କୋହଲିଙ୍କ ପରେ ଆୟର ଦେବେ ୧୨ ଲକ୍ଷ ଫାଇନ୍

ଆବୁଧାବି: ମଙ୍ଗଳବାର ଖେଳାଯାଇଥିବା ହାଇଦ୍ରାବାଦ ବିପକ୍ଷ ଆଇପିଏଲ ମ୍ୟାଚରେ ଦଳର ଧିମା ବୋଲିଂ ଯୋଗୁଁ ଦିଲ୍ଲୀ ଅଧିନାୟକ ଶ୍ରେୟାସ ଆୟରଙ୍କୁ ଫାଇନ୍ ହୋଇଛି। ଆଇପିଏଲ କୋଡ଼ ଅଫ୍ କଣ୍ଡକ୍ଟ ଉଲ୍ଲଙ୍ଘନ ଦର୍ଶାଇ କର୍ତ୍ତୃପକ୍ଷ ତାଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଫାଇନ୍ ଲଗାଇଛନ୍ତି।

ସୂଚନାଯୋଗ୍ୟ, ଲଗାତାର ଦୁଇଟି ମ୍ୟାଚ୍ ଜିତିବା ପରେ ଗତକାଲି ଚଳିତ ଆଇପିଏଲର ପ୍ରଥମ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ହାରିଛି। ସନରାଇଜର୍ସ ହାଇଦ୍ରାବାଦର ଷ୍ଟାର ସ୍ପିନର ରଶିଦ ଖାନ୍ ମ୍ୟାଚରେ ଦିଲ୍ଲୀ ବ୍ୟାଟ୍ସମ୍ୟାନଙ୍କୁ ନାକେଦମ କରିଥିଲେ। ଶିଖର ଧାୱନ, ଶ୍ରେୟାସ ଆୟର ଏବଂ ରିଷଭ ପନ୍ତଙ୍କ ମୂଲ୍ୟବାନ ୱିକେଟ୍ ସେ ଅକ୍ତିଆର କରିଥିଲେ। ନିର୍ଦ୍ଧାରିତ ୨୦ ଓଭରରେ କେବଳ ୧୪୭ ରନ୍ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା ଦିଲ୍ଲୀର ପାଳି। ପ୍ରଥମେ ବ୍ୟାଟିଂ କରି ୧୬୨ ରନର ଟାର୍ଗେଟ ରଖିଥିଲା ଏସଆରଏଚ।

ଚଳିତ ଆଇପିଏଲରେ ଶ୍ରେୟାସଙ୍କ ପୂର୍ବରୁ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଧିମା ବୋଲିଂ ପାଇଁ ଫାଇନ୍ ଦେଇସାରିଛନ୍ତି। ପଞ୍ଜାବ ବିପକ୍ଷ ମ୍ୟାଚରେ ତାଙ୍କୁ ଏହି ଫାଇନ୍ ଲଗାଯାଇଥିଲା। ବର୍ତ୍ତମାନ ରାଜସ୍ଥାନ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିବା ବେଳେ ଦିଲ୍ଲୀ ଏବଂ ବାଙ୍ଗାଲୋର ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନକୁ ରହିଛନ୍ତି।