ବିଜେଡିରେ ନେତା କହିଲେ ଏକା ନବୀନ

ଯିଏ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡ଼ିବେ, ସେମାନଙ୍କ ରାଜନୈତିକ ଭବିଷ୍ୟତ ….

ଭୁବନେଶ୍ୱର: ‘ଯିଏ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡ଼ିବେ, ସେମାନଙ୍କ ରାଜନୈତିକ ଭବିଷ୍ୟତ ଅନ୍ଧାର ହୋଇଯିବ ।’ ପିନାକୀ ମିଶ୍ରଙ୍କ କଥାର ଦମ୍‌ ଅଛି । ଏଭଳି ମନ୍ତବ୍ୟ ଦେଇ ପିନାକୀ ଜଣାଇ ଦେବାକୁ ଚାହାନ୍ତି ଯେ ତାଙ୍କ ଭଳି ଅଗାଡ଼ି ବିଜେଡି ବିନା ନେତା ହୋଇପାରିବେନି । ଏକଦା କଂଗ୍ରେସକୁ ମୁଣ୍ଡରେ ବସାଇ ବାବୁ ଥେଇଥେଇ ହେଉଥିଲେ । କଂଗ୍ରେସରୁ ମନ ଛାଡ଼ିଗଲା ପରେ ବାବୁ ଶଙ୍ଖକୁ କାମୁଡ଼ି ପଡ଼ିଛନ୍ତି । ପୁରୀରେ ବାବୁଙ୍କର ପତିଆରା ବୋଲି କିଛି ନାହିଁ । ଖାଲି ଶଙ୍ଖଚିହ୍ନଟିକୁ ଜାବୁଡ଼ି ଧରିଛନ୍ତି ବୋଲି ଲୋକମାନେ ଟିକେ ପଚାରୁଛନ୍ତି । ବାବୁଙ୍କ ଘରପାଖ ଜଳଖିଆ ଦୋକାନୀ ପରା କହୁଥିଲା, ‘ସକାଳୁୂ ଏଇଟାର ମୁହଁ ଦେଖିଲି, ଦିନସାରା ଖାଇବାକୁ ମିଳିବନି ।’ ଜଳଖିଆ ଦୋକାନୀର ସେଇ ପଦକ କଥାରୁ ବାବୁଙ୍କର ଖାତିର ଜାଣିପାରିଲି । ବାବୁଙ୍କ ପାଖରେ ମଲା କଙ୍କଡ଼ା ଉଠାଇବାର ଜୁ ନାହିଁ । ତେଣୁ ନବୀନବାବୁଙ୍କ ଗୁଣ ଗାଇ ଫାଇଦା ଉଠାଉଛନ୍ତି । ତା’ ନହେଲେ ସ୍ୱାଧୀନ ପ୍ରାର୍ଥୀ ଭାବେ ପୁରୀ ଲୋକସଭା ଆସନରୁ ଜିତି ନବୀନବାବୁଙ୍କୁ ପତିଆର ଦେଖାଇ ପାରିଥାନ୍ତେ ।
ରାଜୁଦାସ ଭଳି ସ୍ୱାଭିମାନୀ ନେତାମାନଙ୍କ ପାଇଁ ବିଜେଡିରେ ସ୍ଥାନ ନାହିଁ । ଓକିଲାତିକୁ ବ୍ୟବସାୟ ମଣୁଥିବା ବ୍ୟକ୍ତି ରାଜନୀତିକୁ ବ୍ୟବସାୟ ମଣିବା ସ୍ୱାଭାବିକ । ଲୋକନାଥ ମିଶ୍ରଙ୍କ ଦାୟାଦ ହୋଇ ନବୀନବାବୁଙ୍କ ଚପଲ ଚାଟୁଛନ୍ତି କେବଳ ଆପଣା ଫାଇଦା ପାଇଁ । ନିଜେ ବିଜେଡିକୁ କାମୁଡ଼ି ଧରିବା ସହ ତାଙ୍କ ଭଳି ଅଗାଡ଼ିଙ୍କୁ ବିଜେଡିରେ ରହିବାକୁ କହୁଛନ୍ତି ।

ନବୀନବାବୁଙ୍କ ବଗିଚାରେ ପିନାକୀଙ୍କ ଭଳି ରଙ୍ଗ ବଦଳାଉଥିବା ଏଣ୍ଡୁଅଗୁଡ଼ିକ ଏବେ ସାଲୁବାଲୁ ହେଉଛନ୍ତି । ଦିନ ଆସିବ, ସେମାନେ ଆଉ କାହା ବଗିଚାକୁ ଚାଲିଯିବେ । ମାତ୍ର ସ୍ୱାଭିମାନୀ ଓଡ଼ିଆ ନବୀନବାବୁଙ୍କ ଅସଲ ଚେହେରା ଜାଣିଯିବା ପରେ କେବେ ବି ତାଙ୍କ ମୁହଁକୁ ଅନାଇବେ ନାହିଁ ।
ନବୀନବାବୁ ଭଲ ଭାବରେ ଜାଣିଛନ୍ତି, ବିଜେଡିରେ ଗୋଟିଏ ହେଲେ ନେତା ନାହାନ୍ତି । ନବୀନବାବୁଙ୍କର ସଉକ ହେଉଛି କୁକୁର ପାଳିବା । ବାଛିବାଛି ଭଲ କିସମର କୁକୁର ବେକରେ ଶଙ୍ଖ ମାର୍କା ବେଲଟ୍‌ ବାନ୍ଧି ଦେଇଛନ୍ତି । ଶଙ୍ଖ ମାର୍କା କୁକୁରଙ୍କର ବିଷଦାନ୍ତ ଭାଙ୍ଗି ଦେଇଛନ୍ତି ନବୀନବାବୁ । ଏଇ ପଟି ପକାଇଥିବା କୁକୁରମାନେ କେବଳ ଭୋକି ପାରିବେ ମାତ୍ର କାହାକୁ କାମୁଡ଼ି ପାରିବେନି ।