ଓଡ଼ିଶାରେ ଅଛନ୍ତି ପିଏଫ୍‌ଆଇ ଆତଙ୍କୀ!

୫ ବର୍ଷ ପରେ ପିଏଫ୍‌ଆଇକୁ ଆତଙ୍କୀ ଲାଇସେନ୍ସ!

ପିଏଫ୍‌ଆଇ କମାଣ୍ଡର ତାଲିକାରେ ଟେଲର୍‌, ଶ୍ରମିକ, ଓକିଲ, ଶିକ୍ଷକ……

ନୂଆଦିଲ୍ଲୀ: ବୁଧବାର ୫ ବର୍ଷ ପାଇଁ କଟକଣା ଆବଦ୍ଧ ହୋଇଛି ପପୁଲାର୍‌ ଫ୍ରନ୍‌ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) । ଆତଙ୍କି କାର୍ଯ୍ୟକଳାପରେ ଜଡ଼ିତ ଥିବାର ପ୍ରମାଣ ପାଇବା ପରେ କେନ୍ଦ୍ର ସରକାର ପିଏଫ୍‌ଆଇ ଓ ତା’ର ଛାମୁଆ ସଂଗଠନଗୁଡ଼ିକ ପ୍ରତି କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି । ଓଡ଼ିଶାରେ ପିଏଫ୍‌ଆଇ ମଂଜି ପୋତିବା ପାଇଁ କିଛି ମୁସଲିମ୍‌ ନେତା ରୀତିମତ ପ୍ରୟାସ କରୁଥିବାର ସୁରାକ୍‌ ମିଳିଛି । ମାତ୍ର ଏନ୍‌ଆଇଏ ହାତରେ ଠୋସ୍‌ ପ୍ରମାଣ ନଥିବାରୁ ଚଢ଼ାଉ ଅଭିଯାନରୁ ଓଡ଼ିଶା ବାଦ୍‌ ପଡ଼ିଛି । ତେବେ ଆଗାମୀ ଦିନରେ ଯେ ଏନ୍‌ଆଇଏ ଓଡ଼ିଶାକୁ ଚଢ଼ାଉ କରିବନି, କିଏ କହିବ? କେନ୍ଦ୍ର ସରକାର ମାତ୍ର ୫ ବର୍ଷ ପାଇଁ ପିଏଫ୍‌ଆଇ ଉପରେ କଟକଣା ଲଗାଇଥିବାରୁ ଦେଶବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଦକ୍ଷେପ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି ।

ସେମାନଙ୍କ ମତରେ ଖୋଦ୍‌ ସରକାର କହୁଛନ୍ତି ଯେ ଦେଶବ୍ୟାପୀ ଖାନତଲାସରୁ ସଂଗୃହୀତ ତଥ୍ୟକୁ ତନ୍ନତନ୍ନ କରି ଯାଂଚ କରାଯିବା ପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ମାତ୍ର ଲୋକମାନେ କହୁଛନ୍ତି ଯଦି ସରକାରଙ୍କ ପାଖରେ ତଥ୍ୟଗତ ପ୍ରମାଣ ରହିଛି ତେବେ ପିଏଫ୍‌ଆଇ’କୁ ସବୁଦିନ ପାଇଁ ବେଆଇନ୍‌ ଘୋଷଣା କରାଗଲାନି କାହିଁକି? ମାତ୍ର ୫ ବର୍ଷ ପାିଁ କଟକଣା ଲଗାଯିବାର ମାନେ କ’ଣ? ପାଂଚବର୍ଷ ପରେ ପିଏଫ୍‌ଆଇକୁ ଆତଙ୍କି ଲାଇସେନ୍ସ ଦେବାର ଯୋଜନା ଅଛି କି?

