ବିମାନ ବନ୍ଦରରେ ଆତଙ୍କିତ ଜୀବନ

ଇସ୍ରାଏଲ ଓ ଆମେରିକା ପକ୍ଷରୁ ଇରାନ ….

ନୂଆଦିଲ୍ଲୀ: ଇସ୍ରାଏଲ ଓ ଆମେରିକା ପକ୍ଷରୁ ଇରାନ ଉପରେ ମିଳିତ ଆକ୍ରମଣ ଯୋଗୁ ମଧ୍ୟପ୍ରାଚ୍ୟରେ ପରିସ୍ଥିତିକୁ ଅଧିକ ଖରାପ କରିଛି। ଫଳସ୍ୱରୂପ, ମଧ୍ୟପ୍ରାଚ୍ୟରେ ବିମାନ ସେବା ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଛି। ଅନେକ ଦେଶ ସେମାନଙ୍କର ଆକାଶପଥ ବନ୍ଦ କରିଦେଇଛନ୍ତି। ୟୁରୋପ, ଆଫ୍ରିକା ଏବଂ ଏସିଆକୁ ସଂଯୋଗ କରୁଥିବା ପ୍ରମୁଖ ବିମାନବନ୍ଦରଗୁଡ଼ିକ ପ୍ରଭାବିତ ହୋଇଛି। ଯାହା ଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମିରେଟ୍ସ ଏୟାରଲାଇନ୍ସ ରବିବାର ଅପରାହ୍ନ ପର୍ଯ୍ୟନ୍ତ ଦୁବାଇକୁ ଏବଂ ସେଠାରୁ ସମସ୍ତ ବିମାନ ଉଡ଼ାଣକୁ ସ୍ଥଗିତ ରଖିଛି। କତାର ଏୟାରୱେଜ୍‌ କହିଛି, ସୋମବାର ସକାଳ ପର୍ଯ୍ୟନ୍ତ କତାର ବିମାନବନ୍ଦର ବନ୍ଦ ରହିବ। ଆକ୍ରମଣ ପରେ ଇସ୍ରାଏଲ ତୁରନ୍ତ ନିଜର ଆକାଶ ମାର୍ଗ ବନ୍ଦ କରିଦେଇଛି। ସଂଯୁକ୍ତ ଆରବ ଏମିରେଟ୍ସ ଅସ୍ଥାୟୀ ଏବଂ ଆଂଶିକ ଆକାଶ ମାର୍ଗ ବନ୍ଦ ଘୋଷଣା କରିଛି।
ଇସ୍ରାଏଲ, କତାର, ସିରିଆ, ଇରାନ, ଇରାକ, କୁଏତ ଏବଂ ବାହାରିନ ଶନିବାର ଦିନ ସେମାନଙ୍କର ଆକାଶପଥ ବନ୍ଦ କରି ଦେଇଛନ୍ତି। ଯାହା ଫଳରେ ହଜାର ହଜାର ଯାତ୍ରୀ ଫସି ରହିଛନ୍ତି। ଅନେକ ସେଲିବ୍ରିଟିଙ୍କ ସମେତ ଲୋକମାନେ ବିମାନ ବନ୍ଦରରେ ରାତି ବିତାଇବାକୁ ବାଧ୍ୟ ହୋଇଛନ୍ତି।

ଦୁବାଇ, ଆବୁଧାବି ଏବଂ ଦୋହା ଭଳି ପ୍ରମୁଖ ପରିବହନ କେନ୍ଦ୍ରଗୁଡ଼ିକ ବନ୍ଦ ହୋଇଯିବା ଫଳରେ ଏପର୍ଯ୍ୟନ୍ତ ବିଶ୍ୱରେ ୧,୮୦୦ରୁ ଅଧିକ ବିମାନ ବାତିଲ ହୋଇଛି। ବିମାନ ଚଳାଚଳ ତଥ୍ୟ ସଂସ୍ଥା ସିରିୟମ୍‌ ଅନୁଯାୟୀ, ପ୍ରତିଦିନ ପ୍ରାୟ ୯୦,୦୦୦ ଯାତ୍ରୀ ଏହି କେନ୍ଦ୍ରଗୁଡ଼ିକ ଦେଇ ଯାତାୟାତ କରିଥାନ୍ତି। ଏବକାର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଆଗାମୀ ଦିନ ପାଇଁ ପରିସ୍ଥିତି ମଧ୍ୟ ସମାନ ରହିବା ଆଶା କରାଯାଉଛି।

ଭାରତୀୟ ବିମାନ କମ୍ପାନି ଏୟାର ଇଣ୍ଡିଆ ଏହାର ସମସ୍ତ ଉଡ଼ାଣକୁ ସ୍ଥଗିତ ରଖିଛି। ତୁର୍କୀସ୍‌ ଏୟାରଲାଇନ୍ସ ସୋମବାର ପର୍ଯ୍ୟନ୍ତ ଲେବାନନ୍‌, ସିରିଆ, ଇରାକ, ଇରାନ ଏବଂ ଜୋର୍ଡାନକୁ ଉଡ଼ାଣକୁ ସ୍ଥଗିତ ରଖିଛି। ସ୍ୱାଭାବିକ ସ୍ଥିତି ଆଶାରେ ଯାତ୍ରୀମାନେ ଅନେକ ସହରରେ ଫସି ରହିଛନ୍ତି। ଅନେକ ବିମାନ କମ୍ପାନି ଯାତ୍ରୀମାନଙ୍କୁ ବିମାନବନ୍ଦରକୁ ଯିବା ପୂର୍ବରୁ ଅନଲାଇନରେ ସେମାନଙ୍କର ଉଡ଼ାଣର ସ୍ଥିତି ଯାଂଚ୍‌ କରିବାକୁ ପରାମର୍ଶ ଦେଇଛନ୍ତି।
ଇରାନ ଦୁବାଇ ବିମାନବନ୍ଦର ସମେତ ଅନେକ ଦେଶରେ ଆକ୍ରମଣ କରି ଇସ୍ରାଏଲ ଆକ୍ରମଣର ପ୍ରତିଶୋଧ ନେଇଛି। ଶନିବାର ସନ୍ଧ୍ୟାରୁ ଇରାନ ଆକ୍ରମଣ ଚଳାଇଛି। ଦୁବାଇ ବିମାନବନ୍ଦର ଆକ୍ରମଣରେ ଏପର୍ଯ୍ୟନ୍ତ ଚାରିଜଣ ଆହତ ହୋଇଛନ୍ତି।

ଆବୁଧାବିରେ ଡ୍ରୋନ୍‌ ଆକ୍ରମଣରେ ଜଣେ ପ୍ରାଣ ହରାଇଛନ୍ତି ଏବଂ ସାତ ଜଣ ଆହତ ହୋଇଛନ୍ତି। କୁଏତ ଅନ୍ତର୍ଜାତୀୟ ବିମାନବନ୍ଦରରେ ମଧ୍ୟ ଆକ୍ରମଣ ହୋଇଥିବା ରିପୋର୍ଟ ହୋଇଛି। ଇରାନ ଏହି ଆକ୍ରମଣ ପାଇଁ ଦାୟୀ ନୁହେଁ, କିନ୍ତୁ ଏହି ଆକ୍ରମଣ ଇରାନ ଦ୍ୱାରା କରାଯାଉଛି।