ଗୋଧ୍ରା ଦୋଷୀଙ୍କ ଜାମିନ ମଞ୍ଜୁର କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗୋଧ୍ରା ମାମଲାରେ ସଂପୃକ୍ତ ଦୋଷୀ ଫାରୁକଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି ସୁପ୍ରିମକୋର୍ଟ । ଗୋଧ୍ରା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲଦଣ୍ଡ ଭୋଗୁଥିବା ଫାରୁକ ତଳକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟକୁ ଯାଇଥିଲେ । ୨୦୧୮ ଅମଳରୁ ତାଙ୍କ ଅପିଲ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ଥିଲା । ଗୁରୁୂବାର ସଂପୃକ୍ତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ଫାରୁକ୍‌ ୨୦୦୪ରୁ ଜେଲରେ ଅଛି । ତାଙ୍କର ଜେଲ ରହଣି ୧୭ ବର୍ଷ ହୋଇଗଲାଣି । ତେଣୁ ତାଙ୍କୁ ଜାମିନ ଦିଆଯିବା ଦରକାର । ଫାରୁକଙ୍କ ଜାମିନ ଆବେଦନକୁ କଡ଼ା ବିରୋଧ କରି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଲେ, ଗୋଧ୍ରା ମାମଲାଟି ଜଘନ୍ୟ ଅପରାଧ । ଲୋକମାନେ ଟ୍ରେନ ବଗିରେ ଥିଲାବେଳେ ତା’ର ଦରଜା ବନ୍ଦ କରି ନିଅାଁ ଲଗାଇ ଜିଅନ୍ତା ପୋଡ଼ି ଦିଆଯାଇଥିଲା । ଟ୍ରେନ ଯାତ୍ରୀଙ୍କ ଉପରକୁ ଢେଲାପଥର ମାଡ଼ ମାମଲାକୁ ସାମାନ୍ୟ ଘଟଣା କୁହାଯାଇପାରେ । କିନ୍ତୁ ଗୋଧ୍ରା ଟ୍ରେନପୋଡ଼ି ମାମଲା ସଂପୂର୍ଣ୍ଣ ଅଲଗା ।

ଏଠାରେ ଗୋଧ୍ରା ଟ୍ରେନ୍‌ପୋଡ଼ି ଘଟଣାର ସଂକ୍ଷିପ୍ତ ବିବରଣୀ ଜଣାଇବା ଉଚିତ ମନେ କରାଯାଏ, ୨୦୦୨ ଫେବୃଆରୀ ୨୭ ତାରିଖରେ ଗୋଧ୍ରା ଷ୍ଟେସନରେ ଅଟକି ରହିଥିବା ସାବରମତୀ ଟ୍ରେନର ଗୋଟିଏ ବଗିରେ ନିଅାଁ ଲଗାଇ ଦିଆଯାଇଥିଲା । ଉକ୍ତ ଘଟଣାରେ ୫୯ ଜଣ କରସେବକ ପୋଡ଼ି ହୋଇ ପ୍ରାଣ ହରାଇଥିଲେ । ତା’ ପରେ ଗୁଜରାଟରେ ସାମ୍ପ୍ରଦାୟିକ ଦଙ୍ଗା ସୂତ୍ରପାତ ଘଟିଥିଲା । ଦୋଷୀ ଫାରୁକଙ୍କୁ ତଳକୋର୍ଟ ପଥର ଫିଙ୍ଗିବା ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲା ।

ଗୋଧ୍ରାକାଣ୍ଡ ଘଟିବାର ପ୍ରାୟ ୯ ବର୍ଷ ପରେ ଏସ୍‌ଆଇଟି କୋର୍ଟ ୧୧ ଜଣ ଦୋଷୀଙ୍କୁ ଫାଶୀଦଣ୍ଡ ଓ ୨୦ ଜଣଙ୍କୁ ଆଜୀବନ କାରାବାସ ରାୟ ପ୍ରଦାନ କରିଥିଲେ । ପରେ ୨୦୧୭ ଅକ୍ଟୋବରରେ ଗୁଜରାଟ ହାଇକୋର୍ଟ ୧୧ ଜଣ ଦୋଷୀଙ୍କ ଫାଶୀଦଣ୍ଡକୁ ଆଜୀବନ କାରାବାସକୁ ବଦଳାଇ ଦେଇଥିଲେ । ଫାରୁକ୍‌ ସେହିମାନଙ୍କ ଭିତରୁ ଜଣେ । ୨୦୨୨ ମେ’ ୧୩ ତାରିଖରେ ଦୋଷୀ ଅବଦୁଲ ରହମାନ ଧନ୍ତିଆ କଂକଟୋ ଜମ୍ବୁରୀକୁ ୬ ମାସ ପାଇଁ ଜାମିନ ପ୍ରଦାନ କରିଥିଲେ । ରେହମାନଙ୍କ ପତ୍ନୀଙ୍କୁ କର୍କଟ ରୋଗ ଓ ତାଙ୍କ ଝିଅଟି ମାନସିକ ରୋଗୀ କାରଣରୁ ତାଙ୍କର ଜାମିନ ଅବଧିକୁ ୨୦୨୩ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରି ଦିଆଯାଇଛି ।