୨୨ ସେପ୍ଟେମ୍ବରରେ ଏନ୍‌ଆଇଏ ଟିମ୍‌ ପିଏଫ୍‌ଆଇ ବିରୋଧରେ ୧୫ଟି ରାଜ୍ୟକୁ ଭଲ କରି ଘାଂଟିଲା । ସଂଗଠନର ମୂଳପିଣ୍ଡ ଭାବେ ଜଣାଶୁଣା ୪୫ ଜଣ ଲୋକଙ୍କୁ ଗିରଫ କଲା ଯେଉଁମାନଙ୍କର ମୁଖ୍ୟ କାମ ଥିଲା ସଂଗଠନ ପାଇଁ ଉପଯୁକ୍ତ ଯୁବକ ନିଯୁକ୍ତ କରିବା, ବନ୍ଧୁକ ଚାଳନା ତାଲିମ, ଅସ୍ତ୍ରଶସ୍ତ୍ର ଚାଳନା ତାଲିମ, ପାଣ୍ଠି ଯୋଗାଡ଼ କରିବା ଓ ସୋସିଆଲ୍‌ ମିଡିଆ ଜରିଆରେ ପିଏଫ୍‌ଆଇ ଆଦର୍ଶକୁ ବିଶ୍ୱବ୍ୟାପୀ ପ୍ରଚାର କରିବା । ପପୁଲାର୍‌ ଫ୍ରନ୍‌ଟ ଅଫ୍‌ ଇଣ୍ଡିଆ ବା ପିଏଫ୍‌ଆଇ ପାଇଁ କାମ କରୁଥିବା ଲୋକଙ୍କ ଭିତରୁ ଅଧିକାଂଶ ଷ୍ଟୁଡେଂଟ୍‌ସ ଇସ୍‌ଲାମିକ୍‌ ମୁଭମେଂଟ ଅଫ୍‌ ଇଣ୍ଡିଆ (ସିମି) ସହ ଜଡ଼ିତ ଥିଲେ । ୨୦୦୧ରେ ସରକାର ସିମି’କୁ ଆତଙ୍କି ସଂଗଠନ ଘୋଷଣା କରି ବନ୍ଦ କରିଦେଲେ । ବିଗତ ଏକବର୍ଷ ଧରି କେନ୍ଦ୍ର ସରକାରଙ୍କ ଇଂଟେଲିଜେନ୍ସ ସଂସ୍ଥା ପିଏଫ୍‌ଆଇ ବିରୋଧରେ ଅକାଟ୍ୟ ପ୍ରମାଣ ଖୋଜି ଚାଲିଥିଲା । ଫିଏଫ୍‌ଆଇ ପାଇଁ କାମ କରୁଥିବା ଲୋକଙ୍କ ଭିତରେ ଅଧିକାଂଶ କେରଳ, କର୍ଣ୍ଣାଟକ ସମେତ ଦକ୍ଷିଣ ଭାରତର ଅଧିବାସୀ ଅଛନ୍ତି ।

ପିଏଫ୍‌ଆଇ ସଭ୍ୟମାନେ ବେଆଇନ୍‌ ଟଙ୍କା ଦେଣନେଣ, ହାୱାଲା ଓ ଆତଙ୍କି କାର୍ଯ୍ୟରେ ଲିପ୍ତ ରହୁଥିବାର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସରକାରୀ ତଦନ୍ତ ସଂସ୍ଥା ହାସଲ କରିଛି । ପିଏଫ୍‌ଆଇ ନିକଟକୁ ବିଦେଶରୁ ପାଣ୍ଠି ଆସୁଥିବାର ପ୍ରମାଣ ମିଳିଛି । ୫ ବର୍ଷ ପାଇଁ କଟକଣାରେ ଆବଦ୍ଧ ପିଏଫ୍‌ଆଇ’ର ମୂଳପିଣ୍ଡ ଭାବେ ପରିଚିତ ଲୋକଙ୍କ ଭିତରୁ କିଛି ଅଧ୍ୟାପକ, କିଛି ଓକିଲ, କିଛି ବ୍ୟବସାୟୀ ଅଛନ୍ତି । ଠୋସ୍‌ ପ୍ରମାଣ ଏକାଠି କରିବା ପରେ ଏନ୍‌ଆଇଏ ଅପରେସନ୍‌ ଅକ୍ଟୋପସ୍‌ ଆରମ୍ଭ କରି ଅଭିଯୁକ୍ତଙ୍କୁ ଗିରଫ କଲା ।

ଏଠାରେ ଜଣାଇ ଦିଆଯାଉଛି, ଜୁଲାଇ ୨୬ ତାରିଖରେ ମାଙ୍ଗାଲୁରରେ ବିଜେପି ଯୁବମୋର୍ଚ୍ଚା ନେତା ପ୍ରବୀଣ ନେଟ୍ଟାରୁଙ୍କ ହତ୍ୟା କରାଗଲା । ତାଙ୍କ ହତ୍ୟାକାଣ୍ଡରେ ୬ ଜଣ ପିଏଫ୍‌ଆଇ ସଭ୍ୟଙ୍କ ସଂପୃକ୍ତି ସ୍ପଷ୍ଟ ହୋଇଥିଲା । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଓ ଗୃହମନ୍ତ୍ରୀ ଅରାଗା ଜ୍ଞାନେନ୍ଦ୍ରଙ୍କ ସହ ବୈଠକ କରିଥିଲେ । ଉକ୍ତ ବୈଠକରେ ପିଏଫ୍‌ଆଇ ଉପରେ କଟକଣା ଲଗାଇବାର ନିଷ୍ପତି ନିଆଯାଇଥିଲା । ନୂଆଦିଲ୍ଲୀ ଫେରିବା ପରେ ଅମିତ ଶାହ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଆଲୋଚନା କରିଥିଲେ । ତହୁଁ ଡୋଭାଲ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମିଶି ଚୂଡ଼ାନ୍ତ ଯୋଜନା କରିଥିଲେ । ୨୧ ଜୁନ୍‌ରେ ୫୪ ବର୍ଷୀୟ ରସାୟନବିତ୍‌ ଉମେଶ ପ୍ରହ୍ଲାଦ ରାଓ କୋହ୍ଲେ ଘରକୁ ଫେରୁଥିବା ବାଟରେ ଆତତାୟୀଙ୍କ ଶିକାର ହେଲେ । ଉକ୍ତ ମାମଲାରେ ଗିରଫ ୧୧ ଅଭିଯୁକ୍ତଙ୍କ ଭିତରେ ଅଧିକାଂଶ ପିଏଫ୍‌ଆଇ ସଭ୍ୟ । ଜୁନ୍‌ ୨୮ ତାରିଖରେ ଟେଲର୍‌ କହ୍ନେୟାଲାଲଙ୍କର ଗଳାକାଟି ହତ୍ୟା କରିଥିବା ଅଭିଯୁକ୍ତମାନେ ପିଏଫ୍‌ଆଇ ସଭ୍ୟ ଥିଲେ ।

