କେନ୍ଦ୍ରମନ୍ତ୍ରୀଙ୍କ କାର ପଟୁଆର ଉପରକୁ ପଥରମାଡ଼
ଉତ୍ୟକ୍ତ ଚାଷୀମାନେ ମନ୍ତ୍ରୀଙ୍କୁ କହିଥିଲେ ଯେ ସେମାନେ ମନ୍ତ୍ରୀଙ୍କ ଭାଷଣ ଶୁଣିବା ପାଇଁ ଆସିନାହାନ୍ତି…
ପାଟନା: ବିହାରର ବକ୍ସରରେ ଚାଷୀ ସମୁଦାୟ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଉତ୍ୟକ୍ତ ଚାଷୀଙ୍କ କବଳରୁ ଚୌବେଙ୍କୁ ସୁରକ୍ଷିତ ଭାବେ ମୁକୁଳାଇ ଥିଲା ପୁଲିସ । ମାତ୍ର କେହି ଜଣେ ମନ୍ତ୍ରୀଙ୍କ କାର ପଟୁଆର ଉପରକୁ ପଥରମାଡ଼ କରିଥିଲା । ପଥରଟି କାହାକୁ ଆଘାତ କରିନାହିଁ । ଦିନକ ପୂର୍ବରୁ କୃଷକ ଗୋଷ୍ଠୀ ପୁଲିସକୁ ଆକ୍ରମଣ କରି ପ୍ରାୟ ୧୬ଟି ଗାଡ଼ିରେ ନିଅାଁ ଲଗାଇ ଦେଇଥିଲେ ।
ବକ୍ସର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଚୌବେ ତାପଜ ବିଦ୍ୟୁତ ଶକ୍ତି କେନ୍ଦ୍ରକୁ ଯାଇ ପଦାଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ସେଠାରୁ କୃଷକଙ୍କୁ ଭେଟିବା ପାଇଁ ବନାରପୁର ଗ୍ରାମକୁ ଯାଇଥିଲେ । ସେଠାରେ ଉପସ୍ଥିତ ଚାଷୀମାନେ ପ୍ରାୟ ୧୦ ମିନିଟ୍ ଧରି ମନ୍ତ୍ରୀଙ୍କ ଅଭିଭାଷଣ ଶୁଣିବା ପରେ ଅସହିଷ୍ଣୁ ହୋଇ ଉଠିଥିଲେ । ଉତ୍ୟକ୍ତ ଚାଷୀମାନେ ମନ୍ତ୍ରୀଙ୍କୁ କହିଥିଲେ ଯେ ସେମାନେ ମନ୍ତ୍ରୀଙ୍କ ଭାଷଣ ଶୁଣିବା ପାଇଁ ଆସିନାହାନ୍ତି ।
ପ୍ରଶାସନ ଅତ୍ୟାଚାର କରୁଥିଲା ବେଳେ ଆପଣ କୋଉଠି ଥିଲେ ବୋଲି ଚାଷୀଙ୍କ ପ୍ରଶ୍ନରେ ଉତକ୍ଷିପ୍ତ ହୋଇ ମନ୍ତ୍ରୀ ସଭାମଂଚରୁ ଓହ୍ଲାଇ ଯାଇଥିଲେ । ବକ୍ସର ଜିଲ୍ଲାର ଚୌଷାସ୍ଥିତ ତାପଜ ବିଦ୍ୟୁତ ଶକ୍ତି କେନ୍ଦ୍ରରେ ବିବାଦୀୟ ପରିସ୍ଥିତି ଉପୁଜିବା ପରଠାରୁ ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟରେ ବାକ୍ଯୁଦ୍ଧ ଆରମ୍ଭ ହୋଇଯାଇଛି । ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ରାଜ୍ୟ କେନ୍ଦ୍ରକୁ ଦାୟୀ କରୁଥିଲା ବେଳେ ମୋଦୀ ସରକାର ନିଜକୁ ଧୁଆମୁଗ କହୁଛି ।