ଘରୋଇକରଣ ହେବ ଶ୍ରୀଲଙ୍କାନ ଏୟାର ଲାଇନ୍ସ
ଶ୍ରୀଲଙ୍କାନ ଏୟାରଲାଇନ୍ସର ଘରୋଇକରଣ ପ୍ରସ୍ତାବ ଦେଇଛନ୍ତି ଶ୍ରୀଲଙ୍କା ନୂଆ ପ୍ରଧାନମନ୍ତ୍ରୀ ରନିଲ ୱିକ୍ରମସିଂହେ…
ନୂଆଦିଲ୍ଲୀ: ଶ୍ରୀଲଙ୍କାନ ଏୟାରଲାଇନ୍ସର ଘରୋଇକରଣ ପ୍ରସ୍ତାବ ଦେଇଛନ୍ତି ଶ୍ରୀଲଙ୍କା ନୂଆ ପ୍ରଧାନମନ୍ତ୍ରୀ ରନିଲ ୱିକ୍ରମସିଂହେ । ସରକାରୀ ବିମାନ କମ୍ପାନୀ ଗତ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ୩୭୨ ବିଲିୟନ ଟଙ୍କା କ୍ଷତି କରିଛି । ସେିହପରି ୱିକ୍ରମସିଂହେ ତାଙ୍କ ପୂର୍ବ କାର୍ଯ୍ୟକାଳରେ ମଧ୍ୟ ଏୟାରଲାଇନ୍ସର ଘରୋଇକରଣ ଉଦ୍ୟମ କରିଥିଲେ । ହେଲେ ଏଥିରେ ସଫଳ ହୋଇପାରିନଥିଲେ । ରନିଲ ୱିକ୍ରମ ସିଂହେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଦେଶକୁ ସମ୍ବୋଧନ କରି ବିମାନ କମ୍ପାନୀର ଘରୋଇକରଣ ପ୍ରସ୍ତାବ ରଖିଛନ୍ତି । ଏହି ବିମାନ କମ୍ପାନୀ କ୍ଷତିରେ ଚାଲୁଥିବାରୁ ଏହାର ଘରୋଇକରଣ ହେବା ଦରକାର ବୋଲି ସେ କହିଛନ୍ତି ।
ଏକ ରିପୋର୍ଟ ଅନୁସାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଏୟାର ଲାଇନସର ମ୍ୟାନେଜିଂ ସେୟାର ହୋଲ୍ଡର ଭାବେ ଏମିରେଟ୍ ଏୟାରଲାଇନ୍ସକୁ ହଟାଇବା ପରେ କମ୍ପାନୀର କ୍ଷତି ଆରମ୍ଭ ହୋଇଥିଲା । ରନିଲ ୱିକ୍ରମସିଂହେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିବା ପରେ ଅର୍ଥବ୍ୟବସ୍ଥା ସମ୍ମୁଖୀନ ହୋଇଥିବା ଆହ୍ୱାନ ମୁକାବିଲା ନିମନ୍ତେ କେତେକ ଉପାୟ ଘୋଷଣା କରିଛନ୍ତି । ଏଥିରେ ଯଦି ବିମାନ କମ୍ପାନୀର ଘରୋଇକରଣ କରାଯାଏ ତଥାପି ଆମକୁ କ୍ଷତି ସହିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଶ୍ରୀଲଙ୍କାର ଆର୍ଥିକ ଅବସ୍ଥା ଶୋଚନୀୟ ଅଛି । ବିଦେଶୀ ମୁଦ୍ରାଭଣ୍ଡାର ଖାଲି ହେଉଥିବାବେଳେ ହୋଇଯାଇଥିବା ବେଳେ ଦେଶରେ ଖାଇବା ପିଇବାର ସାମଗ୍ରୀ ନାହିଁ । ତେଣୁ ସରକାରୀ ଏୟାରଲାଇନ ବିକି ଡଲାର ଆୟ କରିବାକୁ ସରକାର ଯୋଜନା କରିଛନ୍ତି ।