ମାଘମେଳା ଛାଡିଲେ ଶଙ୍କରାଚାର୍ଯ୍ୟ ଅବିମୁକ୍ତେଶ୍ୱରାନନ୍ଦ

ଗାଧୁଆ ପାଧୁଆ ନାହିଁ, ମନରେ ସରାଗ ନାହିଁ ….

ପ୍ରୟାଗରାଜ: ଗାଧୁଆ ପାଧୁଆ ନାହିଁ, ମନରେ ସରାଗ ନାହିଁ। ଉତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ବିଶ୍ୱପ୍ରସିଦ୍ଧ ମାଘମେଳାରୁ ବିଦାୟ ନେଇଛନ୍ତି ଶଙ୍କରାଚାର୍ଯ୍ୟ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ। ବୁଧବାର ଦିନ ମାଘମେଳା ଅଧାରୁ ଛାଡ଼ିଛନ୍ତି। ତାଙ୍କ ନିଷ୍ପତି ଉଭୟ ଧାର୍ମିକ ଓ ରାଜନୈତିକ ମହଲକୁ ବିସ୍ମିତ କରିଛି।

ମୌନୀ ଅମାବାସ୍ୟା ସମୟରେ ସଂଗମ ସ୍ନାନ ପାଇଁ ଯାଉଥିବା ବେଳେ ଶଙ୍କରାଚାର୍ଯ୍ୟଙ୍କ ସହକର୍ମୀ ଓ ପୁଲିସ ଉଚ୍ଚବାଚ ହୋଇଥିଲେ। ପୁଲିସ ଓ ପ୍ରଶାସନ ତାଙ୍କ ପାଲିଙ୍କି ଅଟକାଇଥିଲେ। ସେହିଦିନଠାରୁ ସେ ନିଜ ଶିବିର ବାହାରେ ଧାରଣାରେ ବସିଥିଲେ। ତାଙ୍କ କହିବା ଅନୁଯାୟୀ, ତାଙ୍କୁ ଉପଯୁକ୍ତ ମର୍ଯ୍ୟାଦା ଏବଂ ପ୍ରୋଟୋକଲ୍‌ ସହ ସ୍ନାନ କରିବାକୁ ଅନୁମତି ଦିଆଯାଇ ନାହିଁ। ବୁଧବାର ସକାଳେ ଏକ ସମ୍ବାଦିକ ସମ୍ମିଳନୀରେ ସ୍ୱାମୀଜୀ କ୍ଷୋଭର ସହିତ କହିଛନ୍ତି, ‘ମୁଁ ଅତ୍ୟନ୍ତ ଦୁଃଖୀ ମନରେ ବିନା ସ୍ନାନ କରି ଫେରୁଛି। ମୋର ୩୯ ବର୍ଷର ଆଧ୍ୟାତ୍ମିକ ଯାତ୍ରାରେ ଏହା ପ୍ରଥମ ଘଟଣା। ପ୍ରୟାଗରାଜ ସବୁବେଳେ ଆସ୍ଥା ଓ ଶାନ୍ତିର ଭୂମି ରହିଛି, କିନ୍ତୁ ଏଥର ଯାହା ଘଟିଲା ତାହା ମୋ ଆତ୍ମାକୁ ଶକ୍ତ ଆଘାତ ଦେଇଛି। ଏଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ମୁଁ କେବେ କଳ୍ପନା କରିନଥିଲି।’ ସୂଚନାଯୋଗ୍ୟ ଯେ, ମେଳା ପ୍ରଶାସନ ପକ୍ଷରୁ ତାଙ୍କୁ ସସମ୍ମାନ ସ୍ନାନ କରାଇବା ପାଇଁ ଏକ ଚିଠି ପଠାଯାଇଥିଲା, କିନ୍ତୁ ଶଙ୍କରାଚାର୍ଯ୍ୟ ସେହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ସେ କହିଛନ୍ତି ଯେ ଯେତେବେଳେ ମନରେ କଷ୍ଟ ଥାଏ, ସେତେବେଳେ ପବିତ୍ର ଜଳ ମଧ୍ୟ ଶାନ୍ତି ଦେଇପାରେ ନାହିଁ।