ପାଟନା: ବିହାରରେ ମହାମେଣ୍ଟର ପରାଜୟ ପରେ ଆରମ୍ଭ ହୋଇଛି ମାନସ ମନ୍ଥନ। ଏହାପରେ କଂଗ୍ରେସ-ଆରଜେଡି-ସିପିଏମକୁ ନେଇ ଗଠିତ ମହାମେଣ୍ଟରେ ଆରମ୍ଭ ହୋଇଯାଇଛି କନ୍ଦଳ। ମହାମେଣ୍ଟର ଫାଟକୁ ନେଇ ଆରଜେଡିର ବରିଷ୍ଠ ନେତା ଶିବାନନ୍ଦ ତିଓ୍ୱାରୀ କଂଗ୍ରେସକୁ କଡା ଭାଷାରେ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ କାର୍ଯ୍ୟଶୈଳୀ ପାଇଁ ବିଜେପିକୁ ଫାଇଦା ମିଳିଛି । ଆଉ ମହାମେଣ୍ଟ ହାରିଛି।
ସେ ଆହୁରି କହିଛନ୍ତି ଯେ, ବିହାରରେ କଂଗ୍ରେସ ମହାମେଣ୍ଟ ପାଇଁ ଅଡୁଆ ବଢାଇଥିଲା । ଦଳ ତରଫରୁ ୭୦ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ । କିନ୍ତୁ ୭୦ଟି ରାଲି ମଧ୍ୟ ହୋଇନଥିଲା । ରାହୁଲ ଗାନ୍ଧୀ ବିହାରକୁ କେବଳ ତିନି ଦିନ ପାଇଁ ଆସିଥିଲେ । ପ୍ରିୟଙ୍କା ଗାନ୍ଧୀ ଆସିନଥିଲେ କାରଣ ସେ ବିହାରରେ ସେତେ ମାତ୍ରାରେ ପରିଚିତ ନୁହଁନ୍ତି ।
ଏପରିକି , ବିହାରରେ ନିର୍ବାଚନ ଉଷ୍ମତା ଜୋର୍ ଧରିଥିବା ବେଳେ ରାହୁଲ ଗାନ୍ଧୀ ସିମଲାରେ ପ୍ରିୟଙ୍କା ଗାନ୍ଧୀଙ୍କ ଘରେ ପିକନିକ୍ କରୁଥିଲେ । ଏପରି ହେଲେ ଦଳ ଚାଲିବ ନାହିଁ । କଂଗ୍ରେସ ଦଳ ଯେପରି ଭାବେ ଚାଲୁଛି, ଏଥିରୁ ବିଜେପିକୁ ଫାଇଦା ମିଳୁଛି । ଏଭଳି ହେଲେ ଦଳ ଆଗକୁ ବଢିପାରିବ ନାହିଁ । କେବଳ ବିହାର ନୁହେଁ ଅନ୍ୟ ରାଜ୍ୟରେ ମଧ୍ୟ କଂଗ୍ରେସ ଅଧିକରୁ ଅଧିକ ଆସନରେ ନିର୍ବାଚନ ଲଢିବା ନେଇ ଜୋର୍ ହେଉଛି । କିନ୍ତୁ ଜିତିବାରେ ବିଫଳ ହେଉଛି । କଂଗ୍ରେସ ଏହାକୁ ନେଇ ଆତ୍ମସମୀକ୍ଷା କରୁ ବୋଲି ସେ କହିଛନ୍ତି ।