ଶ୍ରୀସନ୍ଥଙ୍କୁ ଚାପୁଡ଼ା ମାରିବା ଏକ ଅକ୍ଷମଣୀୟ ଅପରାଧ: ହରଭଜନ

କ୍ରିକେଟ୍ କ୍ୟାରିୟର ସଂପର୍କରେ ଆଲୋଚନା କରିବା ସମୟରେ କ୍ରିକେଟିୟର ହରଭଜନ ସିଂ ତାଙ୍କ ଜୀବନର ବିରାଟ ଭୁଲକୁ ସବୁବେଳେ ମନେ ପକାଉଚନ୍ତି । ସେହି ଭୁଲ ପାଇଁ ତାଙ୍କୁ ଆଜି ସୁଦ୍ଧା କ୍ଷମା ଭିକ୍ଷା କରିବାକୁ ପଡୁଛି ।

୨୦୦୮ ମସିହାର ଘଟଣା । ଆଇପିଏଲ ଉଦ୍‌ଘାଟନୀ ମ୍ୟାଚ୍ ସମୟର କଥା । ହରଭଜନ ସିଂ ମୁମ୍ବାଇ ଇଣ୍ଡିଆନର ଅଧିନାୟକ ଦାୟିତ୍ୱରେ ଥିଲେ । ସେହି ମଇଦାନରେ ହରଭଜନ ସିଂ ସାଥୀ ଖେଳାଳୀ ଶ୍ରୀସନ୍ଥଙ୍କ ଗାଲକୁ କେତୋଟି ଶକ୍ତ ଚାପୁଡ଼ା କଷି ଦେଇଥିଲେ । ମଇଦାନରେ ହରଭଜନଙ୍କ ଆଚରଣ ଓ ଉଚ୍ଚାରଣ ସବୁବେଳେ ବିବାଦୀୟ ରହିଆସିଛି । ରବିଚନ୍ଦ୍ରନ ଅଶ୍ୱିନଙ୍କ ସହିତ ଏକ ୟୁଟୁବ ପଡକାଷ୍ଟରେ ଅଂଶଗ୍ରହଣ କରି ହରଭଜନ ସିଂ ଅତୀତର ଦୁଃଖଦଦାୟକ ଘଟଣାକୁ ପୁଣି ମନେ ପକାଇଚନ୍ତି ।

ଶ୍ରୀସନ୍ଥଙ୍କ ପ୍ରତି କରିଥିବା ଭୁଲକୁ ଯେତେ ଭୁଲିବାକୁ ଚେଷ୍ଟା କରୁଛନ୍ତି ହରଭଜନ । ଆଜି ପର୍ଯ୍ୟନ୍ତ ଭୁଲି ପାରୁନାହାନ୍ତି । ଶ୍ରୀସନ୍ଥଙ୍କ ପ୍ରତି କରିଥିବା ଅବିଚାର ପାଇଁ ହରଭଜନ ପ୍ରାୟ ୨୦୦ ଥର କ୍ଷମା ପ୍ରାର୍ଥନା କରି ସାରିଛନ୍ତି, ତଥାପି ତାଙ୍କୁ କେହି କ୍ଷମା ଭିକ୍ଷା ପ୍ରଦାନ କରିନାହାନ୍ତି । ଏହି କଥା କହିବା ସମୟରେ ହରଭଜନଙ୍କ ଆଖିରେ ଲୁହ ଆସି ଯାଇଥିଲା । ବିଶେଷ କରି ସେ ଗୋଟିଏ କାର୍ଯ୍ୟକ୍ରମରେ ଶ୍ରୀସନ୍ଥଙ୍କ ଝିଅ ସହିତ ଭେଟିବାର ସୁଯୋଗ ପାଇଥିଲେ । ଝିଅଟି ସହିତ ହରଭଜନ ସ୍ନେହପୂର୍ଣ୍ଣ କଥା ହେବାକୁ ଚାହୁଁଥିଲା ବେଳେ ଝିଅଟି କହିଥିଲା, ଆପଣ ମୋ ବାପାଙ୍କୁ ଚାପୁଡ଼ା ମାରିଛନ୍ତି । ମୁଁ ଆପଣଙ୍କ ସହିତ କଥା ହେବାକୁ ଚାହେଁନା । ଝିଅଟିର ମୁହଁରୁ ସେ କଥାଟି ଶୁଣିବା ପରେ ହରଭଜନ ଅନୁଭବ କରିଥିଲେ ଯେ ସେ କେତେ ବଡ଼ ଅପରାଧ କରିଛନ୍ତି?