ପୁଣେ : ମହାରାଷ୍ଟ୍ରର ପୁଣେ ଜିଲାରେ ବୁଧବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ଖବର ମିଳିଛି। ପୁଣେ-ସୋଲାପୁର ହାଇୱେରେ ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକ ସହ ଏକ ବସ୍ର ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ପୁଲିସ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନାନୁଯାୟୀ, ଯବତ ଗାଁ ନିକଟରେ ଭୋର ୫ଟାରେ ଏହି ଦୁର୍ଘଟଣା ଘଟିଛି। ଘଟଣା ପରେ ସମସ୍ତ ମୃତାହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ଜଣାପଡିଛି। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି। ପୁଲିସ ଘଟଣାର ତଦନ୍ତ କରୁଛି।