ମେନକା ଗାନ୍ଧୀଙ୍କ ଉପରେ ବିରକ୍ତ ହେଲେ ସୁପ୍ରିମକୋର୍ଟ

ବୁଲା କୁକୁର ମାମଲାରେ ପ୍ରାଣୀ ଅଧିକାର ….

ନୂଆଦିଲ୍ଲୀ: ବୁଲା କୁକୁର ମାମଲାରେ ପ୍ରାଣୀ ଅଧିକାର କର୍ମୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ଏକ ପଡକାଷ୍ଟରେ କୋର୍ଟଙ୍କ ମନ୍ତବ୍ୟକୁ ନେଇ ମେନକା ଦେଇଥିବା ପ୍ରତିକ୍ରିୟା ଏବଂ ତାଙ୍କର ‘ବଡି ଲାଙ୍ଗୁଏଜ୍‌’କୁ ନେଇ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ସନ୍ଦୀପ ମେହେଟ୍ଟା ଏବଂ ଜଷ୍ଟିସ ଏନ.ଭି. ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ମେନକା ଗାନ୍ଧୀଙ୍କ ମନ୍ତବ୍ୟ ଅଦାଲତ ଅବମାନନା ସଦୃଶ। କିନ୍ତୁ କୋର୍ଟ ନିଜର ‘ଉଦାରତା’ ଦେଖାଇ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି।

ବୁଲା କୁକୁରଙ୍କୁ ଖାଦ୍ୟ ଦେଉଥିବା ବ୍ୟକ୍ତି ମାନେ କୁକୁର କାମୁଡ଼ା ପାଇଁ ଦାୟୀ ରହିବେ ବୋଲି କୋର୍ଟ ପୂର୍ବରୁ କହିଥିଲେ। ଏହାକୁ ନେଇ ପ୍ରଶ୍ନ ଉଠିବାରୁ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏହି ମନ୍ତବ୍ୟ କୌଣସି ପରିହାସ ନଥିଲା, ବରଂ କୋର୍ଟ ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ କହିଥିଲେ। ମେନକା ଗାନ୍ଧୀ ଜଣେ ପ୍ରାଣୀ ଅଧିକାର କର୍ମୀ ଏବଂ ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିବାରୁ, ବୁଲା କୁକୁର ସମସ୍ୟାର ସମାଧାନ ପାଇଁ ସେ ବଜେଟ୍‌ରେ କ’ଣ ଅବଦାନ ରଖିଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିଥିଲେ।