ଇଶା ଓ ଆକାଶଙ୍କ କମାଲ୍

ମୁମ୍ବାଇ: ଆମେରିକାର ପ୍ରତିଷ୍ଠିତ ପତ୍ରିକା ଫର୍ଚ୍ୟୁନ୍ ପକ୍ଷରୁ ୪୦ ବର୍ଷରୁ କମ ବିଶ୍ୱର ୪୦ ଜଣିଆ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ରିଲାଏନ୍ସ ଜିଓ ବୋର୍ଡ଼ ନିର୍ଦ୍ଦେଶକ ଥିବା ଇଶା ଓ ଆକାଶ ଅମ୍ବାନୀ ସ୍ଥାନ ପାଇଛନ୍ତି। ଉଭୟଙ୍କୁ ପ୍ରଯୁକ୍ତି ବର୍ଗରେ ସ୍ଥାନିତ କରିଛି ଫର୍ଚ୍ୟୁନ୍ ପତ୍ରିକା।

ସୂଚନାଯୋଗ୍ୟ, ୨୦୨୦ ବର୍ଷ ପାଇଁ ଆର୍ଥିକ କ୍ଷେତ୍ର, ପ୍ରଯୁକ୍ତି, ସ୍ୱାସ୍ଥ୍ୟସେବା, ସରକାର ଓ ରାଜନୀତି ଏବଂ ମିଡିଆ ଓ ମନୋରଞ୍ଜନ ଭଳି ପାଞ୍ଚଟି ବର୍ଗରେ ଫର୍ଚ୍ୟୁନ୍ ପକ୍ଷରୁ ବିଶ୍ୱର ୪୦ବର୍ଷରୁ କମ ବୟସର ଉଦ୍ଦ୍ୟୋଗୀଙ୍କୁ ନେଇ ଏହି ତାଲିକା ପ୍ରକାଶ କରାଯାଇଛି। ଆକାଶ ଓ ଇଶାଙ୍କ ପ୍ରସଙ୍ଗରେ ଫର୍ଚ୍ୟୁନ୍ ଉଲ୍ଲେଖ କରିଛି କି ଡାଟା ହେଉଛି ନୂଆ ତୈଳ, ଯାହା ଭାରତର ସର୍ବବୃହତ୍ତ କମ୍ପାନୀ ରିଲାଏନ୍ସ ଇଣ୍ଟଷ୍ଟ୍ରିଜ କ୍ଷେତ୍ରରେ ବେଶ୍ ପ୍ରଯୁଜ୍ୟ। ୪୭ ବର୍ଷ ପୁରୁଣା ଏହି କମ୍ପାନୀ ପେଟ୍ରୋଲିୟମ କ୍ଷେତ୍ରରେ ବେଶ୍ ସଫଳତା ହାସଲ କରିବା ପରେ ୨୦୧୬ରେ ଆରମ୍ଭ ହୋଇଥିବା ଜିଓ ଜରିଆରେ ଭାରତର ମୋବାଇଲ ବଜାରରେ ପ୍ରମୁଖ ସ୍ଥାନ ହାସଲ କରିଛି।

ରିଲାଏନ୍ସ ଜିଓରେ ଫେସବୁକ୍, ଗୁଗଲ୍ ଆଦି କମ୍ପାନୀ ପୁଞ୍ଜି ଲଗାଇବା ପଛରେ ଆକାଶ ଓ ଇଶାଙ୍କର ବଡ଼ ଅବଦାନ ରହିଛି। ଏ ଦୁହେଁ ‘ରିଲାଏନ୍ସ ଜିଓ’ରେ ଯୋଗଦେବା ପରେ କମ୍ପାନୀର ମୂଲ୍ୟ ୬୫ ବିଲିଅନ୍ ଡଲାର ଛୁଇଁଛି। ଏଥିସହ ଜିଓ ମାର୍ଟ ଜରିଆରେ ଇ-କମର୍ସ ଦୁନିଆରେ ରିଲାଏନ୍ସ ଗ୍ରୁପ୍ ପାଦ ଥାପିବା ପଛରେ ମଧ୍ୟ ମୁଖ୍ୟ ଭୂମିକା ଇଶା ଓ ଆକାଶଙ୍କର। ଦୁହେଁ ବାପା ମୁକେଶ ଅମ୍ବାନୀଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ଆଗକୁ ନେବାକୁ ଅହରହ ଶ୍ରମ ଦେଇଚାଲିଛନ୍ତି।

ଇଶା ଓ ଆକାଶଙ୍କ ସହିତ ସ୍ଥାନ ପାଇଥିବା ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ଅନଲାଇନ ଶିକ୍ଷା ପ୍ଲାଟପର୍ମ ବାଇଜୁସ୍‌ର ସହ ପ୍ରତିଷ୍ଠାତା ଓ ସିଇଓ ରବୀନ୍ଦ୍ରନ ଏବଂ ସେରମ୍ ଇନଷ୍ଟିଚୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦର ପୁନାୱାଲା ।