ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା କକ୍ଷରେ ସାଭରକରଙ୍କ ଫଟୋ ଲଗାଯିବା ଘଟଣାକୁ କେନ୍ଦ୍ର କରି ସୋମବାର କଂଗ୍ରେସ ସମେତ ଅନ୍ୟ ବିପକ୍ଷ ଦଳର ସଭ୍ୟମାନେ କକ୍ଷତ୍ୟାଗ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧାରମୈୟାଙ୍କ ସମେତ ବହୁ ବିଧାୟକ ଏହି ମାମଲାକୁ ନେଇ ବାଚସ୍ପତିଙ୍କୁ ଚିଠି ଲେଖି ବିଧାନସଭାରେ ବାଲ୍ମିକି, ବାସବନ୍ନା, କନକ ଦାସ, ବିଆର୍ ଆମ୍ବେଦକର, ସର୍ଦ୍ଦାର ବଲ୍ଳଭଭାଇ ପଟେଲଙ୍କ ଫଟୋ ଲଗାଇବା ପାଇଁ ଦାବି କରିଛନ୍ତି ।
କଂଗ୍ରେସକୁ ପାଲଟା ଜବାବ ଦେବାକୁ ଯାଇ ବିଜେପି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଜୋଷୀ କହିଛନ୍ତି, ବିଚାରଗତ ମତଭେଦ ହେବା ଦରକାର । ସାବରକର ଜଣେ ସ୍ୱାଧୀନତା ସଂଗ୍ରାମୀ । ତାଙ୍କ ଫଟୋକୁ ବିଧାନସଭା କାନ୍ଥରେ ଲଗାଇବୁ ନାହିଁ ଆଉ କ’ଣ ଦାଉଦ୍ ଇବ୍ରାହିମ ଫଟୋ ଲଗାଇବୁ ।
କଂଗ୍ରେସ ନେତା ସିଦ୍ଧାରମୈୟା ପ୍ରତିକ୍ରିୟାରେ କହିଛନ୍ତି ଯେ ସରକାରଙ୍କ ଫଟୋ ଲଗାଇବା ଅଭିଳାଷକୁ କଂଗ୍ରେସ ବିରୋଧ କରୁନାହିଁ । ବରଂ ସବୁ ରାଷ୍ଟ୍ରବାଦୀ ନେତା ଓ ସମାଜ ସୁଧାରକଙ୍କ ଫଟୋଗୁଡ଼ିକୁ ବିଧାନସଭାରେ ଲଗାଇବା ପାଇଁ ଆଗ୍ରହ ପ୍ରକାଶ କରୁଛି । ବାଚସ୍ପତି କେବଳ ବୀର ସାଭରକରଙ୍କ ଫଟୋକୁ ଲଗାଇ ଅନ୍ୟ ଲୋକପ୍ରିୟ ନେତାଙ୍କ ପ୍ରତି ଅବିଚାର କରିଛନ୍ତି । ସରକାର ମନଇଛା ଫଟୋ ଲଗାନ୍ତୁ, କଂଗ୍ରେସର କିଛି କହିବାର ନାହିଁ । ମାତ୍ର ରାଜ୍ୟର ପ୍ରକୃତ ସମସ୍ୟାଠାରୁ ଲୋକଙ୍କ ଦୃଷ୍ଟି ଏଡ଼ାଇବା ପାଇଁ ସରକାର ଅଯଥା ଫଟୋ ଟଙ୍ଗାଇବା ଭଳି ଲୋକହସା କାମ କରୁଛନ୍ତି ।