ତୁର୍କୀ-ସିରିଆରେ ଶକ୍ତିଶାଳୀ ଭୂକମ୍ପ: ୧୫୦୦ ମୃତ

୫୦୦୦ରୁ ଅଧିକ କ୍ଷତବିକ୍ଷତ, ୪୦୦୦ ଘର ଧ୍ୱଂସସ୍ତୁପ…

ନୂଆଦିଲ୍ଲୀ: ସୋମବାର ସକାଳେ ତୁର୍କୀ ଓ ସିରିୟାରେ ୭.୮ ତିବ୍ରତା ସମ୍ପନ୍ନ ଶକ୍ତିଶାଳୀ ଭୂକମ୍ପ କାରଣରୁ ଅନ୍ୟୁନ ୧୫୦୦ ଲୋକ ପ୍ରାଣ ହରାଇଛନ୍ତି । ୫୩୮୦ ଜଣ ଖଣ୍ଡିଆ ଖାବରା ହୋଇଛନ୍ତି । ଅନ୍ୟୁନ ୨୮୧୮ କୋଠା ଭୁଶୁଡ଼ି ଯାଇଛି । ଭଙ୍ଗାରୁଜା କୋଠାତଳୁ ପ୍ରାୟ ୨୪୭୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଏବେସୁଦ୍ଧା ହଜାର ହଜାର ସଂଖ୍ୟକ ଜୀବନ ଭଙ୍ଗାକୋଠା ତଳେ ରହି ଯାଇଛନ୍ତି ।

ବିପନ୍ନଙ୍କୁ ଉଦ୍ଧାର ଓ ଥଇଥାନ କାର୍ଯ୍ୟ ଜୋରସୋରରେ ଚାଲିଛି । ପୀଡ଼ିତ ପରିବାରକୁ ଯଥାସାଧ୍ୟ ସାହାଯ୍ୟ ସହଯୋଗ କରିବା ପାଇଁ ତୁର୍କୀ ରାଷ୍ଟ୍ରପତି ରିସିପେ ଥାଇପେ ଏର୍ଡୋଗାନ୍‌ ଜରୁରୀକାଳୀନ ବୈଠକ ଡାକି ବିସ୍ତୃତ ଆଲୋଚନା କରିଛନ୍ତି ।

ସୂଚନା ମୁତାବକ ସୋମବାର ସକାଳ ପ୍ରାୟ ସାଢେ଼ ଚାରିଟାରେ ତୁର୍କୀରେ ଭୂକମ୍ପ ଘଟିଥିଲା । ଭୂକମ୍ପର କେନ୍ଦ୍ର ଗଜିୟାଟେପ ଇଲାକା ଥିଲା ଯାହା ସିରିୟା ସୀମାନ୍ତଠାରୁ ମାତ୍ର ୯୦ କିମି ଦୂରତା । ଭୂକମ୍ପର କ୍ରୁର ପରିହାସରୁ ସିରିୟା ମଧ୍ୟ ରକ୍ଷା ପାଇନାହିଁ । ତୁର୍କୀ ଓ ସିରିୟାରେ କ୍ରମାଗତ ୬ ଥର ଭୂକମ୍ପ ଅନୁଭୂତ ହୋଇଛି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ସଚିବ ପିକେ ମିଶ୍ର ଜରୁରୀକାଳୀନ ବୈଠକ ଡାକିଥିଲେ । ଭୂକମ୍ପ ପୀଡ଼ିତଙ୍କ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ ପାଇଁ ଏନ୍‌ଡିଆରଏଫର ୧୦୦ ଯବାନଙ୍କୁ ପଠାଯିବାର ବନ୍ଦୋବସ୍ତ କରାଯାଇଛି । ଏନ୍‌ଡିଆରଏଫ୍‌ ଟିମ ସହିତ ଗୋଟିଏ ମେଡିକାଲ ଟିମ ଔଷଧପତ୍ର ସହିତ ଯାତ୍ରା କରୁଛି । ଭାରତର ଉଦ୍ଧାରକାରୀ ଦଳ ଭିତରେ ସନ୍ଧାନୀ କୁକୁର ଟିମ ଯାତ୍ରା କରୁଛି ।