ଏଲଏସିରେ ସ୍ଥିତି ଗମ୍ଭୀର: ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ: ‘ଭାରତ-ଚୀନ ମଧ୍ୟରେ ଥିବା ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି) ଠାରେ ସ୍ଥିତି ଚିନ୍ତାଜନକ ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେ ପ୍ରତିଷେଧକ ବ୍ୟବସ୍ଥା କରିଛୁ। ଭାରତର ସୁରକ୍ଷା ଓ ଅଖଣ୍ଡତା ରକ୍ଷା ଲାଗି ଅଧିକ ସୈନ୍ୟ ମୁତୟନ କରାଯାଇଛି। କୌଣସି କ୍ଷେତ୍ରରେ ପଛଘୁଞ୍ଚା ଦେବାର ପ୍ରଶ୍ନ ଉଠୁନି’, ଦୁଇ ଦିନିଆ ଲଦାଖ ଗସ୍ତରେ ଯାଇଥିବା ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ ଏ କଥା କହିଛନ୍ତି।

ସେ କହିଛନ୍ତି କି, ‘ମୁଁ ଲେହରେ ପହଞ୍ଚିବା ପରେ ବିଭିନ୍ନ ସ୍ଥାନ ପରିଦର୍ଶନ କରିଛି। ପ୍ରସ୍ତୁତି କେମିତି ରହିଛି ଏ ସମ୍ପର୍କରେ ଜେସିଓ ଏବଂ ଅନ୍ୟ ଅଧିକାରୀଙ୍କ ସହ କଥା ହୋଇଛି। ଯବାନଙ୍କ ମନୋବଳ ଉଚ୍ଚ ରହିଛି। ଯେ କୌଣସି ଆହ୍ୱାନର ସମ୍ମୁଖୀନ ହେବାକୁ ସେମାନେ ପ୍ରସ୍ତୁତ ଅଛନ୍ତି। ମୁଁ ଦୋହରାଇବାକୁ ଚାହେଁ କି ଆମର ଯବାନ ଓ ସେନା ଅଧିକାରୀ ଦୁନିଆର ସବୁଠୁ ଦକ୍ଷ। ସେମାନେ କେବଳ ସେନାକୁ ନୁହେଁ ବରଂ ପୁରା ଦେଶକୁ ଗର୍ବିତ କରିବେ’।

ସ୍ଥଳସେନାମୁଖ୍ୟଙ୍କ କହିବା କଥା ଗତ ୨-୩ ମାସ ଧରି ସ୍ଥିତି ଗମ୍ଭୀର ରହିଛି। କିନ୍ତୁ, ଆମେ ଉଭୟ ସେନା ଏବଂ ଆଧିକାରିକ ସ୍ତରରେ ଚୀନ୍ ସହ ଆଲୋଚନା ଜାରି ରଖିଛୁ। ଏହା ଚାଲିଛି ଏବଂ ଭବିଷ୍ୟତରେ ମଧ୍ୟ ଜାରି ରହିବ। ଆମେ ନିଶ୍ଚିତ ଯେ ଦ୍ବିପାକ୍ଷିକ ଆଲୋଚନା ଦ୍ୱାରା ଆମ ଭିତରେ ଯାହା କିଛି ବିବାଦ ରହିଛି ତାର ସମାଧାନ ହେବ। ତେବେ ଆମର ରଣନୀତିରେ ଯେପରି କୌଣସି ପରିବର୍ତ୍ତନ ନହେବ ଏବଂ ସ୍ୱାର୍ଥର ସୁରକ୍ଷା ହୋଇପାରିବ ସେଥିପ୍ରତି ଲକ୍ଷ୍ୟ ରହିବ।