ଦିନିକିଆ ପରେ ଟେଷ୍ଟରେ ବି ଅଧିନାୟକ ହୋଇପାରନ୍ତି ରୋହିତ ଶର୍ମା!

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟେଷ୍ଟ ଦଳର ଘୋଷଣା ସହ ଦୁଇଟି ବଡ ଘୋଷଣା କରିଛି । ପ୍ରଥମ ରୋହିତ ଶର୍ମାଙ୍କୁ ଦିନିକିଆ ଦଳର ଅଧିନାୟକ କରାଯାଇଛି । ସେହିପରି ଦ୍ୱିତୀୟ ଟେଷ୍ଟରେ ଆଜିଙ୍କ୍ୟ ରାହାଣେଙ୍କୁ ଉପ ଅଧିନାୟକ ପଦରୁ ହଟାଇ ରୋହିତ ଶର୍ମାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଏହାର ସିଧା ବାର୍ତ୍ତା ହେଲା ଯେ, ଦଳରେ ଏବେ ବିରାଟ କୋହଲିଙ୍କ ପତିଆରା କମ ହୋଇଛି ।

ଅନ୍ୟପକ୍ଷରେ ଏବେ ରୋହିତ ଶର୍ମା ତିନି ଫର୍ମାଟ୍‌ରେ ବଡ ଭୂମିକାରେ ନଜର ଆସିବେ । ସେ ଟି-୨୦ ଏବଂ ଦିନିକିଆ ଦଳର ଅଧିନାୟକତ୍ୱ କରିବା ସହ ଟେଷ୍ଟରେ ଉପ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ । ଅନ୍ୟପକ୍ଷରେ ଭାରତୀୟ ଦଳ ଗତ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍‌ରେ ବିଜୟ ହାସଲ କରିଥିଲା । ସେହି ସମୟରେ କୋହଲିଙ୍କ ସ୍ଥାନରେ ରାହାଣେ ଦଳର ଅଧିନାୟକ ଦାୟିତ୍ୱ ସମ୍ଭାଳିଥିଲେ । ବିରାଟ ପ୍ରଥମ ଟେଷ୍ଟରେ ଦଳର ନେତୃତ୍ୱ ନେଇଥିଲେ ଏବଂ ଦଳ ଶୋଚନୀୟ ପରାଜୟ ଭୋଗିଥିଲା । ପରେ ସେ ପିତୃତ୍ୱ ଅବକାଶରେ ସ୍ୱଦେଶ ଫେରି ଆସିଥିଲେ । ମୋଟ୍‌ ୯୭ ଟେଷ୍ଟ ଖେଳି ସାରିଥିବା ବିରାଟ ଯଦି ଇଚ୍ଛା ପ୍ରକାଶ କରିବେ ନାହିଁ ତେବେ ସମ୍ଭବତଃ ରୋହିତ ଶର୍ମାଙ୍କୁ ଟେଷ୍ଟ ଦଳର ଅଧିନାୟକ ମଧ୍ୟ କରାଯାଇପାରେ ।