‘ଝିଅ ସହିତ ସେଲ୍‌ଫି ଏବେ ଆମର ଏକମାତ୍ର ସହାରା’

କିଏ ଜାଣିଥିଲା, ତାଙ୍କର ବିମାନ ଯାତ୍ରା ତାଙ୍କୁ ମୃତ୍ୟୁକୋଳକୁ ନେଇଯିବ? ଏ ମନ୍ତବ୍ୟଟି ଅହମଦାବାଦ ବିମାନ ଘାଟି ନିକଟରେ ଦୁର୍ଘଟଣାଗ୍ରସ୍ତ ଡ୍ରିମଲାଇନରରେ ବସି ଇଂଲଣ୍ଡ ଅଭିମୁଖେ ଯାତ୍ରା କରୁଥିବା ଜଣେ ୨୧ ବର୍ଷୀୟା କନ୍ୟାଟିର ମା’ ବାପାଙ୍କର । ବିମାନ ଦୁର୍ଘଟଣାରେ ଝିଅ ଦୀପାଂଶୀକୁ ହରାଇବା ପରେ ବାପା ଏସ୍ ଏସ୍ ଭାଦୋରିଆ ଓ ମା’ ମଧୁଲିକା ମାନସିକ ସ୍ତରରେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ଝିଅ ଦୀପାଂଶୀକୁ ଅହମଦାବାଦ ବିମାନ ବନ୍ଦରରେ ମେଲାଣି ଦେବା ପୂର୍ବରୁ ଭାଦୋରିଆ ଦଂପତି ଗାନ୍ଧୀନଗରସ୍ଥିତ ଉମିୟା ମାତା ମନ୍ଦିରରେ ସେଲ୍‌ଫି ଉଠାଇଥିଲେ । ସେହି ସେଲ୍‌ଫି ଯେ ସେମାନଙ୍କର ବଂଚିବାର ଏକମାତ୍ର ସହାରା ହୋଇ ରହିବ, ଏ କଥା ସେମାନେ କଳ୍ପନା କରି ନଥିଲେ ।
ଲଣ୍ଡନର ଏକ୍‌ସଟେର ବିଶ୍ୱବିଦ୍ୟାଳୟର ଆଇନ ଛାତ୍ରୀ ଥିଲେ ଦୀପାଂଶୀ । ସେ ମାତ୍ର କିଛି ସପ୍ତାହ ତଳେ ଭାରତକୁ ଆସିଥିଲେ ଜନ୍ମଦିନ ପାଳନ କରିବା ପାଇଁ । ମା’ ବାପାଙ୍କ ବିବାହ ବାର୍ଷିକୀରେ ଯୋଗଦାନ କରିବା ଉଦ୍ଦେଶ୍ୟରେ ଅଟକି ଯାଇଥିଲେ । ଭାଦୋରିଆ ପରିବାର ସହିତ ଘନିଷ୍ଠ ଲୋକଙ୍କ ମୁହଁରୁ ଦୀପାଂଶୀ ଜଣେ ମେଧାବୀ ଓ ମେଳାପୀ ଛାତ୍ରୀ ବୋଲି ଜଣାପଡ଼ିଥିଲା । ଦୀପାଂଶୀ ସ୍କାଏ ଡାଇଭିଂ କରନ୍ତି ।
ମେ’ ୨୦ ତାରିଖ ଦିନ ଦୀପାଂଶୀ ଲଣ୍ଡନ ଫେରିଯିବାର ଥିଲା । ମା’ ବାପାଙ୍କର ବିବାହ ବାର୍ଷିକୀ ପାଳନ କରି ଲଣ୍ଡନ ଚାଲିଯିବା ଆଶାରେ ରହିଗଲେ ଜୁନ ୧୧ ତାରିଖ ପର୍ଯ୍ୟନ୍ତ । ଜୁନ ୧୨ ତାରିଖ ଦିନ ମା’ ବାପାଙ୍କ ନିକଟରେ ମେଲାଣି ନେଇ ଦୀପାଂଶୀ ଡ୍ରିମଲାଇନରରେ ବସିଲେ ।