ରିପୋର୍ଟ ଅନୁଯାୟୀ, ବେଲୁଚିସ୍ତାନର ନୋଶକିରେ ପାକିସ୍ତାନୀ ସେନା କନଭୟରେ ଏକ ଭୟଙ୍କର ବିସ୍ଫୋରଣ ଘଟି ଅତି କମରେ ପାଞ୍ଚ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଛି ଏବଂ ଦଶରୁ ଅଧିକ ଆହତ ହୋଇଛନ୍ତି ।
ବିସ୍ଫୋରଣଟି ଏକ ଆତ୍ମଘାତୀ ବିସ୍ଫୋରଣ ବୋଲି ସନ୍ଦେହ କରାଯାଉଛି ଏବଂ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶର ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ବାଲୁଚ୍ ଲିବରେସନ୍ ଆର୍ମି (ବିଏଲଏ ) ଏହି ଘାତକ ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି ଏବଂ ଏହା ମଧ୍ୟ ଦାବି କରିଛି ଯେ ଅତି କମରେ ପାଞ୍ଚ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି । ନୋଶକି – ଡାଲବନ୍ଦିନ୍ ରାଜପଥରେ ବିସ୍ଫୋରଣ ଘଟିଥିଲା । ଆହତମାନଙ୍କୁ ନୋଶକି ହସ୍ପିଟାଲକୁ ନିଆଯାଇଥିଲା ।
“ସାତଟି ବସ୍ ଏବଂ ଦୁଇଟି କାରକୁ ନେଇ ଗଠିତ ସୁରକ୍ଷା ବାହିନୀର ଏକ କାଫଲା ଉପରେ ଆକ୍ରମଣ କରାଯାଇଥିଲା । ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦ ରୁ ଅଧିକ ଆହତ ହୋଇଛନ୍ତି । ଗୋଟିଏ ବସ୍ ଏକ ଭେଇକିଲ୍ ବୋର୍ଣ୍ଣ ଆଇଇଡି (ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍) ଦ୍ୱାରା ଆଘାତ ପାଇଛି । ସମ୍ଭବତଃ ଏହା ଏକ ଆତ୍ମଘାତୀ ଆକ୍ରମଣ, ଅନ୍ୟଟି କ୍ୱେଟାରୁ ତଫତାନ୍ ଯାଉଥିବା ସମୟରେ ଏକ ରକେଟ୍ ପ୍ରୋପେଲ୍ଡ ଗ୍ରେନେଡ୍ ଦ୍ୱାରା ଟାର୍ଗେଟ କରାଯାଇଥିଲା”, ନାମ ଗୋପନ ରଖି ଜଣେ ଅଧିକାରୀ କହିଛନ୍ତି । ସୁରକ୍ଷା ବାହିନୀ ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛନ୍ତି ଏବଂ ବିସ୍ଫୋରଣର ତଦନ୍ତ ଆରମ୍ଭ ହୋଇଛି ।