ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଉତ୍ତରପ୍ରଦେଶ ହାଥରସରେ ଘଟିଥିବା ଗଣଦୁଷ୍କର୍ମ ମାମଲାର ସବିଶେଷ ତଦନ୍ତ ପାଇଁ ଏସଆଇଟି ଗଠନ କରିଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ । ମାମଲାରେ ଏସଆଇଟିକୁ ସବିଶେଷ ରିପୋର୍ଟ ଦେବା ପାଇଁ ୭ଦିନ ସମୟ ଦିଆଯାଇଥିବା ବେଳେ ଏହି ସମୟ ଶେଷ ହେଉଛି। ହେଲେ ଆଜି ରିପୋର୍ଟ ଦାଖଲ କରିବାକୁ ଅସମର୍ଥ ଥିବାରୁ ଏସଆଇଟିକୁ ଆହୁରି ୧୦ଦିନ ସମୟ ଦେଇଛନ୍ତି ସରକାର।
ତେବେ ଏହି ଟିମରେ ୩ ଜଣ ସଦସ୍ୟ ରହିଥିବା ବେଳେ ଏହି ମାମଲାକୁ ଫାଷ୍ଟଟ୍ରାକ କୋର୍ଟରେ ତୁରନ୍ତ ବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୧୪ ତାରିଖରେ ହାଥରସର ୧୯ ବର୍ଷୀୟା ଯୁବତୀକ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ପ୍ରାୟ ୪ ଦିନ ଧରି ଜୀବନ ସହ ସଂଗ୍ରାମ କରିବା ପରେ ଯୁବତୀ ଦିଲ୍ଲୀର ଏକ ହସ୍ପିଟାଲରେ ମୃତ୍ୟୁବରଣ କରିଥିଲେ ।ପୀଡ଼ିତାଙ୍କର ମୃତ୍ୟୁ ପାଇଁ ପୁଲିସର ଅବହେଳାକୁ ପରିବାର ଲୋକେ ଦାୟୀ କରିଥିଲେ। ପୁଲିସକୁ ଘଟଣା ସମ୍ପର୍କରେ ତୁରନ୍ତ ସେମାନେ ଜଣାଇଥିଲେ ବି ଚାରି ପାଞ୍ଚ ଦିନ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ବୋଲି ପରିବାର ପକ୍ଷରୁ କୁହାଯାଇଥିଲା। ପରେ ୪ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲେ ମଧ୍ୟ ପରିବାର ଲୋକଙ୍କୁ ପୀଡ଼ିତାଙ୍କ ଶେଷ ଦର୍ଶନ ପାଇଁ ଅନୁମତି ନଦେଇ ଶବ ସତ୍କାର କରିଦେବା ଖବର ଏବେ ଉତ୍ତରପ୍ରଦେଶ ପୁଲିସର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛି।ଏହାକୁ ନେଇ ଚାରିିଆଡୁ ସମାଲୋଚନାର ଶିକାର ହେବା ପରେ ଉତ୍ତରପ୍ରଦେଶ ସରକାର ଏସଆଇଟି ଗଠନ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।