ନୂଆଦିଲ୍ଲୀ: କୃଷି ଆଇନ ପ୍ରତ୍ୟାହାର ପାଇଁ କେନ୍ଦ୍ର କ୍ୟାବିନେଟରେ ବୁଧବାର ବିଲ୍ ଅନୁମୋଦନ ଗ୍ରହଣ କରିବାର ସମ୍ଭାବନା ରହିଛି । ତିନି କୃଷି ଆଇନର ପ୍ରତ୍ୟାହାର ପାଇଁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିବା ପରେ ସଂସଦର ଅଧିବେଶନରେ ଏହି ବିଲ ଉପସ୍ଥାପିତ ହେବ ବୋଲି ଜଣାପଡିଛି । ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତା ୨୯ରୁ ଆରମ୍ଭ ହେବାକୁ ଯାଉଛି ।
ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦୀ ଗତ ଶୁକ୍ରବାର ଦେଶର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ନୂତନ କୃଷି ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କରଥିଲେ । କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନକାରୀ ଗତବର୍ଷରୁ ଦିଲ୍ଲୀ ସୀମାରେ ଧାରଣାରେ ବସିଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ସରକାର ବର୍ତ୍ତମାନ ସଂସଦରେ ତିନିଟି କୃଷି ଆଇନ ପ୍ରତ୍ୟାହାର ପାଇଁ ସଂସଦରେ ବିଲ୍ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି ।