ପଞ୍ଜାବ ସରକାରଙ୍କ ଦମନଲୀଳାକୁ ନିନ୍ଦା କରାଯିବା ସହ ତିନି ଦଫା ସମ୍ବଳିତ ଏକ ସ୍ମାରକପତ୍ର ଆରଡିସିଙ୍କ ଜରିଆରେ ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ଏଥିରେ ରାଜ୍ୟର ଭୂମିହୀନ ଦଳିତମାନଙ୍କ ଉପରେ ଚାଲିଥିବା ଦମନ ଓ ଗିରଫଦାରୀ ବନ୍ଦ କରିବା, ମିଥ୍ୟା ମକଦ୍ଦମାରେ ଗିରଫ ୩୦୦ ରୁ ଊର୍ଦ୍ଧ୍ବ କର୍ମକର୍ତ୍ତାଙ୍କୁ ନିଃସର୍ତ ଖଲାସ କରିବା ତଥା ଦଳିତଙ୍କୁ ସରକାରୀ ଜମି ବଣ୍ଟନ କରିବା ଆଦି ଦାବି ରହିଛି ।
କାର୍ଯ୍ୟକ୍ରମରେ ଅଖିଳ ଭାରତ କିଶାନ୍ ମଜଦୂର ଠ୍ୟ ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ଗଞ୍ଜାମ ଜିଲ୍ଲା ଦଳିତ ମହାସଭାର ସମ୍ପାଦକ ସଂଗ୍ରାମ ନାୟକ, ସୁରେନ୍ଦ୍ର ନାହାକ, ସନ୍ତୋଷ କୁମାର ନାଏକ, ସଞ୍ଜୟ ନାୟକ, ଦଳିତ ନେତ୍ରୀ ଜିନ୍ତା ଦାସ, ବସନ୍ତ ନାୟକ, ଡ୍ରାଇଭର ନାୟକ, ଋଷି ବେହେରା, ଆଇଏଫଟିୟୁ ସଭାପତି ପ୍ରତାପ ପ୍ରଧାନ, ସାମାଜିକ କର୍ମୀ ଲକ୍ଷ୍ମୀ ନୃସିଂହ ରଥ, ଆଦିବାସୀ ନେତା ଲିଙ୍ଗା ଗମାଙ୍ଗ, ଗଗନ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଯୋଗଦେଇ ଦଳିତମାନଙ୍କ ଜମି ଲଢେଇକୁ ସମର୍ଥନ ଜଣାଇବା ସ଼ହ ସରକାରୀ ଦମନର ନିନ୍ଦା କରିଥିଲେ ।