ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ହଟିଲା କ୍ୱାରେଣ୍ଟାଇନ ନିୟମ

ନୂଆଦିଲ୍ଲୀ: ଭାରତ ଆସୁଥିବା ବିଦେଶୀ ଯାତ୍ରୀଙ୍କ ପାଇଁ ହଟିଲା ୭ ଦିନିଆ କ୍ୱାରେଣ୍ଟାଇନ ନିୟମ । ଏନେଇ ଗୁରୁବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କିଛି ପରିବର୍ତ୍ତନ କରିଛନ୍ତି । ଏହି ପରିବର୍ତ୍ତନ ନିୟମ ଆସନ୍ତା ୧୪ରୁ ନୂଆ କାର୍ଯ୍ୟକାରୀ ହେବ । ବିଦେଶୀ ଯାତ୍ରୀମାନେ ଉଭୟ ଡୋଜର କୋଭିଡ ଟିକା ନେଇଥାନ୍ତି ସେହି ଯାତ୍ରୀମାନଙ୍କୁ ବିମାନ ବନ୍ଦରରେ ଅଟକାଯାଇପାରିବ ନାହିଁ । ସେହିପରି କ୍ୱାରାଣ୍ଟିନରେ ରହିବାକୁ ପଡିବନାହିଁ ଓ କୋଭିଡ ଟେଷ୍ଟିଂ ମଧ୍ୟ ହେବନାହିଁ ।

ସୂଚନାଯୋଗ୍ୟ ଯେ, ଦେଶରେ କୋଭିଡ ମାମଲା ଦ୍ରୁତ ଗତିରେ ହ୍ରାସ ପାଉଥିବା ଦେଖି ଭାରତ ସରକାର ଭାରତକୁ ଆସୁଥିବା ବିଦେଶୀ ଯାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ୭ ଦିନିଆ କ୍ୱାରେଣ୍ଟାଇନକୁ ନିୟମକୁ ହଟାଇଛନ୍ତି । ସେହିପରି ଅଧିକ ସଂକ୍ରମଣ ଥିବା ଦେଶଗୁଡିକୁ ଆଟ୍‌ ରିସ୍କ ଟ୍ୟାଗ୍‌ ଦିଆଯଇଥିବା ବେଳେ ଏବେ ତାହା ହଟାଇ ଦିଆଯାଇଛି । ସେହିପରି ସରକାରଙ୍କ ନୂଆ ନିର୍ଦ୍ଦେଶାନୁଯାୟୀ ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ ୧୪ଦିନ ପର୍ଯ୍ୟନ୍ତ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ ପଡିବ । ଯଦି ସେମାନେ କୋଭିଡ ଲକ୍ଷଣ ଜଣାପଡନ୍ତି ତେବେ ସେମାନଙ୍କୁ ଅଲଗା କରି ନିଜର କୋଭିଡ ଟେଷ୍ଟ କରାଇବାକୁ ହେବ । ସୂଚନାଯୋଗ୍ୟ ଯେ, ପୂର୍ବରୁ ବିଦେଶଯାତ୍ରୀଙ୍କୁ ନେଗେଟିଭ କୋଭିଡ ଆରଟି ପିସିଆର ରିପୋର୍ଟ ଦେଖାଇବାକୁ ପଡୁଥିଲା । ପରେ ସେମାନେ ବିମାନ ବନ୍ଦରରୁ ଯାଇ ୭ଦିନ ବାଧ୍ୟତାମୂଳକ କ୍ୱାରାଣ୍ଟିନରେ ରହିବାକୁ ପଡିଥିଲା ।