ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି ରୁଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ୍‌

ନୂଆଦିଲ୍ଲୀ:ନୂଆଦିଲ୍ଲୀ ରୁଷ୍‌ର ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ୍‌ ଆଜି ଦୁଇଦିନିଆ ଭାରତଗସ୍ତ ଆରମ୍ଭ କରିବେ। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ଥିବା ବିଭିନ୍ନ ଦ୍ୱିପାକ୍ଷିକ ସମ୍ପର୍କ ସମ୍ବନ୍ଧୀୟ ଆଲୋଚନା କରିବା ସହ ସେ ଏବର୍ଷ ହେବାକୁ ଥିବା ଭାରତ-ରୁଷ୍‌ ବାର୍ଷିକ ଶିଖର ବୈଠକର ପ୍ରସ୍ତୁତି ସମୀକ୍ଷା କରିବେ ବୋଲି ଭାରତର ବୈଦେଶିକ ବ୍ୟାପାର ମୁଖପାତ୍ର ଅରିନ୍ଦମ ବାଗ୍‌ଚି କହିଛନ୍ତି।

ପୂର୍ବରୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଟୁଇଟ୍‌ କରି ଲେଖିଥିଲେ, ଏପ୍ରିଲ୍‌ ୫-୬ରେ, ରୁଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ୍‌ ସରକାରୀ ଗସ୍ତରେ ଭାରତ ଆସିବେ। ନୂଆଦିଲ୍ଲୀରେ ସେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ ଆଲୋଚନା କରିବେ।

ଭାରତସ୍ଥିତ ରୁଷୀୟ ଦୂତାବାସ ବିବୃତି ଅନୁସାରେ, ବୈଦେଶିକ ବ୍ୟାପାର ଏଜେନ୍‌ସିର ମୁଖ୍ୟମାନେ ଦ୍ୱିପାକ୍ଷିକ ସମ୍ବନ୍ଧର ସାମ୍ପ୍ରତିକ ପରିସ୍ଥିତି, ଏ ବର୍ଷ ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକର ପ୍ରସ୍ତୁତି, ମହାମାରୀ ବିରୋଧୀ ସଂଗ୍ରାମରେ ସହଯୋଗ, ଆଞ୍ଚଳିକ ଓ ବୈଶ୍ୱିକ ସଂକ୍ରାନ୍ତ ପ୍ରମୁଖ୍ୟ ପ୍ରସଙ୍ଗ ଏବଂ ଜାତିସଂଘ ଓ ‘ବ୍ରିକ୍ସ୍‍’ ସମେତ ଆନ୍ତର୍ଜାତିକ କ୍ଷେତ୍ରରେ ରୁଷ୍‌ ଓ ଭାରତର ଦୃଷ୍ଟିଭଙ୍ଗୀ କଥା ମଧ୍ୟ ଆଲୋଚନା କରିବେ।