ନୂଆଦିଲ୍ଲୀ: ଗତ ୪୮ ଘଂଟା ଧରି ମଧ୍ୟପ୍ରଦେଶ, ଉତର ପ୍ରଦେଶ, ହିମାଚଳ ପ୍ରଦେଶ, ରାଜସ୍ଥାନ ଓ ବିହାରରେ ପ୍ରବଳ ବର୍ଷା ହେଉଛି । ରାଜସ୍ଥାନର ୨୦୦ ଓ ମଧ୍ୟପ୍ରଦେଶର ପ୍ରାୟ ୫୦ଟି ଛୋଟବଡ଼ ଜଳଭଣ୍ଡାରରେ ବିପଦ ସଙ୍କେତ ଉପରେ ପାଣି ଚାଲିଛି । ୟୁପିରେ ଗଙ୍ଗାନଦୀ ବନ୍ୟାପାଣି ବିପଦ ସଙ୍କେତ ଉପରେ ଥିଲାବେଳେ ବିହାରରେ ବିପଦ ସଙ୍କେତ ନିକଟତର ହୋଇଛି । ହିମାଚଳ ପ୍ରଦେଶରେ ଆକସ୍ମିକ ବନ୍ୟା ଓ ମାଟି ଅତଡ଼ା ଧସିବା କାରଣରୁ ୨୨ ଜଣ ପ୍ରାଣ ହରାଇଛନ୍ତି । ପ୍ରବଳ ବର୍ଷା କାରଣରୁ ମଧ୍ୟପ୍ରଦେଶ ଓ ଛତିଶଗଡ଼ ମଧ୍ୟରେ ସଡ଼କ ପରିବହନ ବନ୍ଦ ହୋଇଯାଇଛି । ରାଜସ୍ଥାନର କେତୋଟି ସ୍ଥାନରେ ସଡ଼କ ଉପରେ ପାଣିସୁଅ ଛୁଟୁଛି । ଆସନ୍ତା ୪୮ ଘଂଟା ଭିତରେ ଉପରୋକ୍ତ ୬ଟି ରାଜ୍ୟରୁ କାହାକୁ ବର୍ଷା ଦାଉରୁ ତ୍ରାହି ମିଳିବାର ନାହିଁ ।
ବିଗତ ୪୮ ଘଂଟା ଭିତରେ ବହୁ ରାଜପଥ ଉପରେ ଯାତାୟତ ବନ୍ଦ ହୋଇଯାଇଛି । ଜବଲପୁରରେ ବର୍ଗୀ ଜଳଭଣ୍ଡାରର ୧୭ ଓ ନର୍ମଦାପୁରମର ତୱା ଜଳଭଣ୍ଡାରର ୧୩ଟି ଗେଟ୍ ଖୋଲି ଦିଆଯାଇଛି । ଗତ ୨୪ ଘଂଟା ଭିତରେ ଭୋପାଳରେ ୬୦ ଇଂଚ ବର୍ଷା ହୋଇଛି । ଭୋପାଳର ଏକ ବିରାଟକାୟ ପୋଖରୀରେ ଠିଆ ହୋଇଥିବା ଛୋଟ ଜାହାଜଟି ଅଧା ବୁଡ଼ିଯାଇଛି । ଏୟାର ଇଣ୍ଡିଆର ଦିଲ୍ଲୀ ଫ୍ଲାଇଟ୍କୁ ଇନ୍ଦୋରକୁ ପଠାଇ ଦିଆଯାଇଛି । ଏୟାର ଇଣ୍ଡିଆର ମୁମ୍ବାଇ ବିମାନଟି ନାଗପୁରରେ ଅବତରଣ କରିଛି । ଏୟାର ଇଣ୍ଡିଆର ଦିଲ୍ଲୀ ଫ୍ଲାଇଟ୍ର ଉଡ଼ାଣକୁ ବାତିଲ କରାଯାଇଛି ।
୬ଟି ରାଜ୍ୟର ଲକ୍ଷାଧିକ ଲୋକମାନେ ଜଳବନ୍ଦୀରେ ରହି ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଲୋକମାନେ ଉଚ୍ଚସ୍ଥାନରେ ରହି ପ୍ରଶାସନର ସାହାଯ୍ୟକୁ ଅନାଇ ରହିଛନ୍ତି । ମୁଣ୍ଡ ଉପରେ ବର୍ଷା ଓ ପାଦତଳେ ପାଣିକାଦୁଅ; ପିଲାଛୁଆ ଓ ଗୋରୁଗାଈ ସମେତ ଅନ୍ୟାନ୍ୟ ଗୃହପାଳିତ ପଶୁଙ୍କୁ ଧରି ଲୋକମାନେ ପ୍ରକୃତିର ତାଣ୍ଡବକୁ ମୁଣ୍ଡପାତି ସହୁଛନ୍ତି ।