‘ଆଙ୍ଗୁଠିରେ ନୁହେଁ, ବୁଦ୍ଧି ଖଟାଇ କରନ୍ତୁ ମତଦାନ’:ସୋନୁ ସୁଦ୍

ପାଟନା : ବିହାରରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି। ଏମିତି ସ୍ଥିତିରେ ବଲିଉଡ ଅଭିନେତା ସୋନୁ ସୁଦ ମଧ୍ୟ ଜନତାଙ୍କୁ ଏକ ଅପିଲ କରିଛନ୍ତି। ମତଦାନରେ ସେ ଆଙ୍ଗୁଠି ବ୍ୟବହାର ନ କରି ନିଜ ବୁଦ୍ଧି ଖଟାଇ ମତଦାନ କରିବାକୁ ଜନତାଙ୍କୁ ଅପିଲ କରିଛନ୍ତି। ଏହାସହ ସେ ବିହାରରୁ ପଳାୟନ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି।

ସୋନୁ ସୁଦ୍ ଏନେଇ ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି। ସେ ଟ୍ୱିଟ୍ କରିଛନ୍ତି ଯେ, ‘ଯେଉଁଦିନ ଆମ ବିହାର ଭାଇମାନଙ୍କୁ ନିଜ ଘର ଛାଡି କାମ ପାଇଁ ଅନ୍ୟ ରାଜ୍ୟକୁ ଯିବାକୁ ପଡ଼ିବନି, ଯେଉଁଦିନ ଅନ୍ୟ ରାଜ୍ୟର ଲୋକ କାମ ପାଇଁ ବିହାର ଆସିବେ ।ସେହିଦିନ ଦେଶର ବିଜୟ ହେବ। ଭୋଟ୍ ପାଇଁ ବଟନ୍ ଆଙ୍ଗୁଠିରେ ନୁହେଁ ବୁଦ୍ଧି ସାହାଯ୍ୟରେ ଚାପିବେ।’ ସୋନୁ ସୁଦଙ୍କ ଛଡା ଅଭିନେତ୍ରୀ ଓ କଂଗ୍ରେସ ନେତ୍ରୀ ଉର୍ମିଳା ମାତୋଣ୍ଡକର ମଧ୍ୟ ଟ୍ୱିଟ୍ କରି ବିହାର ଜନତାଙ୍କୁ ମତଦାନ ପାଇଁ ଅପିଲ୍ କରିଛନ୍ତି।

ଉର୍ମିଳା ମାତୋଣ୍ଡକର ଟ୍ୱିଟ କରି କହିଛନ୍ତି, ‘ସ୍ନେହର ବିହାରର ଭାଇଭଉଣୀ, ଆଜି ପ୍ରଥମ ପର୍ଯ୍ୟାୟ ମତଦାନ। ନିଜର ଭୋଟ ନିଶ୍ଚୟ ଦେବେ ଏବଂ ଦୟାକରି ଏହି ସ୍ଥିତିକୁ ନିଶ୍ଚୟ ମନେରଖିବେ।’ ଏହାସହ ସେ ହେସଟ୍ୟାଗ ସହ ବିହାର ନିର୍ବାଚନ, ବିହାର ବିଧାନସଭା ନିର୍ବାଚନ ଓ ବିହାର ଇଲେକ୍ସନ୍ ୨୦୨୦ ଲେଖିଛନ୍ତି।