ନୂଆଦିଲ୍ଲୀ : ରୁଷିଆ-ୟୁକ୍ରେନ ଯୁଦ୍ଧ ଓ କରୋନା ଭାଇରସ ଭଳି ପରିସ୍ଥିତି ଦେଶକୁ ଆତ୍ମନିର୍ଭର ହେବା ସଂକଳ୍ପକୁ ଆହୁରି ଅଧିକ ମଜବୁତ କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଆତ୍ମନିର୍ଭର ହେବା ନିହାତି ଜରୁରୀ । ଭାରତରେ ଉତ୍ପାଦିତ ହେଉଥିବା ସାମଗ୍ରୀକୁ ଅଧିକ ପ୍ରେତ୍ସାହନ ଦିଆଯାଉ । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାମୀନାରାୟଣ ଗୁରୁକୁଳ ବିଶ୍ୱବିଦ୍ୟା ପ୍ରତିଷ୍ଠାନର ଗୁରୁଦେବ ଶାସ୍ତ୍ରୀଜୀ ମହାରାଜଙ୍କ ଜୀବନୀ ଉପରେ ପର୍ଯ୍ୟବେସିତ ପୁସ୍ତକ ଶ୍ରୀ ଧର୍ମଜୀବନ ଗାଥାର ୬ ଖଣ୍ଡକୁ ଉନ୍ମୋଚନ କାର୍ଯ୍ୟକ୍ରମରେ ସମ୍ବୋଧିତ କରିବା ଅବସରରେ କହିଛନ୍ତି ଯେ ସବକା ସାଥ ସବକା ବିକାଶ, ସବକା ବିଶ୍ୱାସର ସ୍ଲୋଗାନ ଶାସ୍ତ୍ରୀଜୀ ମହାରାଜଙ୍କ ସର୍ବଜନ ହିତାୟର ଆହ୍ୱାନ ପ୍ରେରିତ କରିଥିଲା ।
ଏକ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଜି ପ୍ରତ୍ୟେକ ଲୋକ ନୂଆ ଚ୍ୟାଲେଞ୍ଜକୁ ସାମ୍ନା କରୁଛନ୍ତି । ସେହିପରି ଆମେ କରୋନା ଭାଇରସର ଅଭିଜ୍ଞତା ହାସଲ କରିଛେ । ଏବେ ବର୍ତ୍ତମାନ ୟୁକ୍ରେନ-ରୁଷ ଯୁଦ୍ଧ ଅନୁଭବ କରୁଛେ । ଆଜିର ବିଶ୍ୱରେ ଏହା ଅନୁମାନ କରିବା ନିଶ୍ଚିତ ଭାବେ ଅଡୁଆ ଯେ କେବେ କ’ଣ ହେବ । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆମେ ସ୍ଥାନୀୟ ଜିନିଷ ପ୍ରତି ଗୁରୁତ୍ୱ ଦେବାର ସମୟ ଆସିଛି । ଏହା ଦ୍ୱାରା ରୋଜଗାର ସୃଷ୍ଟି ହେବ ଏବଂ ଦେଶ ସମୃଦ୍ଧ ହେବ ।