ନୂଆଦିଲ୍ଲୀ: ଜେଲରେ ବନ୍ଦ ମନିଷ ସିସୋଦିୟାଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ କରିଛି ସିବିଆଇ । ଦିଲ୍ଲୀ ସରକାରଙ୍କ ଫିଡ୍ବ୍ୟାକ୍ ୟୁନିଟ ସଂପର୍କୀତ ମାମଲାରେ ସିସୋଦିୟାଙ୍କ ସମେତ ଆହୁରି କିଛି ସରକ।।ରୀ ଅଧିକାରୀଙ୍କ ନାମରେ ମାମଲା ରୁଜୁ କରିଛି ସିବିଆଇ । ଦିଲ୍ଲୀ ବିବାଦୀୟ ଅବକାରୀ ନୀତିକୁ କେନ୍ଦ୍ର କରି ମନିଷଙ୍କୁ ଗିରଫ କରାଯାଇଛି । ଏବେ ଆଉ ଗୋଟିଏ ମାମଲା ରୁଜୁ କରିବା ଫଳରେ ମନିଷଙ୍କ ଅଡୁଆ ବଢ଼ିଯାଇଛି ।
ସୂଚନା ମୁତାବକ ଆଇଆରଏସ୍ ଅଫିସର ସୁକେଶ କୁମାର ଜୈନ, ସିଆଇଏସ୍ଏଫର ଅବସରପ୍ରାପ୍ତ ଡିଆଇଜି ରାକେଶ କୁମାର ସିହ୍ନା, ଆଇବି ଯୁଗ୍ମ ଡେପୁଟି ଡାଇରେକ୍ଟର ପ୍ରଦୀପ କୁମାର ପୁଂଜ, ସିଆଇଏସ୍ଏଫ୍ ଅବସରପ୍ରାପ୍ତ ଆସିଷ୍ଟାଂଟ କମାଣ୍ଡାଂଟ ସତୀଶ କ୍ଷେତ୍ରପାଲ ଓ ଗୋପାଲ ମୋହନଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଛି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଜୀ ମିଛ ମାମଲାରେ ଫସାଇ ସିସୋଦିୟାଙ୍କୁ ଲମ୍ବା ସମୟ ପାଇଁ ଜେଲରେ ରଖିବାକୁ ଚାହୁଁଛନ୍ତି । ଏହା ଅତ୍ୟନ୍ତ କ୍ଷୋଭର ବିଷୟ । ଦିଲ୍ଲୀ ବିଜେପି କହିଛି, ଏଭଳି ଦେଶଦ୍ରୋହ ମାମଲାକୁ ସାମାନ୍ୟ ମଣିବା ଆଦୌ ଉଚିତ ନୁହେଁ । ଅଭିଯୁକ୍ତଙ୍କ ବିରୋଧରେ କଠୋରତମ ପଦକ୍ଷେପ ଗ୍ରହଣ କରାଯିବା ଦରକାର । ଦିଲ୍ଲୀ କଂଗ୍ରେସ ମଧ୍ୟ ଆପ୍ ପ୍ରତି କଠୋର ବାଣୀ ଶୁଣାଇଛି ।