ରିୟାଙ୍କୁ ମିଳିଲା ଜାମିନ

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରେମିକ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମିଳିଛି ଜାମିନ୍ । ଗିରଫ ହେବାର ୨୮ ଦିନ ପରେ ବମ୍ବେ ହାଇକୋର୍ଟ ରିୟାଙ୍କୁ ସର୍ତ୍ତମୂଳକ ଜାମିନ୍ ଦେଇଛନ୍ତି। ଜାମିନ ପରେ ରିୟା ଚକ୍ରବର୍ତ୍ତୀଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି । ଏହାସହ ସୁଶାନ୍ତଙ୍କ ହାଉସ୍‌ ମ୍ୟାନେଜର୍‌ ସାମୁଏଲ୍‌ ମିରାଣ୍ଡା, ଦୀପେଶ ସାୱନ୍ତଙ୍କୁ ମଧ୍ୟ ଜାମିନ୍‌ ମିଳିଛି।

ଅନ୍ୟପଟେ ରିୟାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀଙ୍କର ଜାମିନ୍ ଆବେଦନ ଖାରଜ ହୋଇଛି। ଏହାସହ ଡ୍ରଗ୍ସ ପ୍ୟାଡଲର୍ ବାସିତ୍ ପରିହାରର ଜାମିନ୍ ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଦେଇଛନ୍ତି।

ରିୟା ବିନା ଅନୁମତିରେ ମୁମ୍ବାଇରୁ ବାହାରକୁ ଯାଇପାରିବେ ନାହିଁ ବୋଲି ସୂଚନା ରହିଛି। ତାଙ୍କ ପାସପୋର୍ଟ ଦାଖଲ କରିବାକୁ ଅଦାଲତ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତିି। ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ରିୟାଙ୍କୁ ଜାମିନ ପ୍ରଦାନ କରିଛନ୍ତି ଅଦାଲତ।

ବେନିୟମ ଡ୍ରଗ୍ସ ମାମଲାରେ ସଂପୃକ୍ତି ଥିବା ଅଭିଯୋଗରେ ସେପ୍ଟେମ୍ବର ୯ ତାରିଖରେ ରିୟାଙ୍କୁ ଗିରଫ କରିଥିଲା ନାର୍କେଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ (ଏନ୍‌ସିବି)। ତାଙ୍କ ସହ ତ‌ାଙ୍କ ଭାଇ ସୌଭିକ୍‌, ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପରିଚାଳକ ସାମୁଏଲ ମିରିଣ୍ଡା ଓ ଅନ୍ୟମାନଙ୍କୁ ମଧ୍ୟ ଏନ୍‌ସିବି ଗିରଫ କରିଥିଲା।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଜାମିନ୍‌ ପାଇଁ ରିୟା ଓ ସୌଭିକ୍‌ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଅଦାଲତ ରିୟାଙ୍କୁ ଜାମିନ ପ୍ରଦାନ କରିଛନ୍ତି ଓ ସେ ଖୁବ୍ ଶୀଘ୍ର ଜେଲ୍‌ରୁ ମୁକ୍ତ ହେବେ। ପୂର୍ବରୁ ରିୟାଙ୍କୁ ଜେଲ୍‌ରୁ ମୁକ୍ତ କରିବାକୁ ବଲିଉଡ୍‌ର କିଛି ସେଲିବ୍ରିଟି ଅନ୍‌ଲାଇନ୍‌ ଅଭିଯାନ ଆରମ୍ଭ କରିଥିଲେ।