ରିୟାଙ୍କ ଜେଲ୍ ଅବଧି ଅକ୍ଟୋବର ୬କୁ ବୃଦ୍ଧି

ମୁମ୍ବାଇ: ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ପାଇଁ ପୁଣି ଅଡ଼ୁଆ ବଢ଼ିଲା। ତାଙ୍କର ବିଚାର ବିଭାଗୀୟ ହେଫାଜତରେ ରହଣି ଅବଧି ଆଜି ଶେଷ ହେବାର ଥିଲା। ହେଲେ କୋର୍ଟ ପୁଣିଥରେ ଏହାକୁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ଏନେଇ ଆସନ୍ତାକାଲି ବମ୍ବେ ହାଇକୋର୍ଟଙ୍କ ନିକଟରେ ଜାମିନ ଆବେଦନ କରିବେ ରିୟା। ତେବେ ପୂର୍ବରୁ ତାଙ୍କ ଜାମିନ ଆବେଦନ ଦୁଇଥର ଖାରଜ ହୋଇସାରିଛି। ରିୟାଙ୍କ ଭାଇ ସୌଭିକଙ୍କ ସମେତ ଅନ୍ୟ ୪ ଅଭିଯୁକ୍ତ ମଧ୍ୟ ବର୍ତ୍ତମାନ ଜେଲରେ ଅଛନ୍ତି। ଏ ଭିତରେ ଆସନ୍ତାକାଲି ହାଇକୋର୍ଟ କଣ ରାୟ ଦେଉଛନ୍ତି ଏହା ଉପରେ ସମସ୍ତଙ୍କ ନଜର ରହିଛି।

ଲଗାତାର ତିନି ଦିନର ଜେରା ପରେ ରିୟାଙ୍କୁ ସେପ୍ଟେମ୍ବର ୮ ତାରିଖରେ ଗିରଫ କରିଥିଲା ଏନସିବି। ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଚାଲିଥିବା ବେଳେ ଡ୍ରଗ୍ସ ଲିଙ୍କ ଉଠିବାରୁ ଏନସିବି ମୁଣ୍ଡ ଖେଳାଇଥିଲା। ଏ ଭିତରେ ସାରା ଅଲ୍ଲୀ ଖାନ୍, ରକୁଲ ପ୍ରୀତ ସିଂ, ଶ୍ରଦ୍ଧା କପୁର, ମୁକେଶ ଛବ୍ରା, ସିମୋନ ଖମ୍ବାଟା ପ୍ରଭୃତିଙ୍କ ନାଁ ପଚରାଉଚରା ବେଳେ ନେଇଛନ୍ତି ରିୟା। ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ହ୍ୱାଟ୍ସଆପ୍ ଚାଟ୍ ଭାଇରାଲ ହେବାପରେ ସେ ମଧ୍ୟ ଏନିବି ସ୍କାନରକୁ ଆସିବା ଚର୍ଚ୍ଚା ହେଉଛି।