ହାଥରାସ ଗଣଦୁଷ୍କର୍ମ ମାମଲାର ତଦନ୍ତ କରିବ ଏସଆଇଟି: ଯୋଗୀ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ହାଥରାସରେ ହୋଇଥିବା ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲା ସଠିକ୍ ତଦନ୍ତ ପାଇଁ ସ୍ପେସିଆଲ ଇନଭେଷ୍ଟିକେସନ ଟିମ୍ ( ଏସଆଇଟି) ଗଠନ କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ । ଏହି ଟିମରେ ୩ ଜଣ ସଦସ୍ୟ ରହିଥିବା ବେଳେ ଏହି ମାମଲାକୁ ଫାଷ୍ଟଟ୍ରାକ କୋର୍ଟରେ ତୁରନ୍ତ ବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ଏସଆଇଟିର ଏହି ଟିମରେ ଅଧ୍ୟକ୍ଷତା କରିବେ ୟୁପିର ଗୃହସଚିବ ଭଗବାନ ସ୍ୱରୂପ ଶ୍ରୀବାସ୍ତବ। ଏହି ୩ ଜଣିଆ ଟିମ୍ ରେ ଡିଆଇଜି ଚନ୍ଦ୍ର ପ୍ରକାଶ ଓ ଆଇପିଏସ୍ ପୁନମ ବି ସାମିଲ ଅଛନ୍ତି । ଏଠାରେ ପ୍ରକାଶ ଥାଉକି, ମାମଲାରେ ଜଡିତ ୪ ଜଣ ଯାକ ଅଭିଯୁକ୍ତଙ୍କୁ ପୋଲିସ ଗିରଫ୍ କରି ଜେଲରେ ରଖିଛି ।

ସେପଟେ ଏହି ମାମଲା ସାମ୍ନାକୁ ଆସିବା ପରେ ଯୋଗୀ ସରକାରଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଛି । ବିରୋଧୀ ଦଳ ସରକାରଙ୍କ ଉପରେ ସମୁହ ଆକ୍ରମଣ ଡାକରା ଦେଇ ସାରିଛନ୍ତି । କଂଗ୍ରେସ ମହିଳା ମୋର୍ଚ୍ଚା ଦୁଷ୍କର୍ମ ପୀଡିତା ଚିକିତ୍ସା ହେଉଥିବା ମେଡିକାଲ ଆଗରେ ଏକ ବଡ ଧରଣର ଆନ୍ଦୋଳନ କରିଛି । ଏସବୁକୁ ନଜରରେ ରଖି ଦୁଷ୍କର୍ମରେ ଶିକାର ହୋଇ ମୃତ୍ୟୁବରଣ କରିଥିବା ଝିଅର ପରିବାରକୁ ନ୍ୟାୟ ଦେବାକୁ ତୁରନ୍ତ ଏସଆଇଟି ଗଠନ କରିଛନ୍ତି ସରକାର । ଏହା ସହ ଏହି ତଦନ୍ତକାରୀ ଦଳ ୭ ଦିନ ମଧ୍ୟରେ କୋର୍ଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ୟପଟେ ପିଡୀତାଙ୍କ ଅନ୍ତିମ ସଂସ୍କାରକୁ ନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ଉପରେ ବି ଆଙ୍ଗୁଳି ଉଠିଛି । ପ୍ରଶ୍ନ ଉଠୁଛି ଯେ ପୋଲିସ କିଭଳି ଭାବେ ମୃତ ଶରୀରକୁ ପରିବାର ଲୋକଙ୍କୁ ନଦେଇ ରାତି ଅଧରେ ଶବ ସଂସ୍କାର କରିଦେଲା । ସେପଟେ ପୀଡିତାଙ୍କ ପରିବାର କିଛି ସମୟ ଧରି ଶବକୁ ଘେରି ରହିଥିଲେ ଓ ପୋଲିସ ଆଗରେ କାକୁତି ମିନତି ହୋଇଥିଲେ କି ଶେଷଥର ପାଇଁ ସେମାନେ ତାଙ୍କ ଝିଅର ମର ଶରୀରକୁ ଦେଖିବାକୁ ଚାହୁଁଛନ୍ତି । ହେଲେ ପୋଲିସ ସେମାନଙ୍କର ଅନୁରୋଧ ରଖିନଥିଲା । ଆଉ ତରବରିଆ ଭାବେ ରାତି ୨.୩୦ ମିନଟରେ ଏକ ଶୂନଶାନ ସ୍ଥାନରେ ପରିବାର ଲୋକଙ୍କକ ବିନା ଉପସ୍ଥିତିରେ ଶବ ସଂସ୍କାର କଲା ତାହାକୁ ନେଇ ଏବେ ପ୍ରଶ୍ନ ଉଠିବା ସହ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।