ବାଲକୋନିରୁ ଠେଲି ଛାତ୍ରକୁ ମାରିଦେଲେ ଶିକ୍ଷକ

ନିକଟ ଅତୀତରେ ଦିଲ୍ଲୀରେ ଏମିତି ଘଟଣାଟିଏ ଘଟିଥିଲା….

ବେଙ୍ଗାଲୁରୁ: କର୍ଣ୍ଣାଟକର ଗଡ଼ଗ ଜିଲ୍ଲାରେ ଜଣେ ଶିକ୍ଷକ ଚତୁର୍ଥ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ତାକୁ ପ୍ରଥମ ମହଲାରୁ ତଳକୁ ଠେଲି ମାରି ଦେଇଛନ୍ତି । ମୃତ ଛାତ୍ରଟିର ଅଭିଭାବକଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତ ଶିକ୍ଷକଙ୍କ ନାମରେ ମାମଲା ରୁଜୁ କରିଛି ପୁଲିସ । ଅଭିଯୁକ୍ତ ଶିକ୍ଷକ ଫେରାର୍‌ ଅଛନ୍ତି । ପୁଲିସଠାରୁ ମିଳିଥିବା ସୂଚନା ମୁତାବକ ମୃତ ଛାତ୍ରଟିର ବୟସ ପ୍ରାୟ ୧୦ ବର୍ଷ । ପିଲାଟି ହଗଲି ଗାଁରେ ଅବସ୍ଥିତ ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଛାତ୍ର ।

କୌଣସି କାରଣରୁ ବିଦ୍ୟାଳୟରେ କାର୍ୟ୍ୟରତ ଠିକା ଶିକ୍ଷକ ମୁଥାପ୍ପା ଉକ୍ତ ପିଲାଟିକୁ କୋଦାଳ ବେଂଟରେ ମାଡ଼ ମାରିଥିଲେ । ରାଗ ଥଣ୍ଡା ନ ପଡ଼ିବାରୁ ବାଲକୋନିରୁ ତଳକୁ ପକାଇଦେଲେ । ଅଭିଯୁକ୍ତ ଶିକ୍ଷକ ପିଲାଟିର ମା’ଙ୍କୁ ମଧ୍ୟ ମାଡ଼ ମାରିଥିବାର ଶୁଣିବାକୁ ମିଳୁଛି ।

ଗୁରୁତର ଆହତ ଅବସ୍ଥାରେ ମୃତ ଛାତ୍ରଟିର ମା’ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ନିକଟ ଅତୀତରେ ଦିଲ୍ଲୀରେ ଏମିତି ଘଟଣାଟିଏ ଘଟିଥିଲା । ଗୋଟିଏ ପଂଚମ ଶ୍ରେଣୀର ଛାତ୍ରଙ୍କୁ ଦୟନୀୟ ଭାବେ ମାଡ଼ ମାରିବା ପରେ ଶିକ୍ଷୟିତ୍ରୀ ଜଣକ ତାକୁ ସ୍କୁଲ ବାଲକୋନିରୁ ତଳକୁ ଠେଲି ଦେଇଥିଲେ । ଗୁରୁତର ଆହତ ଅବସ୍ଥାରେ ପିଲାଟିକୁ ଡାକ୍ତରଖାନା ନିଆଯାଇଥିଲା । ଅଭିଯୁକ୍ତ ଶିକ୍ଷୟିତ୍ରୀ ଏବେ ଜେଲରେ ଅଛନ୍ତି ।