ମଝି ଆକାଶରେ ସୂୁଖୋଇ-ମିରାଜ ମୁହାଁମୁହିଁ

ମିରାଜ ପାଇଲଟ୍‌ ନିହତ, ସୁଖୋଇ ପାଇଲଟ୍‌ ଜୀବିତ

ନୂଆଦିଲ୍ଲୀ: ଶନିବାର ବାୟୁସେନାର ଦୁଇଟି ଲଢୁଆ ଜେଟ୍‌ ସୁଖୋଇ-୩୦ ଓ ମିରାଜ-୨୦୦୦ ମୁହାଁମୁହିଁ କାରଣରୁ ଧ୍ୱଂସ ହୋଇଯାଇଛି । ଦୁଇଟିଯାକ ଜେଟ୍‌ ଏଡେ଼ ବେଗରେ ଗତି କରୁଥିଲେ ଯେ ଦୁର୍ଘଟଣା ପରେ ପରସ୍ପରଠାରୁ ୯୦ କିଲୋମିଟର ବ୍ୟବଧାନରେ ପଡ଼ିଥିଲେ । ଗୋଟିଏ ଜେଟର ଭଙ୍ଗା ଟୁକୁଡ଼ା ଅଂଶ ମଧ୍ୟପ୍ରଦେଶର ମୁରୈନା ନିକଟରେ ପଡ଼ିଥିଲା ବେଳେ ଅନ୍ୟଟି ରାଜସ୍ଥାନର ଭରତପୁରରେ ପଡ଼ିଛି । ବାୟୁସେନା ପକ୍ଷରୁ କୁହାଯାଇଛି ଯେ ସୁଖୋଇର ଦୁଇ ପାଇଲଟ୍‌ ସୁରକ୍ଷିତ ଅଛନ୍ତି । ମାତ୍ର ମିରାଜ ପାଇଲଟ୍‌ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ଦୁର୍ଘଟଣାଗ୍ରସ୍ତ ସୁଖୋଇ ଭିତରୁ ଦୁଇ ପାଇଲଟ୍‌ ସୁରକ୍ଷିତ ଭାବେ ବାହାରି ପାରିଥିଲେ ।

ଲଢୁଆ ଜେଟ୍‌ ଦୁର୍ଘଟଣାଗ୍ରସ୍ତ ସମୟରେ ତା’ର କଣ୍ଡିସନ୍‌, ସିଷ୍ଟମ ଓ ଟାଇମିଂ ଉପରେ ବିଶେଷ ଧ୍ୟାନ ଦିଆଯାଏ । ଦୁର୍ଘଟଣା ସମୟରେ ପାଇଲଟ୍‌ ନିକଟରେ ମାତ୍ର ୫ ସେକେଣ୍ଡ ସମୟ ଥାଏ ମୁକୁଳିବା ପାଇଁ । ଜେଟ୍‌ ଭିତରେ ଥିବା ରକେଟ୍‌ ପାୱାର ସିଷ୍ଟମ ପାଇଲଟକୁ ସୁରକ୍ଷିତ ଭାବେ ବାହାରକୁ ଠେଲିଦିଏ । ମାତ୍ର ଦୁର୍ଘଟଣା କାରଣରୁ ରକେଟ୍‌ ପାୱାର ସିଷ୍ଟମ ଅକାମି ହୋଇଗଲେ, ପାଇଲଟଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଯାଏ । ରକେଟ୍‌ ପାୱାର ସିଷ୍ଟମକୁ ଇଂଜେକ୍‌ସନ୍‌ ସିଟ୍‌ କହନ୍ତି ।
ପାଇଲଟଙ୍କ ଆସନ ତଳେ ହିଁ ଏହି ବ୍ୟବସ୍ଥା ରହିଥାଏ । ଦୁର୍ଘଟଣା ଘଟିବା ସଙ୍ଗେସଙ୍ଗେ ପାଇଲଟ୍‌ ବଟନ୍‌କୁ ଚିପିବା ମାତ୍ରେ ଇଂଜେକ୍‌ସନ୍‌ ସିଟ୍‌ ସକ୍ରିୟ ହୋଇଯାଏ । ପାଇଲଟଙ୍କ ଆସନଟି ଆପେ ଆପେ ତଳକୁ ଖସି ବିମାନଠାରୁ ଅଲଗା ହୋଇଯାଏ । ଆସନଟିରେ ଖଞ୍ଜା ଯାଇଥିବା ପାରାଚୁଟ୍‌ ଖୋଲିଯାଏ; ପାଇଲଟ୍‌ ଜଣକ ସୁରକ୍ଷିତ ସହକାରେ ତଳକୁ ଖସିଥାନ୍ତି ।

କଥା ଉଠୁଛି, ଦୁର୍ଘଟଣାଗ୍ରସ୍ତ ମିରାଜର ରକେଟ୍‌ ପାୱାର ସିଷ୍ଟମ ଠିକ୍‌ ଥିଲା କି ନାହିଁ । ଯଦି ଥିଲା, ତେବେ ଅକାମି କାରଣରୁ ପାଇଲଟ୍‌ ବାହାରି ପାରିଲେନି କି? ଅବସରପ୍ରାପ୍ତ ବାୟୁସେନା ଅଧିକାରୀଙ୍କ ମତରେ ଆକାଶରେ ଦୁଇଟି ବିମାନ ପରସ୍ପରକୁ ପିଟି ହେବା ନିଶ୍ଚିତ ଭାବେ ପାଇଲଟ୍‌ଙ୍କ ତ୍ରୁଟିପୂର୍ଣ୍ଣ ଚାଳନା । ତେବେ ପ୍ରାଥମିକ ତଦନ୍ତ ରିପୋର୍ଟରୁ ବାସ୍ତବ ତଥ୍ୟ ଜଣାପଡ଼ିବ ।