ମୁଁ ବି ଉପବାସ ରଖିବି: ଶରଦ ପୱାର

ନୂଆଦିଲ୍ଲୀ: ବିରୋଧୀ ସଦସ୍ୟଙ୍କ ପ୍ରବଳ ହଙ୍ଗାମା ସତ୍ତ୍ୱେ ସଂସଦର ଉଭୟ ସଦନରେ ପାରିତ ହୋଇଛି କୃଷି ବିଲ୍। ଅନ୍ୟପଟେ ଶୃଙ୍ଖଳା ଭଙ୍ଗ ଦର୍ଶାଯାଇ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ୮ ରାଜ୍ୟସଭା ସଦସ୍ୟଙ୍କୁ ନିଲମ୍ବିତ କରାଯାଇଛି। ଏହାକୁ ତୀବ୍ର ସମାଲୋଚନା କରିଛନ୍ତି ଏନସିପି ମୁଖ୍ୟ ଶରଦ ପୱାର।

କେନ୍ଦ୍ର ସରକାର ବିରୋଧୀଙ୍କ ଭୁମିକା ଶେଷ କରିଦେବାକୁ ଚାହୁଁଥିବା ସେ ଆକ୍ଷେପ କରିଛନ୍ତି। ରାଜ୍ୟସଭାରେ ବିରୋଧୀ ସାଂସଦଙ୍କୁ କହିବାକୁ ସୁଯୋଗ ଦିଆଗଲାନାହିଁ ଏବଂ ଏକତରଫା ଭାବେ ବିଲ୍ ପାସ କରାଗଲା ବୋଲି କହିଛନ୍ତି ପୱାର। ଏଥିସହ ନିଲମ୍ବିତ ୮ ବିରୋଧୀ ସାଂସଦଙ୍କ ସମର୍ଥନରେ ସେ ଗୋଟିଏ ଦିନ ଉପବାସ ରଖିବେ ବୋଲି ଜଣାଇଛନ୍ତି।

ସୂଚନାଯୋଗ୍ୟ, ଆଜି ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ଧାରଣାରେ ବସିଥିବା ସାଂସଦମାନଙ୍କ ନିକଟକୁ ଚା ନେଇ ଯାଇଥିଲେ। ତାଙ୍କର ଏଭଳି କାର୍ଯ୍ୟକୁ ସର୍ବତ୍ର ପ୍ରଶଂସା କରାଯାଇଛି। ଏହାପରେ ବରିଷ୍ଠ ବିରୋଧୀ ନେତାମାନେ ବୁଝାସୁଝା କରିବା ପରେ ସେମାନେ ଧାରଣା ପ୍ରତ୍ୟାହାର କରିଛନ୍ତି। ତେବେ ତିନି ଦାବି ପୂରଣ ନହେଲେ କୌଣସି ବିରୋଧୀ ସଦସ୍ୟ ଗୃହ କାର୍ଯ୍ୟରେ ଯୋଗ ଦେବେନାହିଁ ବୋଲି ଗୁଲାମ ନବୀ ଆଜାଦ ଜଣାଇଛନ୍ତି। ୮ ସଦସ୍ୟଙ୍କ ନିଲମ୍ବନ ପ୍ରତ୍ୟାହାର, ସ୍ୱାମୀନାଥନ କମିଟି ଆଧାରରେ ଏମଏସପିର ମୂଲ୍ୟାୟନ ଏବଂ ମଣ୍ଡି ବାହାରେ କୌଣସି ବେପାରୀ ଯେମିତି ସରକାରଙ୍କ ଧାର୍ଯ୍ୟ ଏମଏସପିରୁ କମ ମୂଲ୍ୟରେ ଶସ୍ୟ ନ କିଣିବେ ଏହାକୁ ସୁନିଶ୍ଚିତ କରିବାକୁ ଆଉ ଏକ ବିଲ୍ ଆଣିବା ତାଙ୍କର ଦାବି ରହିଛି।