ଆତ୍ମସମର୍ପଣ ପରାମର୍ଶ ମାନିଲେନି ଆତଙ୍କୀ

ଯବାନ୍‌ଙ୍କ ଗୁଳିମାଡ଼ ଖାଇ ଟଳିପଡ଼ିଲେ……

ନୂଆଦିଲ୍ଲୀ: ମଙ୍ଗଳବାର କଶ୍ମୀରର କୁଲଗାଁ ଜିଲ୍ଲାରେ ସଂଘଟିତ ଏକ ଏନ୍‌କାଉଂଟରରେ ତିନିଜଣ ଜୈଶ-ଇ-ମହମ୍ମଦ ଆତଙ୍କୀ ପ୍ରାଣ ହରାଇଛନ୍ତି । ମାତ୍ର ସବୁଠାରୁ ଆଲୋଚନାର ବିଷୟ ହେଉଛି, ଏନ୍‌କାଉଂଟରରେ ସାମିଲ ସୁରକ୍ଷାକର୍ମୀ ପ୍ରଥମେ ଭିଡିଓ କଲ୍‌ ଜରିଆରେ ତିନିଜଣ ଆତଙ୍କୀଙ୍କୁ ଆତ୍ମସମର୍ପଣ ପାଇଁ ପରାମର୍ଶ ଦେଇଥିଲେ । ଆତଙ୍କୀମାନେ ସୁରକ୍ଷାକର୍ମୀଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଗୁଳି ଚଳାଇଥିଲେ । ପରିଣାମ ସ୍ୱରୂପ ସୁରକ୍ଷାକର୍ମୀଙ୍କ ଆଖିବୁଜା ଗୁଳିମାଡ଼ରେ ତିନି ଆତଙ୍କୀ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ । ସୁରକ୍ଷାକର୍ମୀ କରିଥିବା ଭିଡିଓ କଲ୍‌ର କିୟଦାଂଶ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି ।

ମୃତ ତିନି ଆତଙ୍କୀଙ୍କ ଭିତରୁ ଜଣେ କୁଲଗାଁ ନିବାସୀ ମହମ୍ମଦ ଆସିଫ୍‌ । ତିନିଜଣଙ୍କ ଭିତରୁ ଜଣେ ବିଦେଶୀ ଆତଙ୍କୀ ଥିଲେ । ତାଙ୍କ ନିକଟରୁ ଦୁଇଟି ଏକେ-୪୭, ଗୋଟିଏ ପିସ୍ତଲ, ଗୋଟିଏ ଗ୍ରେନେଡ୍‌ ସହିତ ବହୁ ଅସ୍ତ୍ରଶସ୍ତ୍ର ମିଳିଥିଲା । ପୁଲିସ କହିଛି ଯେ ଆତଙ୍କୀମାନେ ଲୁଚି ରହିଥିବାର ସୂଚନା ପାଇବା ପରେ ସୁରକ୍ଷାକର୍ମୀ ଟିମ୍‌ କୁଲଗାଁର ଅହବାସୁ ଅଂଚଳକୁ ଘେରାଉ କରିଥିଲେ ।

ଚଳିତ ମାସରେ କଶ୍ମୀର ଇଲାକାରେ ୫ ଥର ଏନ୍‌କାଉଂଟର ହୋଇଛି । ମାସକ ଭିତରେ ୧୦ ଜଣ ଆତଙ୍କୀ ମରିଛନ୍ତି । ଗତ ଏକ ବର୍ଷ ଭିତରେ କୁଲଗାଁରେ ୧୦ ଜଣ ପାକିସ୍ତାନୀ ସମେତ ୫୦ ଜଣ ଆତଙ୍କୀ ସୁରକ୍ଷାକର୍ମୀଙ୍କ ହାତରେ ମରିଛନ୍ତି । ଏନ୍‌କାଉଂଟରରେ କିଛି ସୁରକ୍ଷାକର୍ମୀ ଆହତ ହେଉଥିବାର ଖବର ମିଳୁଛି ।