ସାଧାରଣ ଜନତାଙ୍କ ମନରେ ରହିଥିବା ମହାକାଶ ବୁଲିବାର ଆଶା କ୍ରମେ ଫଳବତୀ ହେବ । ଏହିଭଳି ଏକ ମହତ୍ ଆକାଂକ୍ଷାକୁ ସାଙ୍ଗରେ ଧରି ମହାକାଶକୁ ଯାତ୍ରା କରିଛି ଆକ୍ସିମ୍-୪ । ପ୍ରାୟ ଚାରିଥର ଅଭିଯାନକୁ ବିଭିନ୍ନ କାରଣରୁ ବାତିଲ କରିବାକୁ ପଡ଼ିଥିଲା । ତେବେ ସବୁ ବାଧାବିଘ୍ନକୁ ଅତିକ୍ରମ କରି ଆକ୍ସିମ୍-୪ ସାଙ୍ଗରେ ଚାରିଜଣ ମହାକାଶଚାରୀଙ୍କୁ ଧରି ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ଅଭିମୁଖେ ଯାତ୍ରା କରିଛି ।
ଦୀର୍ଘ ଚାରି ଦଶନ୍ଧି ପରେ ଦ୍ୱିତୀୟ ଭାରତୀୟ ମହାକାଶକୁ ଯାତ୍ରା କରିଛନ୍ତି । ଲକ୍ଷ୍ନୌ ନିବାସୀ ଗ୍ରୁପ୍ କ୍ୟାପଟେନ୍ ଶୁଭ୍ରାଂଶୁ ଶୁକ୍ଳାଙ୍କ ସହିତ ମାର୍କିନ୍ ମହାକାଶ ବିଜ୍ଞାନୀ ପିଜାଇ ହ୍ୱିଟ୍ସନ୍, ପଲିସ ଇଞ୍ଜିନିୟର ସ୍ଲାଉଜ ଉଜାନସ୍କାଇ ଓ ହଙ୍ଗେରୀ ଗବେଷକ ଟାଇବୁର କାପୁ ଆଇସିସି ନିକଟକୁ ଯାତ୍ରା ଆରମ୍ଭ କରିଛନ୍ତି ବୁଧବାର ମଧ୍ୟାହ୍ନ ୧୨ଟା ୦୧ ମିନିଟ୍ରେ । ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ସେମାନଙ୍କୁ ପ୍ରାୟ ୧୪ ଦିନ ରହିବାକୁ ପଡ଼ିବ ।
ଯୁକ୍ତରାଷ୍ଟ୍ର ଆମେରିକା ମହାକାଶ ଗବେଷଣା ସଂସ୍ଥା ‘ନାସା’ ପରିଚାଳନାଧୀନ ଫ୍ଲୋରିଡା କେନେଡ଼ି ମହାକାଶ କେନ୍ଦ୍ରରୁ ଫାଲକନ୍-୯ ରକେଟ୍ ସହାୟତାରେ ମହାକାଶକୁ ଯାଇଥିବା ଆକ୍ସିମ୍-୪ ଗୁରୁବାର ଦିନ ଅପରାହ୍ଣ ସାଢ଼େ ଚାରିଟାରେ ଭାସମାନ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଅବତରଣ କରିବ ।
ପୃଥିବୀର ମାଧ୍ୟାକର୍ଷଣ ଶକ୍ତିକୁ ଅତିକ୍ରମ କରି ମହାକାଶରେ ପହଂଚିବା ପରେ ଶୁଭ୍ରାଂଶୁ କହିଛନ୍ତି, ମୋ କାନ୍ଧରେ ଲାଗିଥିବା ତ୍ରିରଙ୍ଗା ଚିହ୍ନ ମୋତେ ଜଣାଇ ଦେଉଛି ଯେ ଭାରତର ୧୪୫ କୋଟି ଜନତା ମୋ ସହିତ ଅଛନ୍ତି । ପୁଅର ଗୌରବମୟ ଯାତ୍ରାକୁ ତାଳି ମାରି ସାବାସ୍ ଜଣାଇଛନ୍ତି ଶୁଭ୍ରାଂଶୁଙ୍କ ମା’ ଆଶା ଶୁକ୍ଳା ଓ ବାପା ଶମ୍ଭୁ ଦୟାଲ ଶୁକ୍ଳା ।
୧୯୮୪ ମସିହାରେ ସୋଭିଏତ୍ ରୁଷ ମହାକାଶଯାନରେ ବସି ପ୍ରଥମ ଭାରତୀୟ ରାକେଶ ଶର୍ମା ମହାକାଶକୁ ଯାତ୍ରା କରିଥିଲେ । ଆକ୍ସିମ-୪ ମହାକାଶକୁ ଯାତ୍ରା କରିବାର ମତଲବ ହେଉଛି ମହାକାଶରେ ଘରୋଇ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ପ୍ରତିଷ୍ଠା କରିବାର ପ୍ରଥମ ପ୍ରୟାସ ।