ନାଟୋ ମାର୍କେଟକୁ ରୁଷ୍ ସାମଗ୍ରୀ ମନା

କଟକଣା ଲାଗୁକଲା ଆମେରିକା

ୱାଶିଂଟନ : ୟୁକ୍ରେନ୍‌ର ଦୁଇଟି ବିଚ୍ଛିନ୍ନାଞ୍ଚଳ ଡୋନେସ୍କ୍ ଓ ଲୁହାନ୍‌ସ୍କ୍‌କୁ ସ୍ୱାଧୀନ ରାଷ୍ଟ୍ର ଘୋଷଣା କରିବାପରେ ବର୍ତ୍ତମାନ ଆମେରିକା ସମେତ ନାଟୋ ସଦସ୍ୟଭୁକ୍ତ ସବୁ ପାଶ୍ଚାତ୍ୟ ରାଷ୍ଟ୍ର ରୁଷ୍ ଉପରେ ରକ୍ତଚାଉଳ ଚୋବାଉଛନ୍ତି । ରୁଷ୍ ଯେହେତୁ ୟୁକ୍ରେନ୍ ଉପରେ ଏପର୍ଯ୍ୟନ୍ତ ଆକ୍ରମଣ କରିନାହିଁ, ତେଣୁ ରୁଷ୍ ବିରୋଧରେ ପ୍ରତ୍ୟକ୍ଷ ଯୁଦ୍ଧ ଡାକରା ଦେବାକୁ ଆମେରିକା ଓ ନାଟୋ ରାଷ୍ଟ୍ରସମୂହ ସାହସ କରୁନାହାନ୍ତି । ତେବେ ପ୍ରତିଶୋଧ ପରାୟଣ ହୋଇ ଆମେରିକା ଇତିମଧ୍ୟରେ ରୁଷ୍ ବିପକ୍ଷରେ କଡା କଟକଣା ଲାଗୁ କରିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଙ୍ଗଳବାର ରାତିରେ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେବା ଅବସରରେ ଏଭଳି କଟକଣା ସମ୍ପର୍କରେ ଘୋଷଣା କରିଛନ୍ତି । ଏଥିମଧ୍ୟରେ ଆର୍ôଥକ ଓ ବାଣିଜ୍ୟିକ କଟକଣା ଅନ୍ୟତମ । ୟୁକ୍ରେନ୍ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଥିବାରୁ ରୁଷ୍ ଏଭଳି ଆର୍ଥକ କଟକଣାର ସମ୍ମୁଖୀନ ହେବାକୁ ଯୋଗ୍ୟ ବୋଲି ବାଇଡେନ୍ କହିଛନ୍ତି । ତଦନୁଯାୟୀ ରୁଷ୍ ଏଣିକି ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରରୁ କୌଣସି ପ୍ରକାର ଋଣ ପାଇବ ନାହିଁ ବୋଲି ବାଇଡେନ୍ ସ୍ପଷ୍ଟ କରିଛନ୍ତି ।

ଆମେରିକା କିମ୍ବା ପାଶ୍ଚାତ୍ୟ ରାଷ୍ଟ୍ରର ମାର୍କେଟକୁ ରୁଷ୍‌ର କୌଣସି ସାମଗ୍ରୀ ଆମଦାନୀ କରାଯିବ ନାହିଁ ବୋଲି ସେ କହିଛନ୍ତି । ଏହି ପ୍ରସଙ୍ଗରେ ରୁଷ୍‌ର ଡେଭଲପ୍‌ମେଣ୍ଟ ବ୍ୟାଙ୍କ ଭିଇବିକୁ ମୁଖ୍ୟତଃ ଟାର୍ଗେଟ କରାଯାଇଛି । କ୍ରେମ୍‌ଲିନ୍ (ରୁଷ୍ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ)ର କୁଚକ୍ରୀ ନୀତି ଯୋଗୁଁ ଏହି ବ୍ୟାଙ୍କ ପରିଣାମ ଭୋଗିବା ଉଚିତ ବୋଲି ବାଇଡେନ୍ କହିଛନ୍ତି । ଆମର ସହଯୋଗୀ ରାଷ୍ଟ୍ରଙ୍କ ସହ ପରାମର୍ଶକ୍ରମେ ଆମେରିକା ଏଭଳି ଘୋଷଣା କରିଥିବା ସେ କହିଛନ୍ତି । ଯଦି ଆଗାମୀ ଦିନରେ ୟୁକ୍ରେନ୍ ସୀମାରେ ରୁଷ୍ ସାମରିକ କାର୍ଯ୍ୟକଳାପକୁ ଆହୁରି ବୃଦ୍ଧି କରେ, ତାହାହେଲେ କଟକଣାସ୍ତର ମଧ୍ୟ ଅନୁରୂପଭାବେ ବୃଦ୍ଧି ପାଇବ ବୋଲି ବାଇଡେନ୍ ଚେତାବନୀ ଦେଇଛନ୍ତି ।