ଏନ୍‌ଆଇଏ ରିପୋର୍ଟ ମୁତାବକ, ପିଏଫ୍‌ଆଇ ପାଇଁ କାମ କରୁଥିବା ଲୋକମାନେ ସାଧାରଣତଃ ଟିଭି ମେକାନିକ୍‌, ଏସି ମେକାନିକ୍‌, ପାଇପ୍‌ ମିସ୍ତ୍ରୀ, ବିଦ୍ୟୁତ୍‌ ମେକାନିକ୍‌, ଶ୍ରମିକ, ପାଉଁରୁଟି ବେପାରୀ, କବାଡ଼ିବାଲା, ଶିକ୍ଷକ, ଟେଲର୍‌, ରିପୋର୍ଟର ଓ ଓକିଲ । ବିଶେଷ କରି ଯେକୌଣସି ଘର ଓ କଲୋନୀ ଭିତରକୁ ବିନା ବାଧାରେ ପ୍ରବେଶ କରି ପାରୁଥିବା କର୍ମଚାରୀଙ୍କୁ ପିଏଫ୍‌ଆଇର କମାଣ୍ଡର ପଦବୀ ମିଳୁଥିଲା । ଶୁଣିବାକୁ ମିଳେ, ୧୯୯୨ରେ ବାବ୍‌ରୀ ମସଜିଦ୍‌ ଭଙ୍ଗାଯିବା ପରେ ମୁସଲିମ୍‌ ସମ୍ପ୍ରଦାୟର ସ୍ୱାର୍ଥରକ୍ଷା ପାଇଁ ପପୁଲାର୍‌ ଫ୍ରନ୍‌ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ଗଠନ କରାଯାଇଥିଲା । ୧୯୯୪ରେ କେରଳରେ ନ୍ୟାସନାଲ୍‌ ଡେଭଲପ୍‌ମେଂଟ ଫଣ୍ଡ ଗଠନ କରାଗଲା ।

କର୍ଣ୍ଣାଟକରେ କର୍ଣ୍ଣାଟକ ଫୋରମ୍‌ ଫର୍‌ ଡିଗ୍‌ନିଟି (କେଡିଏଫ୍‌) ଓ ତାମିଲନାଡୁରେ ମନିଥା ନୀତି ପସାରାଇ (ଏମ୍‌ଏନ୍‌ପି) ଗଠନ କରାଗଲା । ୨୦୦୬ରେ ଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ଏନ୍‌ଡିଏଫ୍‌ ଓ ଅନ୍ୟ ସଂଗଠନଗୁଡ଼ିକ ମିଶି ପିଏଫ୍‌ଆଇ ଗଠନ କଲେ । ୨୦୦୯ରେ ପିଏଫ୍‌ଆଇ ତା’ର ରାଜନୈତିକ ଦଳ ଏସ୍‌ଡିପିଆଇ (ସୋସିଆଲ୍‌ ଡେମୋକ୍ରାଟିକ୍‌ ପାର୍ଟି ଅଫ୍‌ ଇଣ୍ଡିଆ) ଓ ଛାତ୍ର ସଂଗଠନ (କ୍ୟାମ୍ପସ୍‌ ଫ୍ରନ୍‌ଟ୍‌ ଅଫ୍‌ ଇଣ୍ଡିଆ) ଗଠନ କରିଥିଲା । ୧୫ ବର୍ଷ ଭିତରେ ପିଏଫ୍‌ଆଇ ୨୦ଟି ରାଜ୍ୟକୁ ବିସ୍ତାରିତ ହୋଇଛି । ଓଡ଼ିଶାରେ ପିଏଫ୍‌ଆଇକୁ ଚଳାଇବା ପାଇଁ କିଛି ମୁସଲିମ୍‌ ନେତା ଉଦ୍ୟମ କରୁଥିଲେ । ତେବେ ସେମାନେ କେତେ ଦୂର ସଫଳ ହୋଇଛନ୍ତି; ସେ ସଂପର୍କରେ କୌଣସି ତଥ୍ୟ ପ୍ରକାଶ ପାଇନି ।